ସଂଗୀତର ଆରାଧ୍ୟ ଦେବୀ ମା’ ସରସ୍ବତୀଙ୍କ ଆରାଧନା ସଂଗୀତଜ୍ଞମାନେ କରିବା କୌଣସି ନୂଆ କଥା ନୁହେଁ। କିନ୍ତୁ ଭିନ୍ନ ସଂପ୍ରଦାୟର ହୋଇ ମଧ୍ୟ ସରସ୍ବତୀ ଆରାଧନା କରୁଥିବା ସଂଗୀତ ଶିଳ୍ପୀ ଓ ସାଧକ ଯେଉଁ ବିରଳ ପରମ୍ପରାର ମୂଳଦୁଆ ପକାଇଛନ୍ତି, ତାହା ଅନନ୍ୟ। ବିଶ୍ୱପ୍ରସିଦ୍ଧ ତବଲା ବାଦକ ଓସ୍ତାତ୍ ଜାକିର୍‌ ହୁସେନ୍ ଏକଦା କହିଥିଲେ, ସେ ତବଲା ବାଦନ ପୂର୍ବରୁ ଦେବୀ ସରସ୍ୱତୀଙ୍କୁ ଧ୍ୟାନ କରିଥାନ୍ତି। ଜ୍ଞାନ ଓ ସଙ୍ଗୀତର ଦେବୀ ସରସ୍ୱତୀଙ୍କ ଆରାଧନା ନେଇ ତାଙ୍କ ଜୀବନର ଏକ ଅଭୁଲା ଘଟଣା ଜାକିର୍‌ ବର୍ଣ୍ଣନା କରିଥିଲେ। ତାଙ୍କ ଜନ୍ମ ସମୟରେ ଘରେ ନବଜାତ ଶିଶୁଙ୍କୁ ସ୍ୱାଗତ କରିବାର ପାରମ୍ପରିକ ପ୍ରଥା ଅନୁସରଣ ନକରି ତାଙ୍କ ବାପା ଆଲ୍ଲାରଖା ଖାନ୍ ତାଙ୍କ କାନରେ ତବଲାର ଛନ୍ଦ ଓ ସରସ୍ବତୀ ବନ୍ଦନା ପାଠ କରିଥିଲେ। ପାରମ୍ପରିକ ଇସ୍‌ଲାମୀୟ ପ୍ରାର୍ଥନା ପରିବର୍ତ୍ତେ ସେ ଏପରି କରିବା ତାଙ୍କ ପରିବାରରେ ଭ୍ରୂକୁଞ୍ଚନ ସୃଷ୍ଟି କରିଥିଲା। ଏହି ପରମ୍ପରାକୁ କୌଣସି ଧାର୍ମିକ ରଙ୍ଗ ଦେବା ଠିକ୍‌ ନୁହେଁ। ଏହା ହେଉଛି ଆମର ସଙ୍ଗୀତ କଳା ପ୍ରତି ରହିଥିବା ଗଭୀର ଅନୁରାଗ ଓ ଭକ୍ତିର ନିଦର୍ଶନ। ସେ ଓ ତାଙ୍କ ପିତା ଉତ୍ସର୍ଗୀକୃତ ମୁସଲ୍‌ମାନ କିନ୍ତୁ ସଙ୍ଗୀତର ଦେବୀ ହେଉଛନ୍ତି ମା’ ସରସ୍ବତୀ, ତାଙ୍କର ପୂଜା ହିଁ ସଙ୍ଗୀତ ସାଧନା ବୋଲି ଓସ୍ତାତ୍ ହୁସେନ୍‌ କହନ୍ତି।

Advertisment

ପାକିସ୍ତାନରେ ସରସ୍ବତୀ ପୂଜା
୧୯୬୬ ମସିହାରେ କରାଚିବାସୀ ତତ୍କାଳୀନ ପାକିସ୍ତାନୀ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟର ଉପସଚିବ କେ.ବି.ରାୟଚୌଧୁରୀଙ୍କ ବାସଭବନରେ ପାରମ୍ପରିକ ରୀତିନୀତିରେ ସରସ୍ୱତୀ ପୂଜା ପାଳନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଧର୍ମମତ ନିର୍ବିଶେଷରେ ସମସ୍ତେ ଯୋଗ ଦେଇଥିଲେ ବୋଲି ପାକିସ୍ତାନୀ ଗଣମାଧ୍ୟମ ‘ଡେଲି ଜଙ୍ଗ୍‌’ରେ ଉଲ୍ଲେଖ ରହିଛି। ଅବଶ୍ୟ ପରବର୍ତ୍ତୀ ସମୟରେ ଧାର୍ମିକ ବିଦ୍ବେଷରୁ କରାଚିରେ ସରସ୍ବତୀ ପୂଜା ବନ୍ଦ ହୋଇ ଯାଇଥିଲା। କିନ୍ତୁ ଏକଦା ଏହା ଆନନ୍ଦଉଲ୍ଲାସର ସହ ପାଳନ ହୋଇ ସଙ୍ଗୀତର ଆସର ଜମୁଥିଲା।

ଚଳିତ ବର୍ଷ ସଙ୍ଗୀତ ସାଧନା ଓ ଅବଦାନ ପାଇଁ ଗଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ଦ୍ୱାରା ସମ୍ମାନିତ ହୋଇଥିବା ସଙ୍ଗୀତ ନିର୍ଦ୍ଦେଶକ ମହମ୍ମଦ ମୁସୀର୍‌ କହନ୍ତି, ‘‘ସରସ୍ବତୀ ହେଉଛନ୍ତି ସଂଗୀତର ଦେବୀ। ସେଥିପାଇଁ ଅନେକ ଇସ୍‌ଲାମ୍‌ ଧର୍ମାବଲମ୍ବୀ ସଂଗୀତ ସାଧକ ସରସ୍ୱତୀଙ୍କୁ ପୂଜା କରିବାର ପରମ୍ପରା ଦେଖିବାକୁ ମିଳିଥାଏ। ଯଦିଓ ଆମେ  ହିନ୍ଦୁ ସମ୍ପ୍ରଦାୟର ପାରମ୍ପରିକ ପୂଜା ପଦ୍ଧତିରେ ଦେବୀ ସରସ୍ୱତୀଙ୍କୁ ପୂଜା କରି ନଥାଉ, କିନ୍ତୁ ସଙ୍ଗୀତର ଆରାଧ୍ୟ ଦେବୀ ଭାବରେ ତାଙ୍କୁ ପ୍ରଣାମ କରି ସଂଗୀତ ଶିକ୍ଷା, ସାଧନା ଓ କାର୍ଯ୍ୟକ୍ରମ ଆରମ୍ଭ କରିଥାଉ। ଦେବୀ ସରସ୍ବତୀଙ୍କୁ ଆକବରଙ୍କ ସଙ୍ଗୀତ ଦରବାରରେ ପୂଜା କରାଯାଉଥିବାର ପରମ୍ପରା ପ୍ରଚଳିତ ଥିବାର ପ୍ରମାଣ ରହିଛି। ମୋ ଜାଣିବାରେ ଅନ୍ୟ କୌଣସି ଧର୍ମରେ ସଙ୍ଗୀତର କୌଣସି ନିର୍ଦ୍ଦିଷ୍ଟ ଆରାଧ୍ୟ ନାହାନ୍ତି ତେଣୁ ସଙ୍ଗୀତ ସାଧକ ମା’ ସରସ୍ୱତୀଙ୍କୁ ପୂଜା କରିଥାଆନ୍ତି।’’  ବିଶିଷ୍ଟ ସରୋଦ ବାଦକ ଓସ୍ତାତ ଅଲ୍ଲୀ ଆକବର ଖାନ୍ ଏକଦା କହିଥିଲେ, ବସନ୍ତ ପଞ୍ଚମୀ ଓ ଗୁରୁ ପୂର୍ଣ୍ଣିମା ଯଦିଓ ହିନ୍ଦୁମାନଙ୍କ ପର୍ବ, କିନ୍ତୁ ସଂପ୍ରଦାୟ ନିର୍ବିଶେଷରେ ଶାସ୍ତ୍ରୀୟ ସଂଗୀତ ଗୁରୁମାନଙ୍କ ଘରେ ଏହା ଅତ୍ୟନ୍ତ ନିଷ୍ଠା ଓ ଭକ୍ତିର ସହ ପାଳନ କରାଯାଏ। ମୁଁ ହିନ୍ଦୁ ଓ ମୁସଲମାନ୍‌ଙ୍କ ମଧ୍ୟରେ କୌଣସି ଫରକ ଅନୁଭବ କରେନାହିଁ, କାରଣ ଆମେ ସମସ୍ତେ ସଂଗୀତ ସାଧନା କରୁ ଓ ଏକାଠି ଏହି ପର୍ବ ପାଳନ କରୁ।