ଚଳିତ ଜୁଲାଇ ୧୯ ତାରିଖରୁ ଆମେରିକାର ଉତ୍ତର କାଲିଫର୍ଣ୍ଣିଆ ଅନ୍ତର୍ଗତ ସାନ୍‌ଫ୍ରାନ୍ସିସ୍କୋ ଉପସାଗରରେ ବିଶ୍ବର ପ୍ରଥମ ଉଦ୍‌ଜାନ ଚାଳିତ ତରୀ ଯାତ୍ରୀ ପରିବହନ କରିବ ବୋଲି ଜଣାଯାଇଛି। ବିଶ୍ବ ଉତ୍ତପ୍ତୀକରଣ ପାଇଁ ଦାୟୀ ଅଙ୍ଗାରକାମ୍ଳ ବାଷ୍ପ ନିର୍ଗମନ କମାଇବା ଉଦ୍ଦେଶ୍ୟରେ ସମୁଦ୍ରପଥରେ ଡିଜେଲଚାଳିତ ଯାନଗୁଡ଼ିକ ହଟାଇ ଉଦ୍‌ଜାନ ଚାଳିତ ଯାନ ଉପରେ ଗୁରୁତ୍ବାରୋପ କରାଯାଉଛି। ସାନ୍‌ଫ୍ରାନ୍ସିସ୍କୋ ଓ ପିଅର-୪୧ ମଧ୍ୟରେ ପରୀକ୍ଷାମୂଳକ ଭାବେ ଯାତାୟାତ କରିବାକୁ ଥିବା ‘ଏମ୍‌ଭି ସି ଚେଞ୍ଜ୍‌’ ନାମକ ଏହି ପ୍ରଥମ ଉଦ୍‌ଜାନ ଚାଳିତ ତରୀଟିର ଦୈର୍ଘ୍ୟ ହେଉଛି ୨୧ ମିଟର ବା ୭୦ ଫୁଟ ଏବଂ ଏଥିରେ ଏକକାଳୀନ ୭୫ ଜଣ ଯାତ୍ରୀ ଯିବା ପାଇଁ ବ୍ୟବସ୍ଥା ହୋଇଛି। ତେବେ ପ୍ରଥମ ଛଅ ମାସ ଯାଏ ଯାତ୍ରୀମାନେ ମାଗଣାରେ ଏଥିରେ ଯାତାୟାତ କରିପାରିବେ ବୋଲି ଘୋଷଣା କରାଯାଇଛି।

Advertisment

ଏ ପ୍ରକାର ଉଦ୍‌ଜାନ ଚାଳିତ ଯାନର ବିଶେଷତ୍ବ ହେଉଛି ଏଥିରେ ଥିବା ଉଦ୍‌ଜାନ ସେଲ୍‌ଗୁଡ଼ିକ ଅମ୍ଳଜାନ ସହ ମିଶି ବିଦ୍ୟୁତ୍‌ରାସାୟନିକ ପ୍ରକ୍ରିୟାରେ ବିଦ୍ୟୁତ୍‌ ଶକ୍ତି ସୃଷ୍ଟି କରିବ ଏବଂ ବର୍ଜ୍ୟ ଭାବେ ଜଳ ନିର୍ଗମନ ହେବ। ‘ଏମ୍‌ଭି ସି ଚେଞ୍ଜ୍‌’ ଥରେ ଚାର୍ଜ ହେଲେ ତାହା ୧୬ ଘଣ୍ଟା ଧରି କାର୍ଯ୍ୟକ୍ଷମ ରହି ୩୦୦ ନଟିକାଲ୍‌ ମାଇଲ୍‌ ଦୂରତା ଅତିକ୍ରମ କରିପାରିବ। ଏହାଦ୍ବାରା ସାମୁଦ୍ରିକ ଯାନଗୁଡ଼ିକରୁ ନିର୍ଗତ ହେଉଥିବା ଅଙ୍ଗାରକାମ୍ଳ ବାଷ୍ପକୁ ଉଲ୍ଲେଖନୀୟ ଭାବେ ହ୍ରାସ କରାଯାଇପାରିବ ବୋଲି ଆଶା କରାଯାଉଛି।