ସଂସ୍କୃତ ଏକ ପ୍ରାଚୀନ ଭାଷା ରୂପେ ସୁପରିଚିତ। ଆମର ବେଦ, ପୁରାଣ, ଉପନିଷଦ୍ ଓ ଅନେକ ପ୍ରାଚୀନ ଗ୍ରନ୍ଥ ସଂସ୍କୃତ ଭାଷାରେ ରଚିତ ହୋଇଥିବା କାରଣରୁ ସଂସ୍କୃତକୁ ଆମ ସଂସ୍କୃତିର ଏକ ବଳିଷ୍ଠ ମାଧ୍ୟମ ଭାବେ ଦେଖାଯାଇଥାଏ। ଏହାର ଚମତ୍କାର ପ୍ରୟୋଗାତ୍ମକ ବ୍ୟାପକତା, ଶବ୍ଦ ସମ୍ଭାର, ବ୍ୟାକରଣ ବିଜ୍ଞାନ ଓ ବିନ୍ୟାସଗତ ନମନୀୟତା ସଂସ୍କୃତକୁ ଏକ ସମୃଦ୍ଧ ଓ ବଳିଷ୍ଠ ଭାଷାର ପରିଚୟ ଦେଇଥାଏ। ଗବେଷକଙ୍କ ମତରେ ସଂସ୍କୃତ ମାନବୀୟ ସଞ୍ଚାରର ସବୁଠାରୁ ପ୍ରଭାବୀ ମାଧ୍ୟମ। ସେଥିପାଇଁ ଏହାକୁ ଚେତନାର ଭାଷା ବୋଲି ମଧ୍ୟ କୁହାଯାଏ। ସଂସ୍କୃତର ସାଂସ୍କୃତିକ ବିଶେଷତ୍ବ ତଥା ଏହାର ଗୁରୁତ୍ବ ସମ୍ବନ୍ଧରେ ସଚେତନତା ସୃଷ୍ଟି କରିବା ପାଇଁ ୧୯୬୯ ମସିହାରେ ଭାରତ ସରକାର ସଂସ୍କୃତ ଦିବସ ପାଳନର ନିଷ୍ପତ୍ତି ନେଇଥିଲେ।
ଏହା ପ୍ରତି ବର୍ଷ ଶ୍ରାବଣ ପୂର୍ଣ୍ଣିମା ଦିନ ପାଳିତ ହୋଇଥାଏ, ଯାହା ଆମ ପ୍ରାଚୀନ ସଂସ୍କୃତିରେ ବିଦ୍ୟାରମ୍ଭର ସମୟ ଭାବେ ବିବେଚିତ। ସଂସ୍କୃତ ପଣ୍ଡିତମାନଙ୍କ ମତରେ ସଂସ୍କୃୃତକୁ ସବୁ ଭାଷାର ଜନନୀ କୁହାଯିବା ପଛର କାରଣ ହେଉଛି ଏହାର ବ୍ୟାକରଣଗତ ବିଶାଳତା, ସମୃଦ୍ଧ ଶବ୍ଦ ଭଣ୍ଡାର ଏବଂ ଏହାର ଐତହାସିକ ଓ ସାଂସ୍କୃତିକ ମହତ୍ତ୍ବ। ଭାଷାବିଜ୍ଞାନ, ଦର୍ଶନଶାସ୍ତ୍ର ଓ ବିଜ୍ଞାନ ଆଦି କ୍ଷେତ୍ର ସଂସ୍କୃତର ବିଭିନ୍ନ ବିଭବ ଦ୍ବାରା ପ୍ରଭାବିତ। ସଂସ୍କୃତ ବ୍ୟକ୍ତିର ବୌଦ୍ଧିକ ବିକାଶକୁ ତ୍ବରାନ୍ବିତ କରେ ଏବଂ ତା’ ମାଧ୍ୟମରେ ସାଂସ୍କୃତିକ ସମ୍ବେଦନା ସୃଷ୍ଟି କରି ବ୍ୟକ୍ତିତ୍ବର ପୂର୍ଣ୍ଣାଙ୍ଗ ବିକାଶରେ ସହାୟକ ହୋଇଥାଏ। ସାହିତ୍ୟ, କଳା, ସଙ୍ଗୀତ ଓ ଦର୍ଶନ ମାଧ୍ୟମରେ ସଂସ୍କୃତ ଆମ ସଂସ୍କୃତିକୁ ପ୍ରଭାବିତ କରିଆସିଛି। ଅନେକ ପ୍ରଚୀନ ଗ୍ରନ୍ଥ, ପୁରାଣ, ବେଦ, ଉପନିଷଦ୍ ଆଦି ସଂସ୍କୃତରେ ଲେଖାଯାଇଛି। ଏହା ସଂସ୍କୃତି ଓ ଜ୍ଞାନର ବାହକ। କହିବାକୁ ଗଲେ: ‘ସଂସ୍କୃତିଃ ସଂସ୍କୃତାଶ୍ରିତା, ସଂସ୍କୃତଂ ସଂସ୍କୃତିଶ୍ରିତମ୍’।
- ଦେବୀଲାଲ ମିଶ୍ର