ଆଜି ‘ବିଶ୍ବ ଯୁବ କୌଶଳ ଦିବସ’ ପାଳନ କରାଯାଉଛି। ଯୁବକମାନଙ୍କୁ ନିଯୁକ୍ତି, ଉତ୍ତମ କାର୍ଯ୍ୟ ଓ ଉଦ୍ୟମତା ପାଇଁ ଦକ୍ଷତା ପ୍ରଦାନ କରିବାର ରଣନୈତିକ ଗୁରୁତ୍ବକୁ ହୃଦୟଙ୍ଗମ କରିବା ଉଦ୍ଦେଶ୍ୟରେ ମିଳିତ ଜାତିସଂଘର ସାଧାରଣ ପରିଷଦ ୨୦୧୪ ମସିହାରୁ ଜୁଲାଇ ୧୫କୁ ‘ବିଶ୍ବ ଯୁବ କୌଶଳ ଦିବସ’ ରୂପେ ପାଳନ କରିବାକୁ ଘୋଷଣା କରିଥିଲା। ଯୁବବର୍ଗଙ୍କ ସାମର୍ଥ୍ୟକୁ ପରିବର୍ତ୍ତନର ଉତ୍‌ପ୍ରେରକ ଭାବେ ଚିହ୍ନଟ କରିବା ଏବଂ ସମସ୍ତଙ୍କୁ ଏକ ସମୃଦ୍ଧ ତଥା ସ୍ଥାୟୀ ବିଶ୍ବ ନିର୍ମାଣ କରିବା ପାଇଁ ଆବଶ୍ୟକ ଦକ୍ଷତା ଓ ସୁଯୋଗ ପ୍ରଦାନ କରିବା ପାଇଁ ପ୍ରତିବଦ୍ଧ ହେବା ଲାଗି ଏହି ଦିବସ ପାଳନ ଉଦ୍ଦିଷ୍ଟ। ଲକ୍ଷ୍ୟ ହେଉଛି, ଯୁବବର୍ଗଙ୍କ ପାଇଁ ବୈଷୟିକ ଧନ୍ଦାମୂଳକ ଶିକ୍ଷା ଓ ପ୍ରଶିକ୍ଷଣର ବିଶ୍ବସ୍ତରୀୟ ଆହ୍ବାନର ମୁକାବିଲା ନିମନ୍ତେ ସରକାର, ନିଯୁକ୍ତିଦାତା, ଶିଳ୍ପ, ପ୍ରଶିକ୍ଷଣ ପ୍ରଦାନକାରୀ ଓ ଅନ୍ୟ ଅଂଶୀଦାରମାନଙ୍କୁ ପ୍ରୋତ୍ସାହିତ କରିବା। ବିଶେଷ କରି ଏପରି ଏକ ଉଜ୍ଜ୍ବଳ ଭବିଷ୍ୟତର ପରିକଳ୍ପନା କରାଯାଇପାରିବ ଯେଉଁଠି କୌଣସି ଯୁବକ ବାଦ୍‌ ପଡ଼ିବେ ନାହିଁ। ସୁତରାଂ ଯୁବବର୍ଗଙ୍କ ଦକ୍ଷତା ବୃଦ୍ଧି ପାଇଁ ଅଧିକ ସୁଯୋଗ ସୃଷ୍ଟି ସମ୍ପର୍କରେ ଆଲୋଚନା ଆରମ୍ଭ କରିବା ପାଇଁ ଆଜିର ଦିନଟି ହେଉଛି ଉପଯୁକ୍ତ ଅବସର। ଚଳିତବର୍ଷ ଏହି ଦିବସ ପାଳନର ପ୍ରସଙ୍ଗ ରହିଛି ‘ଏକ ପରିବର୍ତ୍ତନଶୀଳ ଭବିଷ୍ୟତ ପାଇଁ ଶିକ୍ଷକ, ପ୍ରଶିକ୍ଷକ ଓ ଯୁବବର୍ଗଙ୍କୁ କୁଶଳୀ କରିବା’।

Advertisment