ନୂଆଦିଲ୍ଲୀ: ବୟସ ହୋଇଗଲେ ଆମ ମଧ୍ୟରୁ ଅଧିକାଂଶ ଲୋକେ ଅବସର ନେବାକୁ ଅପେକ୍ଷା କରୁଥିବା ବେଳେ ଆଉ କିଛି ଲୋକ ଅବସର ଜୀବନକୁ ଆରାମଦାୟକ କରିବାକୁ ଯୋଜନା କରିଥାଆନ୍ତି। ଏହି କ୍ରମରେ ଜଣେ ୯୩ ବର୍ଷିୟ ପ୍ରଫେସର ସନ୍ଥମ୍ମାଙ୍କ ଚିନ୍ତାଧାରା କିନ୍ତୁ ଭିନ୍ନ।
ସନ୍ଥମ୍ମା କହନ୍ତି, ‘ବୟସ କେବଳ ଏକ ଶବ୍ଦ ଏବଂ ଅବସର ଏକ ବିଦେଶୀ ଧାରଣା |’
ସନ୍ଥମ୍ମା ଶିକ୍ଷାଦାନ ପ୍ରତି ନିଜର ରୁଚିକୁ ପୁରଣ କରିବା ପାଇଁ ପ୍ରତିଦିନ ବିଜାଗରୁ ବିଜୟନଗରମ ପର୍ଯ୍ୟନ୍ତ ୬୦ କିଲୋମିଟର ବାଟ ଯାତ୍ରା କରି ଥାଆନ୍ତି। ସେ ଆନ୍ଧ୍ରପ୍ରଦେଶର ସେଞ୍ଚୁରିଅନ୍ ବିଶ୍ବବିଦ୍ୟାଳୟରେ ପଦାର୍ଥ ବିଜ୍ଞାନ ବିଷୟରେ ପିଲାଙ୍କୁ ଶିକ୍ଷା ଦେଇଥାଆନ୍ତି। ତେବେ ସନ୍ଥମ୍ମା ହେଉଛନ୍ତି ବିଶ୍ବର ସବୁଠାରୁ ବୟସ୍କ ପ୍ରଫେସର। ଯିଏକି ୯୩ବର୍ଷ ବୟସରେ ବି ପିଲାଙ୍କୁ ପାଠପଢ଼ାଉଛନ୍ତି।
ପ୍ରଫେସର ସନ୍ଥମ୍ମା ଆନ୍ଧ୍ର ବିଶ୍ବବିଦ୍ୟାଳୟରୁ ପଦାର୍ଥ ବିଜ୍ଞାନରେ ବି.ଏସସି ଅନର୍ସ ଏବଂ ମାଇକ୍ରୋୱେଭ୍ ସ୍ପେକ୍ଟ୍ରୋସ୍କୋପିରେ ଡି.ଏସସି (ପିଏଚଡି ସହିତ ସମାନ) ପ୍ରାପ୍ତ କରିଛନ୍ତି।
ସନ୍ଥମ୍ମା ଦୀର୍ଘତମ ସଫଳ ଜୀବନ ଭିତରେ ଅନେକ ଭୂମିକା ନିଭାଇଛନ୍ତି। କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗରେ ଅଧ୍ୟାପିକା, ପ୍ରଫେସର, ପାଠକ ଏବଂ ଏପରିକି ଅନୁସନ୍ଧାନକାରୀ ରହିଛନ୍ତି।
ପରମାଣୁ ସ୍ପେକ୍ଟ୍ରୋସ୍କୋପି ଏବଂ ଆଣବିକ ସ୍ପେକ୍ଟ୍ରୋସ୍କୋପି ବିଶ୍ଳେଷଣ ପାଇଁ ପ୍ରଫେସର ସନ୍ଥମା ଅନେକ ସମ୍ମାନ ଏବଂ ପୁରସ୍କାର ମଧ୍ୟ ପାଇଛନ୍ତି। ୨୦୧୬ରେ ସେ ସ୍ୱର୍ଣ୍ଣ ପଦକ ମଧ୍ୟ ଜିତିଛନ୍ତି।
ଏତଦ ବ୍ୟତୀତ ସନ୍ଥମ୍ମା ଜଣେ ଲେଖକ । ସେ ପୁରାଣ, ବେଦ ଏବଂ ଉପନିଷଦକୁ ନେଇ ଏକ ପୁସ୍ତକ ଲେଖିଛନ୍ତି । ଯାହାର ଶୀର୍ଷକ ରହିଛି 'ଭଗବଦ୍ ଗୀତା – ଦ ଡିଭାଇନ ଡାଇରେକ୍ଟିଭ’।