ପ୍ରତିବର୍ଷ ସେପ୍ଟେମ୍ବର ଚତୁର୍ଥ ରବିବାରକୁ ବିଶ୍ୱ ନଦୀ ଦିବସ ରୂପେ ପାଳନ କରାଯାଏ। ଚଳିତ ବର୍ଷ ବିଶ୍ୱ ନଦୀ ଦିବସର ବାର୍ତ୍ତା ହେଉଛି- ‘ଜୀବନର ଜଳପଥ: ନିରନ୍ତର ବିକାଶ ପାଇଁ ଜଳପଥ’। ଜଳପଥ ମାଧ୍ୟମରେ ବିକାଶ କଥା ଆସିଲେ, ପ୍ରାଚୀନ ଓଡ଼ିଶାର ନୌବାଣିଜ୍ୟ ମନକୁ ଆସେ। ଖ୍ରୀଷ୍ଟପୂର୍ବ ୮୦୦ରେ ଓଡ଼ିଆ ସାଧବ ନୌଯାତ୍ରା କରି ଦକ୍ଷିଣ-ପୂର୍ବ ଏସୀୟ ଦେଶଗୁଡ଼ିକୁ ବାଣିଜ୍ୟ କରିବାକୁ ଯାଉଥିଲା। ଏହି ଧାରା ତ୍ରୟୋଦଶ ଶତାବ୍ଦୀ ପର୍ଯ୍ୟନ୍ତ ବଳବତ୍ତର ରହିଥିଲା। ଜଳପଥରେ ଯାଇ ବାଣିଜ୍ୟ କରିବାରେ ତତ୍କାଳୀନ କଳିଙ୍ଗ (ଓଡ଼ିଶା) ଅପ୍ରତିଦ୍ବନ୍ଦ୍ବୀ ଶକ୍ତି ଭାବେ ପରିଗଣିତ ହେଉଥିଲା। କାଳକ୍ରମେ ବିଭିନ୍ନ କାରଣରୁ ଓଡ଼ିଶା ନୌବାଣିଜ୍ୟର ପତନ ଘଟିଥିଲା।

Advertisment

୧୮୬୬ ମସିହାର ନ’ଅଙ୍କ ଦୁର୍ଭିକ୍ଷରେ ଓଡ଼ିଶାର ପ୍ରାୟ ଏକତୃତୀୟାଂଶ ଲୋକ ମୃତ୍ୟୁବରଣ କଲେ। ତତ୍କାଳୀନ ବ୍ରିଟିସ୍‌ ପ୍ରଶାସକ ଜର୍ଜ କ୍ୟାମ୍ପ୍‌ବେଲ୍‌ଙ୍କ ଅଧ୍ୟକ୍ଷତାରେ ୧୮୬୬ ଡିସେମ୍ବରରେ ଏକ କମିସନ୍‌ ବସିଥିଲା। ୧୮୬୭ ମସିହା ଏପ୍ରିଲ ୬ରେ କମିସନ୍‌ ତା’ର ରିପୋର୍ଟରେ ନ’ଅଙ୍କ ଦୁର୍ଭିକ୍ଷ ପାଇଁ ଓଡ଼ିଶାର ଶୋଚନୀୟ ଗମନାଗମନ ଭିତ୍ତିଭୂମିକୁ ଦାୟୀ କରିଥିଲା। ଅନୁରୂପ ପରିସ୍ଥିତିର ଯେପରି ପୁନରାବୃତ୍ତି ନ ଘଟିବ ସେଥିପାଇଁ ମୁଖ୍ୟତଃ ଜଳପଥ ବିକାଶ ଉପରେ କମିସନ୍‌ ଗୁରୁତ୍ୱାରୋପ କରିଥିଲା। ଏହା ସହିତ କେନାଲ୍‌ଗୁଡ଼ିକୁ ଜଳପଥରେ ପରିଣତ କରିବାକୁ ମଧ୍ୟ କମିସନ୍‌ ପରାମର୍ଶ ଦେଇଥିଲା। ତେଣୁ ସେତେବେଳେ ଗମନାଗମନ ପାଇଁ ଅନେକ କେନାଲ ଖୋଳାଯିବା ସହ ଅର୍ନ୍ତଦେଶୀୟ ଜଳପଥର ବିକାଶ ହୋଇଥିଲା।

ଓଡ଼ିଶା ଉପକୂଳ କେନାଲ୍‌ କାମ ୧୮୮୦-୮୧ରେ ଆରମ୍ଭ ହୋଇଥିଲା। ତତ୍‌କାଳୀନ ବ୍ରିଟିସ୍‌ ଇଣ୍ଡିଆ ସରକାରଙ୍କ ୧୮୭୯ ଅଗଷ୍ଟ ୨୦ ତାରିଖ ଚିଠି ନମ୍ବର ୧୫୫ରେ ଏହି ପ୍ରସ୍ତାବ ପାରିତ ହୋଇଥିଲା। ୧୮୮୮ ମସିହାରେ କେନାଲ୍‌ ନିର୍ମାଣ ବ୍ୟୟ ଅଟକଳ ସଂଶୋଧିତ ହୋଇ ୪୪,୭୪,୯୪୧ ଟଙ୍କା କରାଯାଇଥିଲା। ରେଳପଥ ନଥିବାରୁ ବାଣିଜ୍ୟ ପାଇଁ ଜଳପଥର ବ୍ୟବହାର ଅପରିହାର୍ଯ୍ୟ ଥିଲା ଏବଂ କେନାଲ୍‌ ଖୋଳାର ଆବଶ୍ୟକତା ସୃଷ୍ଟି ହୋଇଥିଲା। ତେବେ ଓଡ଼ିଶାର ବନ୍ଦରଗୁଡ଼ିକ ବିକଶିତ ହୋଇ ନଥିବାରୁ  ସେଥିରେ ପରିବହନ ବିପଜ୍ଜନକ ଓ ବ୍ୟୟସାପେକ୍ଷ ଥିଲା।  ତେବେ ତତ୍କାଳୀନ ବ୍ରିଟିସ୍‌ ସରକାର ଓ ସ୍ଥାନୀୟ ରାଜାମହାରାଜଙ୍କ ସହାୟତାରେ ଜଳପଥ ପାଇଁ କେତେଗୁଡ଼ିଏ କେନାଲ ଖନନ କରାଯାଇଥିଲା। ଏହି କେନାଲ ସବୁ ପରିବହନ ଓ ବାଣିଜ୍ୟ ବ୍ୟବସାୟ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିଲା। ହୁକିଟୋଲା ଦ୍ବୀପରେ ଥିବା ବିଶାଳ ବତିଘର ଏବଂ ବୁଡ଼ିଯାଇଥିବା ଭେଲାଡା ଜାହାଜ ମଧ୍ୟ ତତ୍କାଳୀନ ବ୍ରିଟିସ୍‌ ସରକାରଙ୍କ ଜଳପଥ ପରିବହନ ପ୍ରଚେଷ୍ଟାର ପ୍ରମାଣ।

ସଂପ୍ରତି ଓଡ଼ିଶାରେ ଜଳପଥ ବିକାଶ ଲାଗି କେନ୍ଦ୍ର ସରକାର ୪ଟି ପ୍ରମୁଖ ଶିଳ୍ପପୁଞ୍ଜରୁ ପାରଦୀପ ଓ ଧାମରା ବନ୍ଦରକୁ ସାମଗ୍ରୀ ପରିବହନ ନିମନ୍ତେ ବ୍ରାହ୍ମଣୀ ନଦୀରେ ୧୨,୦୦୦ କୋଟି ଟଙ୍କାର ଅନ୍ତର୍ଦେଶୀୟ ଜଳପଥ ନିର୍ମାଣ ଯୋଜନା ପ୍ରସ୍ତୁତ କରିଛନ୍ତି। ପ୍ରସ୍ତାବିତ ‘ନ୍ୟାସ୍‌ନାଲ୍‌ ୱାଟର୍‌ୱେ ୫’ ନିର୍ମାଣ ଅନ୍ତର୍ଗତ ପାରାଦୀପରୁ ଧାମରା ଓ ପଙ୍କପାଳ ପର୍ଯ୍ୟନ୍ତ ୨୧୨ କିଲୋମିଟର ଏବଂ ପଙ୍କପାଳରୁ ତାଳଚେର ପର୍ଯ୍ୟନ୍ତ ୧୨୦ କିଲୋମିଟର ଜଳପଥ ବିକଶିତ ହେବ। ଏବେ ବର୍ଷକୁ ନ୍ୟାସ୍‌ନାଲ୍‌ ୱାଟର୍‌ୱେ ୫ରେ ଏକ ନିୟୁତ ଟନ୍‌ ପଣ୍ୟସାମଗ୍ରୀ ପରିବହନ କରାଯାଉଥିବା ବେଳେ ୨୦୩୦ ସୁଦ୍ଧା ଏହା ୧୨ରୁ ୧୪ ନିୟୁତ ଟନ୍‌ରେ ପହଞ୍ଚିବ। ଅନ୍ତର୍ଦେଶୀୟ ଜଳପଥ ସବୁଠୁ ମିତବ୍ୟୟୀ ପରିବହନ ମାଧ୍ୟମ ହେବ ବୋଲି ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରାଳୟ କହିଛି।