ମହିଳା ଦିବସରେ ପୁଣେର ପୁରୁଷ ମାତା ଆଦିତ୍ୟଙ୍କୁ ମିଳିିବ ବିଶ୍ବର ସର୍ବଶ୍ରେଷ୍ଠ ମାତୃତ୍ବ ସମ୍ମାନ

ପୁଣେ: କେବଳ ଜଣେ ମହିଳା ହିଁ ଗୋଟେ ସନ୍ତାନର ମା’ ହୋଇ ପାରିବ କି? ଅନେକ ସମୟରେ ଏଭଳି ପ୍ରଶ୍ନ ମନକୁ ଆସିଥାଏ। ପୂର୍ବରୁ କେବଳ ଜଣେ ମହିଳା ଛୋଟ ପିଲାମାନଙ୍କୁ ସମ୍ଭାଳି ପାରିବେ ବୋଲି ଲୋକମାନଙ୍କ ଚିନ୍ତାଧାରା ରହିଥିବା ବେଳେ ସମୟ ସହ ଏଭଳି ଚିନ୍ତାଧାରା ବଦଳିଛି। ଏବେ ମହିଳାମାନଙ୍କ ସହ ପୁରୁଷମାନେ ମଧ୍ୟ ନିଜ ପିଲାମାନଙ୍କୁ ଖୁବ ଭଲ ଭାବରେ ସମ୍ଭାଳି ପାରୁଛନ୍ତି, ଯାହାର ଏକ ଉଦାହରଣ ପୁଣେରେ ଦେଖିବାକୁ ମିଳିଛି।

ନିଜର ପିଲା ନ‌ହୋଇ ମଧ୍ୟ ପୁଣେରେ ରହୁଥିବା ଆଦିତ୍ୟ ତ୍ବିୱାରୀ ୨୦୧୬ରେ ଏକ ଶିଶୁକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଥିଲେ। ଶିଶୁଟି ଡାଉନ ସିଣ୍ଡ୍ରୋମ ନାମକ ଏକ ରୋଗରେ ପୀଡ଼ିତ ଥିବା ଜାଣିବି ଆଦିତ୍ୟ ତାଙ୍କୁ ଗ୍ରହଣ କରିଥିଲେ। ପୋଷ୍ୟ ଭାବ‌େ ଗ୍ରହଣ କରିବା ପରେ ପୁରୁଷ ହୋଇ ମଧ୍ୟ ତା’ର ମା’ ରୂପେ ଖୁବ୍ ଭଲ ଭାବରେ ଶିଶୁଟିର ଦେଖାଶୁଣା କରୁଥିବାରୁ ତାଙ୍କୁ ସମ୍ମାନିତ କରାଯିବ ବୋଲି ଜଣା ପଡ଼ିଛି। ଆଗକୁ ଆନ୍ତର୍ଜାତୀୟ ମହିଳା ଦିବସ ଥିବା ବେଳେ ଆଦିତ୍ୟଙ୍କୁ ବିଶ୍ବର ସର୍ବଶ୍ରେଷ୍ଠ ମାତୃତ୍ବ ସମ୍ମାନ ଦିଆଯିବ। ବେଙ୍ଗାଲୁରୁରେ ଆନ୍ତର୍ଜାତୀୟ ମହିଳା ଦିବସକୁ ନେଇ ହେବାକୁ ଥବା ଏକ ବଡ଼ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ ଦଳଗତ ଆଲୋଚନା(ପ୍ୟାନେଲ ଡିସକସନ)ରେ ଭାଗ ନେବେ ବୋଲି ଜଣା ପଡ଼ିଛି।

indiatimes.com

ଏତେ ବଡ଼ ସମ୍ମାନ ମିଳିବା ପରେ ଆଦିତ୍ୟ ନିଜର ପ୍ରତିକ୍ରିୟା ରଖି କହିଛନ୍ତିି କି, ମୁଁ ବିଶ୍ବର ସର୍ବଶ୍ରେଷ୍ଠ ମାତୃତ୍ବ ସମ୍ମାନ ପାଇ ଆନନ୍ଦିତ ଏବଂ ଜଣେ ବିଶେଷ ଆବଶ୍ୟକତା ଥିବା ପିଲାଟିର ପ୍ରତିପୋଷଣ କରିବାର ଅଭିଜ୍ଞତା ବାଣ୍ଟିବାକୁ ଅପେକ୍ଷା କରିଛି।” ମିଳିଥିବା ସୂଚନା ମୁତାବକ, ଆଦିତ୍ୟ ୨୨ମାସର ଅବିନିଶଙ୍କୁ ଗ୍ରହଣ କରିବା ପରେ ସଫ୍ଟୱେୟାର ଇଞ୍ଜିନିୟରର ଚାକିରି ଛାଡ଼ି ସାରା ଦେଶରେ ଥିବା ସ୍ବତନ୍ତ୍ର ପିଲାମାନଙ୍କ ପିତାମାତାଙ୍କୁ ପରାମର୍ଶ ଦେବା, ମାର୍ଗଦର୍ଶନ କରିବା ଏବଂ ପ୍ରେରଣା ଦେବା କାମ ଆରମ୍ଭ କରିଥିଲେ।

ନିଜ ପୁଅ ଅବିନିଶଙ୍କୁ ନେଇ ଆଦିତ୍ୟ ଏ ପର୍ଯ୍ୟନ୍ତ ୨୨ଟି ରାଜ୍ୟ ଭ୍ରମଣ କରି ସ୍ବତନ୍ତ୍ର ପିଲାମାନଙ୍କ ପିତାମାତାଙ୍କୁ ପରାମର୍ଶ ଦେବା, ମାର୍ଗଦର୍ଶନ କରିବା ଏବଂ ପ୍ରେରଣା ଦେବା କାମ କରି ସାରିଛନ୍ତି। ଏ ପର୍ଯ୍ୟନ୍ତ ବିଶ୍ବର ୧୦,୦୦୦ ମାତା-ପିତାଙ୍କୁ ଆଦିତ୍ୟ ପ୍ରେରଣା ଦେଇ ସାରିଥିବା ଜଣା ପଡ଼ିଛି। ଆମେରିକାରେ ବିଭିନ୍ନ ବୈଠକ କରି ଅନେକ ମାତା-ପିତାଙ୍କୁ ଏଭଳି ସ୍ବତନ୍ତ୍ର ପିଲାମାନଙ୍କୁ ଗ୍ରହଣ କରିବା ନେଇ ପ୍ରେରଣା ଦେଇଥିବା ବେଳେ  ଆହୁରି ଅନେକ ଦେଶ ଯାଇ ଏହି ବାର୍ତ୍ତା ବାଣ୍ଟିବେ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର