ଆଜି ବିଶ୍ବ ଦୂରସଂଚାର ଦିବସ। ଆମ ଜୀବନର ଅନ୍ୟତମ ଗୁରୁତ୍ବପୂର୍ଣ୍ଣ ଉପାଦାନ ‘ଯୋଗାଯୋଗ’ର କ୍ରମାଗତ ବିବର୍ତ୍ତନକୁ ଉତ୍ସାହର ସହ ପାଳନ କରିବା ଲାଗି ଏପରି ଦିବସର ପରିକଳ୍ପନା କରାଯାଇଛି। ଏହାର ମୁଖ୍ୟ ଲକ୍ଷ୍ୟ ହେଉଛି, ଯୋଗାଯୋଗର ଗୁରୁତ୍ବ ଏବଂ ବିଶ୍ବବ୍ୟାପୀ ସୂଚନାର ଉପଲବ୍ଧିକୁ ହୃଦୟଙ୍ଗମ କରିବା ସହିତ ଆମ ଜୀବନରେ ଯୋଗାଯୋଗ କେତେ ଗୁରୁତ୍ବପୂର୍ଣ୍ଣ, ସେ ସମ୍ପର୍କରେ ସଚେତନତା ସୃଷ୍ଟି କରିବା। ଏଥି ସହିତ ଏହି କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବିକାଶକୁ ମଧ୍ୟ ବିନିଯୋଗ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି।
ଉଲ୍ଲେଖଯୋଗ୍ୟ, ୧୮୬୫ ମସିହା ମେ’ ୧୭ ତାରିଖରେ ପ୍ୟାରିସ ଠାରେ ପ୍ରଥମ ଥର ପାଇଁ ଆନ୍ତର୍ଜାତିକ ଟେଲିଗ୍ରାଫ ରାଜିନାମା ସ୍ବାକ୍ଷରିତ ହୋଇଥିଲା। ସେହି ଦିନକୁ ସ୍ମରଣ କରିବା ଲାଗି ୧୯୬୯ ମସିହାରୁ ଏପରି ଦିବସ ପାଳନ କରାଯାଇ ଆସୁଛି। ଏଥି ସହିତ ଦିନକୁ ଦିନ ଟେଲିଯୋଗାଯୋଗ ଓ ସୂଚନା ପ୍ରଯୁକ୍ତିବିଦ୍ୟା, ବିଶେଷ କରି ଇଣ୍ଟରନେଟ୍ର ଗୁରୁତ୍ବ ବଢୁଥିବାରୁ ଏ ପ୍ରସଙ୍ଗକୁ ଜନସାଧାରଣଙ୍କ ଦୃଷ୍ଟି ଆକର୍ଷଣ କରାଯିବା ଲାଗି ସ୍ବୀକୃତ ହୋଇଥିଲା। ଏହି କାରଣରୁ ସୂଚନା ସମାଜର ବିଶ୍ବ ସମ୍ମିଳନୀ (ଡବଲ୍ୟୁଏସ୍ଆଇଏସ୍)ର ଅନୁରୋଧ କ୍ରମେ ଜାତିସଂଘର ସାଧାରଣ ପରିଷଦ ୨୦୦୬ ମସିହାରୁ ଉକ୍ତ ଦିନକୁ ମଧ୍ୟ ‘ବିଶ୍ବ ସୂଚନା ସମାଜ ଦିବସ’ ଭାବେ ପାଳନ କରିବାକୁ ଘୋଷଣା କରିଥିଲା। ଚଳିତବର୍ଷ ଏହି ଦିବସ ପାଳନର ପ୍ରସଙ୍ଗ ହେଉଛି ‘ସୂଚନା ଓ ଯୋଗାଯୋଗ ପ୍ରଯୁକ୍ତବିଦ୍ୟା ମାଧ୍ୟମରେ ସର୍ବନିମ୍ନ ବିକଶିତ ଦେଶଗୁଡ଼ିକୁ ସଶକ୍ତ କରିବା।’