ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍ଓ) ପକ୍ଷରୁ ସମଗ୍ର ପୃଥିବୀରେ ଆଜିର ଦିନକୁ ବିଶ୍ବ ସ୍ବାସ୍ଥ୍ୟ ଦିବସ ଭାବେ ପାଳନ କରାଯାଉଛି। ୧୯୪୮ ମସିହା ଏପ୍ରିଲ ୭ରେ ସ୍ଥାପିତ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ୧୯୫୦ ମସିହାରୁ ପ୍ରତି ବର୍ଷ ତାହାର ସ୍ଥାପନା ଦିବସରେ ସାରା ବିଶ୍ବର ଜନସାଧାରଣଙ୍କ ପାଇଁ ଚିନ୍ତାଜନକ ସାଜିଥିବା କୌଣସି ଏକ ନିର୍ଦ୍ଦିଷ୍ଟ ସ୍ବାସ୍ଥ୍ୟ ପ୍ରସଙ୍ଗ ପ୍ରତି ଧ୍ୟାନ ଆକର୍ଷଣ କରି ଆସୁଛି। ଏବର୍ଷ ‘ଡବ୍ଲ୍ୟୁଏଚ୍ଓ’ ତାହାର ହୀରକ ଜୟନ୍ତୀ ପାଳନ କରୁଛି।
ସ୍ବାସ୍ଥ୍ୟ ହିଁ ସମ୍ପଦ ବୋଲି ଶୈଶବାବସ୍ଥାରୁ ଆମେ ପଢ଼ି ଆସିଥିବା ବେଳେ ବ୍ୟସ୍ତବହୁଳ ଜୀବନଶୈଳୀ ଓ ଅନ୍ୟାନ୍ୟ କାରଣରୁ ଆମ ଭିତରୁ ଅନେକ ନିଜର ସ୍ବାସ୍ଥ୍ୟକୁ ଅଣଦେଖା କରିଥା’ନ୍ତି। ସେହିପରି ସ୍ବାସ୍ଥ୍ୟ ଅଧିକାର ଜଣେ ବ୍ୟକ୍ତିର ମୌଳିକ ଅଧିକାର ହୋଇଥିଲେ ହେଁ ସମ୍ପ୍ରତି ବିଶ୍ବ ଜନସଂଖ୍ୟାର ପ୍ରାୟ ଏକ-ତୃତୀୟାଂଶ ଜନସାଧାରଣ ଅତ୍ୟାବଶ୍ୟକ ସ୍ବାସ୍ଥ୍ୟସେବା ପାଇବାରୁ ବଞ୍ଚିତ। ସେଥିପାଇଁ ଆବଶ୍ୟକ ଭିତ୍ତିଭୂମି ଓ ଜନସଚେତନତା ସାଙ୍ଗକୁ ଅନ୍ୟମାନଙ୍କର ସାମଗ୍ରିକ ସହଯୋଗର ଆବଶ୍ୟକତା ରହିଛି। ତେବେ ତାହାକୁ ଦୃଷ୍ଟିରେ ରଖି ‘ଡବ୍ଲ୍ୟୁଏଚ୍ଓ’ ପକ୍ଷରୁ ଚଳିତ ବର୍ଷର ପ୍ରସଙ୍ଗ ରଖଯାଇଛି ‘ସମସ୍ତଙ୍କ ପାଇଁ ସ୍ବାସ୍ଥ୍ୟ’, ଅର୍ଥାତ୍ ସୁନ୍ଦର ସ୍ବାସ୍ଥ୍ୟର ଅତୁଳନୀୟ ମୂଲ୍ୟକୁ ହୃଦୟଙ୍ଗମ କରି ପୃଥିବୀର କୋଣଅନୁକୋଣରେ ସମସ୍ତଙ୍କର ଶାରୀରିକ, ମାନସିକ ତଥା ଭାବଗତ ସୁସ୍ଥତାର ପ୍ରୋତ୍ସାହନ ଦିଗରେ କାମ କରିବା। ଏହାଦ୍ବାରା ଜୀବନଶୈଳୀର ମାନରେ ଉନ୍ନତି ଆଣି ଜଣେ ସୁଖୀ ଜୀବନ ବିତାଇପାରିବ ବୋଲି ‘ଡବ୍ଲ୍ୟୁଏଚ୍ଓ’ ଆଶା ପୋଷଣ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/5654jgjgdgjdjg.jpg)