ବିଭିନ୍ନ ପ୍ରକାର ବୈଜ୍ଞାନିକ ଆବିଷ୍କାରରେ ସୁପର୍‌କମ୍ପ୍ୟୁଟର୍‌ର ଭୂମିକା ଗୁରୁତ୍ବପୂର୍ଣ୍ଣ। ଆଜିକାଲି ପାଣିପାଗ ପରିବର୍ତ୍ତନ ସମ୍ପର୍କରେ ଭବିଷ୍ୟବାଣୀ ଠାରୁ ଆରମ୍ଭ କରି ନୂତନ ଔଷଧ ବିକଶିତ କରିବା ପର୍ଯ୍ୟନ୍ତ କାର୍ଯ୍ୟରେ ଏହି ସୁପର୍‌କମ୍ପ୍ୟୁଟର୍‌ଗୁଡ଼ିକ ଅପରିହାର୍ଯ୍ୟ ହୋଇପଡ଼ିଛନ୍ତି। ଆମେ ଦୈନନ୍ଦିନ ବ୍ୟବହାର କରୁଥିବା ସାଧାରଣ କମ୍ପ୍ୟୁଟର୍‌ ପରି ଏହି ସୁପର୍‌କମ୍ପ୍ୟୁଟର୍‌ଗୁଡ଼ିକର କାର୍ଯ୍ୟଶୈଳୀ ସମାନ ହୋଇଥିଲେ ହେଁ ସେଗୁଡ଼ିକର କାର୍ଯ୍ୟଦକ୍ଷତା ସ୍ତର ବହୁତ ଅଧିକ। ସାଧାରଣ ଡେସ୍କଟପ୍‌ ପିସି କିମ୍ବା ଲାପ୍‌ଟପ୍‌ ପରି ସେମାନେ ବୃହତ୍‌ ତଥ୍ୟ ପ୍ରକ୍ରିୟାକରଣ କରନ୍ତି ଏବଂ ଅବିଶ୍ବସନୀୟ ବେଗରେ ଗଣନା କରନ୍ତି। ସାଧାରଣ ଲାପ୍‌ଟପ୍‌ରେ ଗୋଟିଏ ସିପିୟୁ ଓ ଗୋଟିଏ ଜିପିୟୁ ଥାଇପାରେ, କିନ୍ତୁ ଗୋଟିଏ ସୁପର୍‌କମ୍ପ୍ୟୁଟର୍‌ରେ ହଜାରେରୁ ଅଧିକ ସିପିୟୁ ଓ ଜିପିୟୁ ରହିଥାଏ।

Advertisment

ସୁପର୍‌କମ୍ପ୍ୟୁଟର୍‌ କାର୍ଯ୍ୟଦକ୍ଷତାକୁ ସେକେଣ୍ଡ୍‌ ପିଛା ଫ୍ଳୋଟିଂ ପଏଣ୍ଟ୍‌(ଫ୍ଳପ୍‌ସ) ପରି ଏକ ଗାଣିତିକ ଗଣନା ମାନକରେ ମାପ କରାଯାଏ। ସାଧାରଣ ପିସି ଓ ଲାପ୍‌ଟପ୍‌ଗୁଡ଼ିକର କ୍ଷମତା ସାଧାରଣତଃ କିଛି ଗିଗା(୧୦ର ୯ଘାତ)ଫ୍ଳପ୍‌ସ ହୋଇଥିବା ବେଳେ ଦୁନିଆର ସବୁଠୁ ଶକ୍ତିଶାଳୀ ସୁପର କମ୍ପ୍ୟୁଟର ବର୍ତ୍ତମାନ ଏକ ଏକ୍‌ଜା(୧୦ର ୧୮ ଘାତ)ଫ୍ଳପ୍‌ସ ବିଶିଷ୍ଟ।

ସେଗୁଡ଼ିକର କାର୍ଯ୍ୟଦକ୍ଷତାକୁ ସେକେଣ୍ଡ୍‌ ପିଛା ଫ୍ଳୋଟିଂ ପଏଣ୍ଟ୍‌(ଫ୍ଳପ୍‌ସ) ପରି ଏକ ଗାଣିତିକ ଗଣନା ମାନକରେ ମାପ କରାଯାଏ। ସାଧାରଣ ପିସି ଓ ଲାପ୍‌ଟପ୍‌ଗୁଡ଼ିକର କ୍ଷମତା କିଛି ଗିଗା(୧୦ର ୯ଘାତ)ଫ୍ଳପ୍‌ସ ହୋଇଥିବା ବେଳେ ଦୁନିଆର ସବୁଠୁ ଶକ୍ତିଶାଳୀ ସୁପର କମ୍ପ୍ୟୁଟର ବର୍ତ୍ତମାନ ଏକ ଏକ୍‌ଜା(୧୦ର ୧୮ ଘାତ)ଫ୍ଳପ୍‌ସ ବିଶିଷ୍ଟ। ଏହି ଦକ୍ଷତା ଭିତ୍ତିରେ ବିଶ୍ବରେ ସମ୍ପ୍ରତି କାର୍ଯ୍ୟକ୍ଷମ ଶ୍ରେଷ୍ଠ ୭ଟି ସୁପର୍‌କମ୍ପ୍ୟୁଟର୍‌ ବାବଦରେ ଜାଣିବା। ଏହି କ୍ରମରେ ପ୍ରଥମେ ଆସିବ ଆମେରିକାର ଟେନେସି ସ୍ଥିତ ଓକ୍‌ ରିଜ୍‌ ନାସନାଲ୍‌ ଲାବୋରେଟୋରିରେ ଖଞ୍ଜାଯାଇଥିବା ‘ଫ୍ରଣ୍ଟିଅର ସୁପର୍‌କମ୍ପ୍ୟୁଟର୍‌’। ୨୦୨୨ରେ ପ୍ରଥମେ ଅନ୍‌ଲାଇନ୍‌ରେ ଆସିଥିବା ଏହି ସୁପର୍‌କମ୍ପ୍ୟୁଟର୍‌ର କ୍ଷମତା ହେଉଛି ୧.୨ ଏକ୍‌ଜାଫ୍ଳପ୍‌ସ। ତାହା ପଛକୁ ଆସିବ ଆମେରିକାର ଇଲିନଏସ୍‌ ସ୍ଥିତ ଆର୍ଗୋନ୍‌ ନାସନାଲ୍‌ ଲାବୋରେଟୋରିରେ ଲାଗିଥିବା ‘ଆରୋରା ସୁପର୍‌କମ୍ପ୍ୟୁଟର୍‌’। ୨୦୨୩ ଜୁନ୍‌ରେ ପ୍ରଥମେ ଅନ୍‌ଲାଇନ୍‌ରେ ଉପଲବ୍‌ଧ ହୋଇଥିବା ଏହି ସୁପର୍‌କମ୍ପ୍ୟୁଟର୍‌ର କାର୍ଯ୍ୟଦକ୍ଷତା ହେଉଛି ୦.୫୯ ଏକ୍‌ଜାଫ୍ଳପ୍‌ସ। ସେହିପରି ତୃତୀୟ ସ୍ଥାନରେ ରହିବ ମାଇକ୍ରୋସଫ୍ଟ କମ୍ପାନିର ଆଜ୍ୟୁର୍‌ ତଥ୍ୟ ବଣ୍ଟନ ପ୍ରଣାଳୀରେ ବିନିଯୋଗ ହୋଇଥିବା ‘ଇଗଲ୍‌’ ସୁପର୍‌କମ୍ପ୍ୟୁଟର୍‌। ଏହାର କାର୍ଯ୍ୟଦକ୍ଷତା ହେଉଛି ୦.୫୬ ଏକ୍‌ଜାଫ୍ଳପ୍‌ସ। ଏହି କ୍ରମରେ ଚତୁର୍ଥ ସ୍ଥାନ ଦଖଲ କରିଛି ଜାପାନର କୋବେ ସ୍ଥିତ ରିକେନ୍‌ ସେଣ୍ଟର ଫର କମ୍ପ୍ୟୁଟେସନାଲ୍‌ ସାଇନ୍ସରେ ଲାଗିଥିବା ‘ଫୁଗାକୁ ସୁପର୍‌କମ୍ପ୍ୟୁଟର୍‌’, ଯାହାର କାର୍ଯ୍ୟଦକ୍ଷତା ହେଉଛି ୦.୪୪ ଏକ୍‌ଜାଫ୍ଳପ୍‌ସ।

ତାହା ପଛକୁ ପଞ୍ଚମ ସ୍ଥାନରେ ରହିଛି ଫିନ୍‌ଲାଣ୍ଡର କଜାନି ସ୍ଥିତ ସିଏସ୍‌ସି ଡାଟା ସେଣ୍ଟରରେ ଖଚିତ ‘ଲୁମି ସୁପର୍‌କମ୍ପ୍ୟୁଟର୍‌’। ୨୦୨୧ ଜୁନ୍‌ରେ ପ୍ରଥମ ଥର ପାଇଁ ଅନ୍‌ଲାଇନ୍‌ରେ ଆସିଥିବା ଏହି ସୁପର୍‌କମ୍ପ୍ୟୁଟର୍‌ର କାର୍ଯ୍ୟଦକ୍ଷତା ହେଉଛି ୦.୩୮ ଏକ୍‌ଜାଫ୍ଳପ୍‌ସ। ସେହିପରି ଷଷ୍ଠ ସ୍ଥାନରେ ଆସିବ ଇଟାଲିର ବୋଲୋଗ୍ନା ସ୍ଥିତ ସିନେକା ଡାଟା ସେଣ୍ଟରରେ ଖଞ୍ଜାଯାଇଥିବା ‘ଲିଓନାର୍ଡୋ ସୁପର୍‌କମ୍ପ୍ୟୁଟର୍‌’। ୨୦୨୨ ନଭେମ୍ବରରେ ପ୍ରଥମ କରି ଅନ୍‌ଲାଇନ୍‌ରେ ଉପଲବ୍‌ଧ ଏହି ସୁପର୍‌କମ୍ପ୍ୟୁଟର୍‌ର ଦକ୍ଷତା ହେଉଛି ୦.୨୩ ଏକ୍‌ଜାଫ୍ଳପ୍‌ସ। ସେହିପରି ସପ୍ତମ ଶକ୍ତିଶାଳୀ ସୁପର୍‌କମ୍ପ୍ୟୁଟର୍‌ଟି ହେଉଛି ଆମେରିକାର ଟେନେସି ସ୍ଥିତ ଓକ୍‌ ରିଜ୍‌ ନାସନାଲ୍‌ ଲାବୋରେଟୋରିରେ ଲାଗିଥିବା ‘ସମ୍ମିଟ୍‌ ସୁପର୍‌କମ୍ପ୍ୟୁଟର୍‌’ ଯାହା ୨୦୧୮ ଜୁନ୍‌ରେ ପ୍ରଥମେ ଅନ୍‌ଲାଇନ୍‌ରେ ଉପଲବ୍‌ଧ ହୋଇଥିଲା ଏବଂ ତାହାର କାର୍ଯ୍ୟଦକ୍ଷତା ହେଉଛି ୦.୧୫ ଏକ୍‌ଜାଫ୍ଳପ୍‌ସ।