ଚୀନ୍ ଏପରି ଏକ ରୋବଟ୍ ବଜାରକୁ ଛାଡ଼ିଛି, ଯାହା ନିଜେ ନିଜର ବ୍ୟାଟେରି ପ୍ୟାକ୍ ପରିବର୍ତ୍ତନ କରି ସପ୍ତାହର ସାତ ଦିନ, ଦିନକୁ ୨୪ ଘଣ୍ଟା ସ୍ୱୟଂଚାଳିତ ଭାବରେ କାମ କରିବାକୁ ସକ୍ଷମ। ଚୀନୀ କମ୍ପାନି ୟୁବିଟେକ୍ ଦ୍ୱାରା ନିର୍ମିତ ‘ଵାକର ଏସ୍୨’ ନାମକ ଏହି ରୋବଟ୍ର ଉଚ୍ଚତା ୫ ଫୁଟ ୩ଇଞ୍ଚ (୧୬୨ ସେଣ୍ଟିମିଟର) ଏବଂ ଓଜନ ୪୩ କିଲୋଗ୍ରାମ। ଦ୍ବୈତ-ବ୍ୟାଟେରି ପ୍ରଣାଳୀରେ ଏହା ୪୮ ଭୋଲ୍ଟର ଲିଥିୟମ୍ ବ୍ୟାଟେରି ବ୍ୟବହାର କରି ଦୁଇ ଘଣ୍ଟା ଚାଲିପାରିବ କିମ୍ବା ଚାରି ଘଣ୍ଟା ଠିଆ ହୋଇପାରିବ।
ବ୍ୟାଟେରି ସରିଯିବା ପରେ ରୋବଟଟି ସମ୍ପୂର୍ଣ୍ଣ ରିଚାର୍ଜ ହେବାକୁ ୯୦ ମିନିଟ୍ ସମୟ ନିଏ। ଏହା ବିଶ୍ବର ପ୍ରଥମ ରୋବଟ୍ ଭାବେ କୌଣସି ମାନବ ଅପରେଟରଙ୍କ ଉପରେ ନିର୍ଭର ନକରି ନିଜେ ହିଁ ନିଜର ବ୍ୟାଟେରି ପ୍ୟାକ୍ ବାହାର କରି ରିଚାର୍ଜ କରିବାକୁ ସକ୍ଷମ। ଏହାର ଗୋଟିଏ ବ୍ୟାଟେରିର ଶକ୍ତି ସରିଗଲେ ରୋବଟ୍ ନିଜର ବ୍ୟାଟେରିକୁ ବଦଳାଇବା ସହ କେତେ ଶକ୍ତି ବଳକା ଅଛି ତାହା ମଧ୍ୟ ଚିହ୍ନଟ କରିବାରେ ସକ୍ଷମ। କାର୍ଯ୍ୟର ପ୍ରାଥମିକତା ଆଧାରରେ ଏହାର ଗୋଟିଏ ବ୍ୟାଟେରିକୁ ବଦଳାଇବା କିମ୍ବା ଚାର୍ଜ କରିବା ସର୍ବୋତ୍ତମ ହେବ ସେ ନିଷ୍ପତ୍ତି ମଧ୍ୟ ରୋବଟ୍ଟି ନିଜେ ନେଇପାରୁଛି।