ଆଜି ଭାରତର ଅଧିକାଂଶ ଘରେ କୋରିଆ, ଜାପାନ ଓ ଚୀନା କମ୍ପାନି ଦ୍ବାରା ନିର୍ମିତ ସରସ ସୁନ୍ଦର ଟେଲିଭିଜନ୍ ସେଟ୍ ଶୋଭାପାଉଛି। କିନ୍ତୁ, ଦିନ ଥିଲା ଟେଲିଭିଜନ୍ ବଜାରରେ ଚାଲିଥିଲା ଭାରତୀୟ କମ୍ପାନି ସବୁ ନିର୍ମାଣ କରୁଥିବା ଟେଲିଭିଜନ୍ ସେଟ୍ର ରାଜୁତି। ପୁଣି ସେଥିରୁ ଅଧିକାଂଶ ନିର୍ମାଣ ହେଉଥିଲା ସରକାରୀ ଉଦ୍ୟୋଗରେ। କୌତୂହଳର ବିଷୟ ହେଉଛି, ୧୯୭୦ ଦଶକରେ ଉତ୍ପାଦିତ ପ୍ରତ୍ୟେକ ଟେଲିଭିଜନ୍ ବ୍ରାଣ୍ଡ୍ ବୈଷୟିକ ଭାବେ ଅନ୍ୟ ବ୍ରାଣ୍ଡ୍ଠାରୁ ଭଲ ବୋଲି ଦାବି କରୁଥିଲେ। ସେ କାଳର ଟେଲିଭିଜନ୍ ସେଟ୍ଗୁଡ଼ିକ ମଧ୍ୟରୁ ଖ୍ୟାତି ଅର୍ଜନ କରିଥିବା କେତୋଟି ହେଉଛନ୍ତି, କୋଣାର୍କ, ଡାୟାେନାରା, ଅପ୍ଟ୍ରନ୍, ୱେବେଲ୍, ଓନିଡା ଓ ଇସିଟିଭି। ଏବେ ଏସବୁ ବ୍ରାଣ୍ଡ୍ ଆଉ ବଜାରରେ ନାହିଁ। ଆଜିକା ଲୋକଙ୍କ ପାଇଁ ପାଲଟିଛନ୍ତି ଇତିହାସ।
କୋଣାର୍କ: କେବଳ ନିଜ ରାଜ୍ୟ ନୁହେଁ ସମଗ୍ର ଭାରତରେ ସୁନାମ ଅର୍ଜନ କରିଥିଲା ୧୯୭୩ରେ ଓଡ଼ିଶା ସରକାରଙ୍କ ନିଜସ୍ବ ଉଦ୍ୟୋଗ ‘କୋଣାର୍କ ଟେଲିଭିଜନ୍ ଲିମିଟେଡ୍’ରୁ ଉତ୍ପାଦିତ ‘କୋଣାର୍କ ଟିଭି’। ସୁଲଭ ମୂଲ୍ୟ ଓ ଉନ୍ନତ ମାନର ଏହି ଟେଲିଭିଜନ୍ ସେଟ୍ ସେତେବେଳେ ‘ଅପ୍ଟ୍ରନ୍’ ଓ ‘ଇସିଟିଭି’ ଭଳି ଅନ୍ୟାନ୍ୟ ସରକାରୀ ଏବଂ ‘ନେଲ୍କୋ’, ‘ୱେଷ୍ଟନ୍’ ଓ ‘ଡାୟାନୋରା’ ଆଦି ବେସରକାରୀ କମ୍ପାନି ନିର୍ମିତ ଟେଲିଭିଜନ୍ ସେଟ୍ ଠାରୁ ବାରି ହୋଇପଡୁଥିଲା ସବୁଠାରୁ ଲୋକପ୍ରିୟ ଥିଲା କୋଣାର୍କର କଳାଧଳା ଟିଭି ‘ରୋହିଣୀ ଡିଲକ୍ସ’। ପରେ ଏହାର ରଙ୍ଗିନ ଟିଭି ‘ପୁଷ୍ପାଞ୍ଜଳି ଡିଲକ୍ସ’ ମଧ୍ୟ ଲୋକପ୍ରିୟ ହୋଇଥିଲା। ଲାଭଦାୟକ ସଂସ୍ଥା ଥିବା କୋଣାର୍କ ଟିଭି ସମୟକ୍ରମେ କ୍ଷତିରେ ଚାଲି ୧୯୯୦ ଦଶକ େଶଷ ଆଡ଼କୁ ବନ୍ଦ ହୋଇଯାଇଥିଲା। ଭୁବନେଶ୍ବରର ରସୁଲଗଡ଼ ଶିଳ୍ପାଞ୍ଚଳ ଓ ମଞ୍ଚେଶ୍ବର ଶିଳ୍ପାଞ୍ଚଳରେ ଥିଲା ଏହାର ଉତ୍ପାଦନ କେନ୍ଦ୍ର।
ଡାୟାନୋରା: ତାମିଲନାଡୁ ଶିଳ୍ପ ଉନ୍ନୟନ ନିଗମ ଓ ଉଦ୍ୟୋଗୀ ଓବୁଲ୍ ରେଡ୍ଡୀଙ୍କ ମିଳିତ ପ୍ରୟାସ ଦ୍ବାରା ସଂସ୍ଥାପିତ କମ୍ପାନି ‘ଡାଇନାଭିଜନ୍’ରୁ ୧୯୭୫ରେ ‘ଡାୟାନୋରା’ ଟେଲିଭିଜନ୍ ସେଟ୍ ଉତ୍ପାଦନ ଆରମ୍ଭ ହୋଇଥିଲା। କିଛି ବର୍ଷ କଳାଧଳା ଟେଲିଭିଜନ୍ ସେଟ୍ ଉତ୍ପାଦନ କରିବା ପରେ ୧୯୮୨ରେ ‘ଡାୟାନୋରା’ ରଙ୍ଗିନ ଟେଲିଭିଜନ୍ ସେଟ୍ ଶୁଭାରମ୍ଭ କଲା। ସେ ସମୟରେ ବିଜ୍ଞାପନ ଆଦି ଦେଇ ଏହା ଖୁବ୍ ଲୋକପ୍ରିୟ ବ୍ରାଣ୍ଡ୍ ଭାବେ ପରିଗଣିତ ହୋଇଥିଲା।
ୱେବେଲ୍: ପଶ୍ଚିମବଙ୍ଗ ସରକାରଙ୍କ ପରିଚାଳିତ ୱେଷ୍ଟ୍ବେଙ୍ଗଲ୍ ଇଲେକ୍ଟ୍ରୋନିକ୍ସ ଇଣ୍ଡଷ୍ଟ୍ରଜ୍ ଡେଭ୍ଲପ୍ମେଣ୍ଟ୍ କର୍ପୋରେସନ୍ ଲିମିଟେଡ୍ (ୱେବେଲ୍) ମଧ୍ୟ ଟେଲିଭିଜନ୍ ନିର୍ମାଣ କରୁଥିଲା। ୱେବେଲ୍ କଳାଧଳା ଓ ରଙ୍ଗିନ ଟେଲିଭିଜନ୍ ସେଟ୍ ବଜାରକୁ ଛାଡୁଥିଲା। ଏହା ମୁଖ୍ୟତଃ ପଶ୍ଚିମବଙ୍ଗରେ ଅଧିକ ବିକ୍ରି ହେଉଥିଲା। କୋଲ୍କାତାର ସଲ୍ଟ୍ ଲେକ୍ ଅଞ୍ଚଳରେ ଏହାର କାରଖାନା ସ୍ଥାପନ କରାଯାଇଥିଲା।
ଟେଲିଭିସ୍ତା: ଦିଲ୍ଲୀର ଓଖ୍ଲା ଶିଳ୍ପାଞ୍ଚଳରୁ ବେସରକାରୀ କମ୍ପାନି ‘ଟେଲିଭିସ୍ତା ଇଲେକ୍ଟ୍ରୋନିକ୍ସ୍ ପ୍ରାଇଭେଟ୍ ଲିମିଟେଡ୍’ ଦ୍ବାରା ୧୯୭୨ରେ ଆତ୍ମପ୍ରକାଶ କରିଥିବା ଅନ୍ୟତମ ଭାରତୀୟ ଟେଲିଭିଜନ୍ ସେଟ୍ ‘ଟେଲିଭିସ୍ତା’ ଚମତ୍କାର ଚିତ୍ର ଓ ସ୍ପଷ୍ଟ ଶବ୍ଦ ନିମନ୍ତେ ସୁଖ୍ୟାତି ଅର୍ଜନ କରିଥିଲା। ପ୍ରଥମତଃ ଉନ୍ନତ ମାନର ହୋଇଥିବାରୁ ଏବଂ ଅସୁବିଧା ବେଳେ ଗ୍ରାହକମାନଙ୍କୁ ତ୍ବରିତ ସେବା ଯୋଗାଉଥିବାରୁ ଏହା ସେତେବେଳେ ଟେଲିଭିଜନ୍ର ପରିଭାଷା ହୋଇଯାଇଥିଲା। ଦୁଃସାହସିକ ବିପଣନ ନୀତି ଅବଲମ୍ବନ କରି ଏହା ଲୋକପ୍ରିୟ ହେବା ସହିତ ବଜାରରେ ବିଶେଷ ଚାହିଦା ସୃଷ୍ଟି କରିଥିଲା।
ଅପ୍ଟ୍ରନ୍: ଉତ୍ତରପ୍ରଦେଶ ରାଜ୍ୟ ସରକାରଙ୍କ ମାଲିକାନାରେ ଥିବା କମ୍ପାନି ‘ଅପ୍ଟ୍ରନ୍ ଇଣ୍ଡିଆ ଲିମିଟେଡ୍’ (କାନପୁର) ଦ୍ବାରା ଉତ୍ପାଦିତ ଟେଲିଭିଜନ୍ ସେଟ୍ ‘ଅପ୍ଟ୍ରନ୍ ଟିଭି’ ୧୯୭୬ରେ ବଜାରକୁ ପ୍ରବେଶ କରିଥିଲା। ଏହି ଟେଲିଭିଜନ୍ର ସୁଇଚ୍ ଅନ୍ କରି ଉଦ୍ଘାଟନ କରିଥିଲେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ହେମବତୀ ନନ୍ଦନ ବହୁଗୁଣା। ଏହା ଥିଲା ଉତ୍ତରପ୍ରଦେଶ ଇଲେକ୍ଟ୍ରୋନିକ୍ସ୍ କର୍ପୋରେସନ୍ର ଏକ ୟୁନିଟ୍। ପ୍ରାୟ ୨୨୦୦ କର୍ମଚାରୀଙ୍କୁ ନେଇ ଚାଲୁଥିବା ଏହି କମ୍ପାନିର ଟେଲିଭିଜନ୍ ବ୍ରାଣ୍ଡ୍ ମଧ୍ୟ ଖୁବ୍ ଆଦୃତ ହୋଇଥିଲା।
ଓନିଡା: ଏକଦା ଭାରତରେ ଓନିଡା ଟେଲିଭିଜନ୍ ସେଟ୍ ଯେତିକି ଲୋକପ୍ରିୟ ଥିଲା ‘ମାଲିକଙ୍କ ଗୌରବ, ପଡ଼ୋଶୀଙ୍କ ଈର୍ଷା’ କହି ତା’ର ବିଜ୍ଞାପନ କରୁଥିବା ‘ଦାନବ’ ମଧ୍ୟ ସେତିକି ଲୋକପ୍ରିୟ ଥିଲା। ମୁମ୍ବାଇ ଅନ୍ତର୍ଗତ ଅନ୍ଧେରୀରେ ସଂସ୍ଥାପିତ ‘ଏମ୍ଆଇଆର୍ସି ଇଲେକ୍ଟ୍ରୋନିକ୍ସ୍’ କମ୍ପାନି ଦ୍ବାରା ଏହି ଟେଲିଭିଜନ୍ ସେଟ୍ ପ୍ରଥମେ ବଜାରକୁ ଆସିଥିଲା। ଦେଶର ଅନ୍ୟତମ ସଫଳ ବ୍ରାଣ୍ଡ୍ ଭାବେ ଅଭିହିତ ‘ଓନିଡା’ର କେବଳ ୧୯୯୮ରେ ବିକ୍ରି ହୋଇଥିଲା ୪୫୦,୦୦୦ରୁ ଅଧିକ ସେଟ୍।
ଇସିଟିଭି: ରଙ୍ଗିନ ଟେଲିଭିଜନ୍ ସେଟ୍ ‘ଇସିଟିଭି’ ହେଉଛି ସ୍ବଦେଶରେ ନିର୍ମିତ ଅନ୍ୟତମ ହାଇ-ଟେକ୍ ଇଲେକ୍ଟ୍ରୋନିକ୍ ଉପକରଣ। ଅବଶ୍ୟ ପ୍ରଥମେ ଏହାର କଳାଧଳା ଟେଲିଭିଜନ୍ ସେଟ୍ ବଜାରକୁ ଆସିଥିଲା। କେନ୍ଦ୍ର ସରକାରଙ୍କ ଉପକ୍ରମ ‘ଇଲେକ୍ଟ୍ରୋନିକ୍ସ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ୍’ ଦ୍ବାରା ଉତ୍ପାଦିତ ଏହି ଟେଲିଭିଜନ୍ ସେଟ୍ ୧୯୭୦ ଦଶକ ଶେଷ ଏବଂ୧୯୮୦ ଦଶକର ଆଦ୍ୟ ଭାଗରେ ଟେଲିଭିଜନ୍ ବଜାରରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ‘ସଲିଡ୍ ଷ୍ଟେଟ୍’ ଟିଭି ସେଟ୍ ମଧ୍ୟ ପ୍ରଥମେ ‘ଇଲେକ୍ଟ୍ରୋନିକ୍ସ୍ କର୍ପୋରେସନ୍’ ନିର୍ମାଣ କରିଥିଲା।