ଏକଦା ଭାରତରେ ବହୁ ପରାକ୍ରମୀ ଏବଂ ବିଭବଶାଳୀ ରାଜା ଓ ସମ୍ରାଟ ରାଜୁତି କରୁଥିଲେ। କୁହାଯାଏ, ସେମାନଙ୍କ ମଧ୍ୟରୁ ଅନେକ ଦେଶର କେତେକ ପ୍ରାନ୍ତରେ ଗୁପ୍ତଧନ ରଖିଯାଇଛନ୍ତି। ବିହାରର ପ୍ରାଚୀନ ନାଳନ୍ଦା ଜିଲ୍ଲାରେ ଥିବା ଏକ ରହସ୍ୟମୟ ଗୁମ୍ଫାରେ ପ୍ରଚୁର ଗୁପ୍ତଧନ ପୋତାହୋଇ ରହିଛି ଏବଂ ତାହା ରାଜା ବିମ୍ବିସାରଙ୍କର ବୋଲି କିଂବଦନ୍ତି ରହିଛି।
ଇତିହାସ କହେ, ଖ୍ରୀଷ୍ଟପୂର୍ବ ୫୪୦ରେ ବିମ୍ବିସାର ଥିଲେ ମଗଧ ସାମ୍ରାଜ୍ୟର (ସମ୍ପ୍ରତି ବିହାର) ଜଣେ ଅତ୍ୟନ୍ତ ବିଭବଶାଳୀ ରାଜା। କିନ୍ତୁ, ବୌଦ୍ଧଧର୍ମ ଗ୍ରହଣ କରିବା ପରେ ସେ ବିଷୟବାସନା ପ୍ରତି ବୀତସ୍ପୃହ ହୋଇଗଲେ। ଧନସମ୍ପଦ ପ୍ରତି ତାଙ୍କର ଆଗ୍ରହ ରହିଲା ନାହିଁ ଏବଂ ଅତ୍ୟଧିକ ଧନ ତାଙ୍କୁ ବୋଝ ପରି ମନେହେଲା। ସେ ତାଙ୍କ ସମ୍ପଦର ବହୁଳାଂଶ ଗରିବ ଓ ଅସହାୟମାନଙ୍କୁ ଦାନ କରିଦେବାରୁ ତାଙ୍କ ପୁଅ ଅଜାତଶତ୍ରୁ ବଡ଼ ଉଦ୍ବିଗ୍ନ ହୋଇପଡ଼ିଲେ। ସେ ଥିଲେ ବିପରୀତ ମନୋଭାବସମ୍ପନ୍ନ। ବିମ୍ବିସାରଙ୍କୁ ସମ୍ପଦ ଦାନକରିବାରୁ କ୍ଷାନ୍ତକରାଇ ସେ ନିଜେ ସବୁ ସମ୍ପତ୍ତି ବିଶେଷକରି, ସ୍ବର୍ଣ୍ଣ ଅକ୍ତିଆର କରିବାକୁ ସ୍ଥିରକଲେ। ତାଙ୍କର ଉତ୍ତରାଧିକାର କ୍ଷୁଣ୍ଣ ହେଉଛି ବିଚାରି ସମ୍ପଦ ହାସଲ କରିବା ଲାଗି ପିତା ବିମ୍ବିସାରଙ୍କୁ ସିଂହାସନଚ୍ୟୁତ କରି କରାଗାରରେ ରଖି ଶେଷରେ ହତ୍ୟାକଲେ। କିନ୍ତୁ, ସେ ଅକ୍ତିଆର କରିବା ଆଗରୁ ବିମ୍ବିସାର ସ୍ବର୍ଣ୍ଣ ଓ ଅନ୍ୟାନ୍ୟ ଧନସଂପଦ ଗୋଟାଏ ନିରାପଦ ସ୍ଥାନରେ ଲୁଚାଇ ଦେଇଥିଲେ।
ରହସ୍ୟମୟ ଗୁମ୍ଫାରେ ଗୁପ୍ତଧନ
ସ୍ଥାନୀୟ କିଂବଦନ୍ତି ଅନୁସାରେ ନାଳନ୍ଦାର ପ୍ରାଚୀନ ରାଜଗିର ନଗରୀରେ ଗୁମ୍ଫାଟିଏ ନିର୍ମାଣ କରାଇ ରାଜା ବିମ୍ବିସାରଙ୍କ ଗୁପ୍ତଧନ ଲୁଚାଇ ରଖାଯାଇଛି। ଶହ ଶହ ବର୍ଷ ହେବ ଗୁମ୍ଫାଟି ବନ୍ଦ ରହିଛି ଏବଂ ଏହାକୁ ଖୋଲିବାକୁ ସମସ୍ତ ଉଦ୍ୟମ ବିଫଳ ହୋଇଛି। ଫଳରେ ବିମ୍ବିସାରଙ୍କ ଗୁପ୍ତଧନ ହାସଲ କରିବା ସମ୍ଭବ ହୋଇନାହିଁ।
ଖ୍ରୀଷ୍ଟପୂର୍ବ ୫୪୪ରୁ ୪୧୩ ପର୍ଯ୍ୟନ୍ତ ରାଜୁତି କରୁଥିବା ରାଜା ବିମ୍ବିସାର ବୌଦ୍ଧଧର୍ମ ଗ୍ରହଣ କରି ତାଙ୍କର ଧନ ସମ୍ପତ୍ତି ଗରିବମାନଙ୍କୁ ବାଣ୍ଟିଦେବାରୁ ପୁତ୍ର ଅଜାତଶତ୍ରୁ ଅସନ୍ତୁଷ୍ଟ ହେଲେ। କିନ୍ତୁ, ଅଜାତଶତ୍ରୁ ଧନ-ସିନ୍ଦୁକ ଅକ୍ତିଆର କରିବା ଆଗରୁ ବିମ୍ବିସାରଙ୍କ ପତ୍ନୀ ପୁଅର ମନ୍ଦ ଉଦ୍ଦେଶ୍ୟ ଜାଣି ଗୁପ୍ତରେ ତାହାକୁ ବୈରଦେବନ ନାମରେ ଜଣେ ଜୈନ ସନ୍ଥଙ୍କୁ ହସ୍ତାନ୍ତର କରିଦେଲେ। ସମ୍ପଦ ସାଇତି ରଖିବା ଲାଗି ଜୈନ ମୁନି ବୈରଦେବନ ହିଁ ଉପଯୁକ୍ତ ବ୍ୟକ୍ତି ବୋଲି ତାଙ୍କର ଦୃଢ଼ ବିଶ୍ବାସ ଥିଲା। ସ୍ବର୍ଣ୍ଣ ଓ ଅନ୍ୟାନ୍ୟ ମୂଲ୍ୟବାନ୍ ସାମଗ୍ରୀ ବ୍ୟତିରେକେ ରାଣୀ ସେ ସନ୍ଥଙ୍କୁ ନିଜର ଅଳଙ୍କାର ବି ଦେଇ ଦେଇଥିଲେ। ତାହା ମଧ୍ୟ ବିମ୍ବିସାରଙ୍କ ଗୁପ୍ତଧନ ସହିତ ଅଛି ବୋଲି କୁହାଯାଏ। ସନ୍ଥ ବୈରଦେବନ ଗୋଟାଏ ଗୁମ୍ଫାରେ ଉକ୍ତ ସମ୍ପଦ ଲୁଚାଇ ଦୁଆରେ କୁହୁକ ତାଲା ପକାଇ ଦେଲେ ବା ଦ୍ବାର ମୁଦିଦେଲେ। ଲୋକଙ୍କର ବିଶ୍ବାସ, ଦୁଇଟି କୃତ୍ରିମ ଗୁମ୍ଫା ସୋନ୍ ଓ ଭଣ୍ଡାରରେ ବିମ୍ବିସାରଙ୍କ ସେ ଗୁପ୍ତଧନ ସାଇତା ହୋଇ ରହିଛି। ସେ ଗୁମ୍ଫା ରାଜଗିରର ବୈଭାର ପର୍ବତର ପାଦଦେଶରେ ଖୋଦିତ।
ଶହ ଶହ ବର୍ଷ ଧରି ଖୋଜାଚାଲିଛି
ସେ ଗୁମ୍ଫା ମଧ୍ୟରେ ସମ୍ଭବତଃ ମହଣ ମହଣ ସୁନା, ଅଳଙ୍କାର ଓ ମୂଲ୍ୟବାନ୍ ରତ୍ନ ପରିପୂର୍ଣ୍ଣ ଗୁପ୍ତ ପ୍ରକୋଷ୍ଠ ରହିଛି! ଅନେକ ଶତାବ୍ଦୀ ଧରି ଲୁଚାଇ ରଖାଯାଇଥିବା ବିମ୍ବିସାରଙ୍କ ଗୁପ୍ତଧନ ଖୋଜି ବାହାର କରିବା ଲାଗି ବହୁ ଉଦ୍ୟମ କରାଯାଇଛି। ଗୁପ୍ତଧନ ଅନ୍ବେଷଣକାରୀ, ଐତିହାସିକ, ଆକ୍ରମଣକାରୀ- ଏପରିକି ମୋଗଲ ଓ ବ୍ରିଟିସ୍ମାନେ ବି ଏହାକୁ ଖୋଲିବାକୁ ଉଦ୍ୟମ କରି ବିଫଳ ହୋଇଛନ୍ତି। ଶହ ଶହ ବର୍ଷ ଅତିବାହିତ ହୋଇ ଯାଇଥିଲେ ବି କେହି ସେ ଗୁମ୍ଫାର ଦ୍ବାର ଖୋଲିବାକୁ ସମର୍ଥ ହୋଇ ନାହାନ୍ତି। ସେ ସମ୍ପଦ ଉଦ୍ଧାର କରିବା ଆଶାରେ ବ୍ରିଟିସ୍ ଶାସକମାନେ ଗୋଟାଏ ଗୁପ୍ତ ପ୍ରକୋଷ୍ଠ ଉପରେ ତୋପ ଚଳାଇଥିଲେ। କିନ୍ତୁ, ସେ ରହସ୍ୟମୟ ଦ୍ବାରରେ ଖାଲି କଳାଦାଗଟିଏ ପଡ଼ିଗଲା ସିନା ଉଦ୍ୟମ ବୃଥା ହେଲା। ସେ କଳାଦାଗକୁ ଆଜିଯାଏ ପର୍ଯ୍ୟଟକମାନେ ଦେଖୁଛନ୍ତି।
ମନ୍ତ୍ରରେ ଖୋଲିବ ଗୁମ୍ପା ଦ୍ବାର
ଗୁମ୍ଫାର ଗୋଟାଏ କାନ୍ଥରେ ଦ୍ବାର ସଦୃଶ ଦିଶୁଥିବା ଖୋଦେଇ ଚିହ୍ନ ଅଛି। କିଂବଦନ୍ତି କହେ, ତାହା ହେଉଛି କୁହୁକ ତାଲା ଦ୍ବାରା ବନ୍ଦ କରାଯାଇଥିବା ପ୍ରବେଶ ଦ୍ବାର। ତା’ ପାଖକୁ ଖୋଦେଇ ହୋଇଛି କିଛି ଲେଖା। ତାହା ହେଉଛି ଦ୍ବାରା ଖୋଲାଯିବାର ଗୁପ୍ତମନ୍ତ୍ର, ଯାହାକୁ ଆମେ ଏବେକାର ‘ପାସ୍-ୱାର୍ଡ’ ଆଖ୍ୟା ଦେଇପାରିବା। କିନ୍ତୁ, ସେ ଲେଖା ପଢ଼ି ତା’ର ମର୍ମ କ’ଣ ବୁଝିବାକୁ ଏଯାବତ୍ କେହି ସମର୍ଥ ହୋଇନାହାନ୍ତି। ଅନେକ ବ୍ୟକ୍ତି ଉକ୍ତ କୁହୁକୀୟ କୋଡ୍ୱାଡ୍ର ସନ୍ଧାନ କରିବାକୁ ବହୁ ଉଦ୍ୟମ କରି ବିଫଳ ହେଉଛନ୍ତି। କେତେକଙ୍କର ଦୃଢ଼ ବିଶ୍ବାସ ଗୁମ୍ଫା କାନ୍ଥରେ ଲେଖାଥିବା ମନ୍ତ୍ରକୁ ଯଦି କେହି ବୁଝିପାରେ ସେମାନେ ଗୁମ୍ଫାର ଦ୍ବାର ଖୋଲିବାରେ ସଫଳ ହେବେ। ମାତ୍ର ଉକ୍ତ ଶିଳାଲେଖ ଏମିତି ବିଶେଷ ଅକ୍ଷରରେ ଲିଖିତ ଯେ ବୈଜ୍ଞାନିକ ଓ ଗବେଷକମାନେ ବି ତାହାର ଅର୍ଥ ଖୋଜି ପାଉନାହାନ୍ତି। ଆଉ କିଛି ଲୋକେ ବିଶ୍ବାସ କରନ୍ତି କେବଳ ରାଜା ବିମ୍ବିସାର ସେ ଗୁମ୍ଫାରେ ପ୍ରବେଶ କରିବା କୌଶଳ ଜାଣିଥିଲେ। ସେ ଇହଧାମ ଛାଡ଼ିବା ସହ ସେ କୌଶଳ ବି ତାଙ୍କ ସହ ବିଲୁପ୍ତ ହୋଇଯାଇଛି।
କାହାର ସେ ଗୁମ୍ଫା? କିଏ ତା’ର ନିର୍ମାତା?
ରାଜଗିର ନଗରୀରେ ଏମିତି ଅନେକ ଘଟଣା ଘଟିଛି ଯାହା ଦେଶର ଇତିହାସ ଲାଗି ଗୁରୁତ୍ବପୂର୍ଣ୍ଣ ବୋଲି ବିବେଚନା କରାଯାଏ। କୁହାଯାଏ ମଗଧ ସାମ୍ରାଜ୍ୟର ରାଜା ବିମ୍ବିସାରଙ୍କୁ ରାଜଗିରରେ ହିଁ ବୁଦ୍ଧ ପ୍ରବଚନ ଶୁଣାଇଥିଲେ। ପ୍ରତ୍ନତତ୍ତ୍ବବିତ୍ମାନଙ୍କ ମତରେ, ସୋନ ଭଣ୍ଡାର ଗୁମ୍ଫା ତୃତୀୟ ଅଥବା ଚତୁର୍ଥ ଶତାବ୍ଦୀର। ଭାରତରେ ପର୍ବତ କଟାଯାଇ କରାଯାଇଥିବା ପ୍ରାଚୀନ ଗୁମ୍ଫାଗୁଡ଼ିକ ମଧ୍ୟରୁ ଯେତେକ ତିଷ୍ଠି ରହିଛି ତନ୍ମମଧ୍ୟରୁ ଏ ଦୁଇଟି ଅନ୍ୟତମ। ମୌର୍ଯ୍ୟ ଶାସନ କାଳ ଖ୍ରୀଷ୍ଟପୂର୍ବ ୩୧୯ରୁ ୧୮୦ ମଧ୍ୟରେ ଗୁମ୍ଫା ଦୁଇଟି ଖୋଦିତ ହୋଇଥିଲା। ଗୋଟିଏ ଗୁମ୍ଫା ବର୍ଗାକାର ଓ ତାହାର ଛାତ ଶଙ୍କୁ ଆକୃତିର। ଦ୍ବିତୀୟଟି ହେଉଛି ମୁଖ୍ୟ ଗୁମ୍ଫାକୁ ସଂଲଗ୍ନ ହୋଇଥିବା ଆଉ ଏକ ଗୁମ୍ଫା। ତାହାର ବହୁଳାଂଶ ନଷ୍ଟ ହୋଇଯାଇଥିଲେ ବି ସେଥିରେ ସୁନ୍ଦର ସୁନ୍ଦର ଜୈନ ସ୍ଥାପତ୍ୟ ରହିଛି। ସେଥିମଧ୍ୟରୁ ଗୋଟିଏ ଗୁମ୍ଫା ଭିତରେ ଖୋଦିତ ଲେଖାରେ ବର୍ଣ୍ଣନା କରାଯାଇଛି ଯେ ଏ ଗୁମ୍ଫା ସବୁ ଜୈନ ସନ୍ଥ ମୁନି ବୈରଦେବନଙ୍କ ଦ୍ବାରା ସେ ସମୟର ଜୈନ ମୁନିଙ୍କ ନିବାସ ନିମନ୍ତେ ନିର୍ମିତ ହୋଇଥିଲା।