ଆଜି ‘ବିଶ୍ବ ଟେଲିଭିଜନ୍‌ ଦିବସ’ ପାଳନ କରାଯାଉଛି। ଏହା ଟେଲିଭିଜନ୍‌ର ଅଦ୍ଭୁତ ଶକ୍ତି ଓ ଆମ ଜୀବନରେ ତାହାର ସୁଦୂରପ୍ରସାରୀ ପ୍ରଭାବ ସମ୍ପର୍କରେ ଆମକୁ ଅବଗତ କରାଇବାର ଏକ ଅବସର। କଳା-ଧଳା ଟିଭିଠାରୁ ଆରମ୍ଭ କରି ବର୍ତ୍ତମାନର ଏଚ୍‌ଡି ଓ ୪କେ ଅଲ୍‌ଟ୍ରା ଏଚ୍‌ଡି ପରଦା ଯାଏ, ପୃଥିବୀକୁ ଦେଖିବା ଓ ଜାଣିବାର ପ୍ରକ୍ରିୟାରେ ଟେଲିଭିଜନ୍‌ ବୈପ୍ଳବିକ ପରିବର୍ତ୍ତନ ଆଣିଛି। ଶିକ୍ଷା, ମନୋରଞ୍ଜନ ଓ ଯୋଗାଯୋଗର ଏହା ଏକ ଶକ୍ତିଶାଳୀ ଉପକରଣ ପାଲଟିଛି। ପୂର୍ବରୁ ଅନ୍ୟ କୌଣସି ମାଧ୍ୟମ କେବେ ବିଶ୍ବ ସହ ଆମକୁ ଏପରି ସଂଯୋଗ କରିବାରେ ସମର୍ଥ ହୋଇନଥିଲା।

Advertisment

ଟେଲିଭିଜନ ଆମକୁ ଅନ୍ୟମାନଙ୍କ ଜୀବନରୁ ଶିଖିବା, ବଢ଼ିବା ଓ ଅନୁପ୍ରାଣିତ ହେବା ପାଇଁ ସୁଯୋଗ ଦେଇଛି। ୧୯୯୬ ମସିହା ନଭେମ୍ବର ୨୧ ତାରିଖରେ ପ୍ରଥମ ବିଶ୍ବ ଟେଲିଭିଜନ୍‌ ମଞ୍ଚ ଆରମ୍ଭ ହୋଇଥିଲା, ଯେଉଁଥିରେ ଜାତିସଂଘର ନେତାମାନେ ସ୍ବୀକାର କରିଥିଲେ ଯେ ଟେଲିଭିଜନ୍‌ ବିଭିନ୍ନ ବିବାଦର ଦୃଷ୍ଟି ଆକର୍ଷଣ କରିପାରେ, ଶାନ୍ତି ଓ ସୁରକ୍ଷା ପ୍ରତି ଦେଖାଦେଉଥିବା ବିପଦ ସମ୍ପର୍କରେ ସଚେତନତା ବୃଦ୍ଧି କରିପାରେ ଏବଂ ସର୍ବୋପରି ସାମାଜିକ ଓ ଆର୍ଥିକ ପ୍ରସଙ୍ଗ ଉପରେ ଗୁରୁତ୍ବାରୋପ କରିପାରେ। ବିଶ୍ବ ରାଜନୀତିରେ ମଧ୍ୟ ଟେଲିଭିଜନ୍‌ର ଉପସ୍ଥିତି ଓ ପ୍ରଭାବ ଉଲ୍ଲେଖନୀୟ। ତେଣୁ ସେହି ଦିବସକୁ ସ୍ମରଣୀୟ ରଖିବା ପାଇଁ ମିଳିତ ଜାତିସଂଘର ସାଧାରଣ ପରିଷଦର ଆହ୍ବାନ କ୍ରମେ ସେବେ ଠାରୁ ପ୍ରତି ବର୍ଷ ଟେଲିଭିଜନ୍‌ ଦିବସ ପାଳିତ ହୋଇ ଆସୁଛି। ଚଳିତବର୍ଷ ଏହି ଦିବସ ପାଳନର ପ୍ରସଙ୍ଗ ରହିଛି ‘ଉପଲବ୍‌ଧତା’। ଟିଭି ସମସ୍ତଙ୍କ ପାଖରେ ପହଞ୍ଚାଇବାର ପ୍ରତିବଦ୍ଧତା ଉପରେ ଏହା ଗୁରୁତ୍ବାରୋପ କରୁଛି।