୧୯୯୩ ମସିହା ବସନ୍ତକାଳରେ ଯୁକ୍ତରାଷ୍ଟ୍ର ଆମେରିକା ଅନ୍ତର୍ଗତ ଉତ୍ତର-କେନ୍ଦ୍ରୀୟ ନିୟୁ ମେକ୍ସିକୋର ତାଓସ୍ ସହରରେ ବହୁ ଲୋକ ଏକ ବିଚିତ୍ର ତଥା ରହସ୍ୟମୟ ଶବ୍ଦ ବା ଗୁଞ୍ଜନ ଶୁଣାଯାଉଛି ବୋଲି ଚର୍ଚ୍ଚା କଲେ। ଆଦୌ ବନ୍ଦ ହେଉ ନ ଥିବା ଏକ କ୍ଷୀଣ ସ୍ବର କେଉଁଠୁ ଆସୁଛି ବୋଲି ସମସ୍ତେ ଜାଣିବାକୁ ଚାହିଲେ? କେଉଁଠୁ ଏ ଶବ୍ଦ ଆସୁଛି, କିଏ ସୃଷ୍ଟି କରୁଛି? ଏହା ନିର୍ଦ୍ଧାରଣ କରିବା ଲାଗି ସପ୍ତାହେବ୍ୟାପୀ ଅନୁସନ୍ଧାନ ଚାଲିଲା, କିନ୍ତୁ ସେ ରହସ୍ୟଭେଦ କରି ହେଲାନାହିଁ।
ସତରେ ଘଟଣା କ’ଣ?
ତାଓସ୍ର ବାସିନ୍ଦାଙ୍କ ମଧ୍ୟରୁ କେତେକ ବନ୍ଦ ହେଉ ନ ଥିବା ଏହି ଅତି କ୍ଷୀଣ ଶବ୍ଦକୁ ଶୁଣିପାରୁଥିଲେ, କିନ୍ତୁ ଅନେକ ଏହାକୁ ଧରିପାରୁ ନ ଥିଲେ। କ୍ରମେ ଜନମୁଖରେ ଏହି ରହସ୍ୟମୟ ଶବ୍ଦ ତାଓସ୍ ହମ୍ ବା ତାଓସ୍ ଗୁଞ୍ଜନ ନାମରେ ଅଭିହିତ ହେଲା। ପ୍ରଶ୍ନ ଉଠିଲା, ଏହାକୁ ଅଳ୍ପ କେତେଜଣ ଶୁଣିପାରୁଥିବା ବେଳେ ଅନ୍ୟମାନେ କାହିଁକି ଶୁଣି ପାରୁନାହାନ୍ତି? ତତ୍କାଳୀନ ବ୍ୟାଖ୍ୟାକାରମାନେ ‘ତାଓସ୍ ଗୁଞ୍ଜନ’କୁ ମାନସିକ ଭ୍ରମଠାରୁ ଆରମ୍ଭ କରି ଭ୍ରାନ୍ତ ଧାରଣା ବା ଅନୁଭୂତି ବୋଲି କହିଥିଲେ। ଆହୁରି ଅନେକେ ଯୁକ୍ତି ବାଢ଼ିଥିଲେ ଯେ ପଥରରେ ଛେଚି ହତ୍ୟା କରାଯାଇଥିବା କେତେକ ହିପ୍ପିଙ୍କ ଆତ୍ମା ଏଭଳି ଆର୍ତ୍ତନାଦ କରୁଛନ୍ତି। ପୁଣି କେତେକ ଏହାକୁ ସରକାରଙ୍କ ଗୁପ୍ତ ମସ୍ତିଷ୍କ ନିୟନ୍ତ୍ରଣ ପରୀକ୍ଷା ଓ ଭୂତଳ ୟୁଏଫ୍ଓ ଘାଟିର ଶବ୍ଦ ବୋଲି ବ୍ୟାଖ୍ୟା କଲେ।
ଶୁଣିବାକୁ କେମିତିକା ଏ ଗୁଞ୍ଜନ
ଏହି ଘଟଣା ଚର୍ଚ୍ଚାରେ ରହିବାରୁ ଏହାକୁ ନେଇ ଗବେଷଣା ଓ ଅନୁଧ୍ୟାନ ଆରମ୍ଭ ହେଲା। ମତାମତ ସଂଗ୍ରହରୁ ଜଣାପଡ଼ିଲା, ‘ତାଓସ୍ ଗୁଞ୍ଜନ’ ଲୋକଙ୍କୁ ଭିନ୍ନ ଭିନ୍ନ ପ୍ରକାରରେ ଶୁଭୁଥିଲା। କେତେକ ଏହାକୁ ଚକ୍ର ବୁଲିବା ଶବ୍ଦ କହିଥିବା ବେଳେ ଆଉ କେତେକ ଗୁଣୁଗୁଣୁ ଅଥବା ଭଣଭଣ ଶବ୍ଦ ବୋଲି ପ୍ରକାଶ କରିଥିଲେ। ଆଉ କିଛି ଲୋକ ଏହାକୁ ସିକାଡା ନାମକ ପତଙ୍ଗର ହିସ୍ ହିସ୍, ଜେଟ୍ର ଷ୍ଟ୍ରିମ୍, ଝାଙ୍କେ ମହୁମାଛିଙ୍କ ଗୁଣୁଗୁଣୁ, ଟ୍ରକ୍ର ଥର ଥର ଧ୍ବନି ପରି ଶୁଭୁଥିବା ମଧ୍ୟ ଅନୁଭବ କରିଥିଲେ। ତେବେ ଏ ଶବ୍ଦ ଭିନ୍ନ ଭିନ୍ନ ଲୋକଙ୍କୁ ଭିନ୍ନ ଭିନ୍ନ ପ୍ରକାର ଶୁଭୁଛି କେମିତି? ପୁଣି ଦ୍ବନ୍ଦ୍ବରେ ପକାଉଥିବା କଥାଟି ହେଲା, ଅନ୍ୟ କୌଣସି ଶବ୍ଦ ବା ଧ୍ବନି ହେଉ ନ ଥିବା ସମୟ ଅର୍ଥାତ୍ ପରିବେଶ ନିସ୍ତବ୍ଧ ଥିବାବେଳେ ହିଁ ‘ତାଓସ୍ ଗୁଞ୍ଜନ’ ଶୁଣାଯାଉଥିଲା।
ଗବେଷଣା ତଥ୍ୟାବଳି
‘ତାଓସ୍ ଗୁଞ୍ଜନ’ ଉପରେ ନିୟୁ ମେକ୍ସିକୋ ବିଶ୍ବବିଦ୍ୟାଳୟର ଇଞ୍ଜିନିୟରିଂ ବିଭାଗର ଅବସରପ୍ରାପ୍ତ ପ୍ରଫେସର୍ ଜୋ ମଲିନ୍ସ୍ ଗବେଷଣା କରିଥିଲେ। ସେଥିରୁ ଜଣାପଡ଼ିଥିଲା ଯେ ସହରର ବାସିନ୍ଦାମାନଙ୍କ ମଧ୍ୟରୁ ପ୍ରାୟ ଶତକଡ଼ା ୨ ଭାଗ ଏ ‘ଗୁଞ୍ଜନ’ ଶୁଣିଥିଲେ। ଧ୍ବନି ଓ କମ୍ପନ ମାପିବା ଲାଗି କେତେକ ‘ଗୁଞ୍ଜନ ଶ୍ରୋତା’ଙ୍କ ଘରେ ଉପକରଣ ଖଞ୍ଜାଯାଇଥିଲା। କିନ୍ତୁ, ଉପକରଣ କୌଣସି ଅସ୍ବାଭାବିକ ଶବ୍ଦ ଠାବ କରିପାରି ନ ଥିଲା। ଲସ୍ ଏଲ୍ମସ୍ ନ୍ୟାସ୍ନାଲ୍ ଲାବରେଟରି, ସାଣ୍ଡିଆ ନ୍ୟାସ୍ନାଲ୍ ଲାବରେଟରିଜ୍, ଫିଲିପ୍ସ୍ ଏୟାର୍ ଫୋର୍ସ ଲାବରେଟରି ଓ ମେକ୍ସିକୋ ୟୁନିଭର୍ସିଟି ମିଳିତ ଭାବେ ‘ତାଓସ୍ ଗୁଞ୍ଜନ’ ଉପରେ ଗବେଷଣା କରିଥିଲେ। ତାଓସ୍ ସହରର ୮୦୦୦ ବାସିନ୍ଦାଙ୍କୁ ଏଥିପାଇଁ କରାଯାଇଥିବା ସର୍ଭେରେ ଅନ୍ତର୍ଭୁକ୍ତ କରାଯାଇଥିଲା। ଜଣାପଡ଼ିଲା ଯେ, ସେମାନଙ୍କ ମଧ୍ୟରୁ ମାତ୍ର ୧୬୧ଜଣ ଗୁଞ୍ଜନ ଶୁଣିଛନ୍ତି। ସେମାନେ ବି ଏ ‘ଗୁଞ୍ଜନ’ର ଉତ୍ସ ଠାବ କରିପାରେ ବିଫଳ ହେଲେ। ଜେମ୍ସ୍ କାଓଆନ୍ ନାମରେ ଜଣେ ବିଶେଷଜ୍ଞ ଅନୁସନ୍ଧାନ କରିଥିବା ଅନେକ ରହସ୍ୟମୟ ଗୁଞ୍ଜନ ମଧ୍ୟରୁ ‘ତାଓସ୍ ଗୁଞ୍ଜନ’ ଅନ୍ୟତମ। ୨୦୦୮ରେ ସେ ଜନସ୍ବାସ୍ଥ୍ୟ ସମସ୍ୟା ସଂକ୍ରାନ୍ତ ଆନ୍ତର୍ଜାତିକ ସମ୍ମିଳନୀରେ ଏହାକୁ ‘ଏକ ଅପ୍ରୀତିକର ଶବ୍ଦ’ ଭାବେ ଉପସ୍ଥାପନ କରିଥିଲେ।
ରହସ୍ୟମୟ ଧ୍ବନି
ଲୋକଙ୍କୁ ରହସ୍ୟମୟ ଧ୍ବନି ଶୁଭିବା କିଛି ନୂଆ କଥା ନୁହେଁ କି ତାହା କେବଳ ତାଓସ୍ରେ ଶୁଣାଯାଇ ନ ଥିଲା। ପୃଥିବୀରେ ଏମିତି ଛୋଟବଡ଼ ବେଶ୍ କେତୋଟି ସହର ଅଛି, ଯାହାର ବାସିନ୍ଦାମାନେ ଅଦ୍ଭୁତ ଶବ୍ଦ ଶୁଣିଥିବା କଥା ପ୍ରକାଶ କରିଛନ୍ତି। କେଉଁଠି ଏ ରହସ୍ୟମୟ ଧ୍ବନି ସବୁ ଅତି ଉଚ୍ଚସ୍ବରରେ ଶୁଣାଯାଇଛି ତ କେଉଁଠି ଅତି କ୍ଷୀଣ। ଧ୍ବନିକୁ ଚାହିଁ ସେ ସବୁର ବ୍ୟାଖ୍ୟାନ ବି ସେମିତି କରାଯାଇଛି।
ଯଦିବା ଏସବୁ ରହସ୍ୟମୟ ଧ୍ବନି ମଧ୍ୟରୁ କେତେକ ବୁଝାପଡ଼ିନାହିଁ, ପରିଶେଷରେ ଅନେକ ଧ୍ବନି-ଉତ୍ସ ଠାବ କରାଯାଇଛି। ଦୃଷ୍ଟାନ୍ତ ସ୍ବରୂପ ୨୦୧୨ରେ ବୋର୍ଣ୍ଣିଓର ବାସିନ୍ଦାମାନେ କହିଥିଲେ ଯେ ସେମାନେ ପାହାନ୍ତାରୁ ପ୍ରତ୍ୟୁଷ ପର୍ଯ୍ୟନ୍ତ ଗୋଟାଏ ଅଜବ ଗର୍ଜନ ବା ଘୁଙ୍ଗୁଡ଼ି ଶବ୍ଦ ଶୁଣୁଛନ୍ତି। କ୍ରମାଗତ ଦୁଇ ଦିନ ଧରି ଏହି ଶବ୍ଦ ଶୁଭିବାରୁ ସ୍ଥାନୀୟ ଲୋକେ ଆତଙ୍କିତ ହୋଇଗଲେ। ତଦନ୍ତରୁ ଜଣାପଡ଼ିଲା କି, ଗୋଟାଏ କାରଖାନାରେ ବଏଲର୍ ପରୀକ୍ଷଣ ଯୋଗୁଁ ଏଭଳି ଶବ୍ଦ ଶୁଭୁଥିଲା। ସେମିତି ୨୦୧୪ ଫେବ୍ରୁଆରିରେ ଇଂଲଣ୍ଡ୍ର କୋଭେଣ୍ଟ୍ରି ଆକାଶରେ ସ୍ବଳ୍ପ ସମୟ ପାଇଁ ଅସ୍ବାଭାବିକ ପ୍ରଚଣ୍ଡ ଘଁୁ ଘଁୁ ଶବ୍ଦ ଶୁଭିଲା। ପରେ ଜଣାପଡ଼ିଲା ଆଖିକୁ ଦିଶୁ ନ ଥିବା ଗୋଟାଏ ଉଡ଼ାଜାହାଜ ଉଡ଼ିଯିବା ବେଳେ ଏ ଶବ୍ଦ ଶୁଭିଥିଲା, ଯାହା ଶୁଣି ମାଇଲ୍ ମାଇଲ୍ ବ୍ୟାପୀ ଲୋକେ ଅବାକ୍ ହୋଇଯାଇଥିଲେ।
ଚାକ୍ଷୁଷ ଓ ମାନସିକ ବ୍ୟାଖ୍ୟାନ
ମନୁଷ୍ୟ ନିରନ୍ତର ଧ୍ବନି ପ୍ରାବଲ୍ୟ ମଧ୍ୟରେ ବସବାସ କରୁଛି। କିନ୍ତୁ, ଧ୍ୟାନ ନିବିଷ୍ଟ ନ କଲାଯାଏ ସେ ସମସ୍ତ ଧ୍ବନି ଶୁଣିପାରେ ନାହିଁ। ଯାନବାହାନ ଚଳାଚଳ, ବୋଟ୍, ଉଡ଼ାଜାହାଜ, କୀଟପତଙ୍ଗ, ବଡ଼ ବଡ଼ ମେସିନ୍, ପବନ, ମାଲ୍ବାହୀ ଟ୍ରେନ୍, ଖଣି ଖୋଦନ ଓ ଅନ୍ୟାନ୍ୟ କଳକାରଖାନା ଆଦିରୁ ଅନେକ ପ୍ରକାର ଶବ୍ଦ ଉତ୍ପନ୍ନ ହୁଏ। ତା’ଛଡ଼ା ଆହୁରି କିଛି ସୂକ୍ଷ୍ମାତିସୂକ୍ଷ୍ମ ଉତ୍ସରୁ ବି ବହୁପ୍ରକାର ଧ୍ବନି ଶୁଭେ। ବୈଜ୍ଞାନିକମାନେ କହନ୍ତି, ଆମେ ଲକ୍ଷ୍ୟ ନ କରି ପାରିଲେ ବି ବେଳେ ବେଳେ ଆମ କର୍ଣ୍ଣ ନିଜସ୍ବ ଧ୍ବନି ସୃଷ୍ଟିକରେ। ଲୋକେ ବାହ୍ୟ ଧ୍ବନି ପ୍ରତି ଧ୍ୟାନ ଦେଉଥିବାରୁ ନିଜ କର୍ଣ୍ଣଦ୍ବାରା ଉତ୍ପନ୍ନ ଧ୍ବନି ଶୁଣିପାରନ୍ତି ନାହିଁ। ବିଜ୍ଞାନରେ ଏହାକୁ ‘ସ୍ପୋଣ୍ଟାନିଅସ୍ ଓଟୋଆକଷ୍ଟିକ୍ ଏମିସନ୍’ କୁହାଯାଏ। ଲୋକମାନଙ୍କର ଧାରଣା ଯେ ଯେକୌଣିସି ଧ୍ବନିର ଉତ୍ସ ଠାବ କରିବା ସହଜ, କିନ୍ତୁ ଶବ୍ଦ ଶୁଣିବା ଯେତେ ସହଜ ତା’ର ଉତ୍ସ ଖୋଜିପାଇବା ସେତେ ସହଜ ନୁହେଁ। ଅନେକ ଗବେଷକ ମତ ଦିଅନ୍ତି, ହୁଏତ ‘ତାଓସ୍ ଗୁଞ୍ଜନ’ ଏକପ୍ରକାର ମାନସିକ ବିଭ୍ରାନ୍ତି ହୋଇଥାଇ ପାରେ। କିନ୍ତୁ, ଏଯାବତ୍ କୌଣସି ଗବେଷକ ଏହି ଗୁଞ୍ଜନର କାରଣ ଓ ଉତ୍ସକୁ ନେଇ କୌଣସି ସିଦ୍ଧାନ୍ତରେ ପହଞ୍ଚି ପାରିନାହାନ୍ତି।