ଅସ୍ତ୍ରୋପଚାରଜନିତ କ୍ଷତ ସଂକ୍ରମଣରୁ ସୁରକ୍ଷା ଦେବ ସୂତା!

ଅସ୍ତ୍ରୋପଚାର ପରେ କ୍ଷତରେ ସଂକ୍ରମଣ ଓ ଅନ୍ୟାନ୍ୟ ଜଟିଳତା ହେବାର ବିପଦ ରହିଥାଏ। ତେଣୁ ଅସ୍ତ୍ରୋପଚାର ଜନିତ କ୍ଷତ ସଂପୂର୍ଣ୍ଣ ଶୁଖିବା ପର୍ଯ୍ୟନ୍ତ ତା’ ଉପରେ ଲଗାତାର ନଜର ରଖିବା ଗୁରୁତ୍ବପୂର୍ଣ୍ଣ। ଶରୀରରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲେ ତାହାର ପର୍ଯ୍ୟବେକ୍ଷଣ ପାଇଁ ବ୍ୟୟବହୁଳ ରେଡିଓଲୋଜିକାଲ୍ ପରୀକ୍ଷା କରିବାକୁ ପଡ଼େ। ଏଭଳି ପରୀକ୍ଷାରେ ମଧ୍ୟ ସଂକ୍ରମଣ ସମ୍ପର୍କରେ ଜଣାପଡ଼ିବା ବେଳେ ତାହା ବିପଜ୍ଜନକ ଅବସ୍ଥାକୁ ପହଞ୍ଚିସାରିଥାଏ। ତେଣୁ ପ୍ରାଥମିକ ପର୍ଯ୍ୟାୟରେ ସଂକ୍ରମଣ ଠାବ କରିବା ପାଇଁ ଆଧୁନିକ ବାୟୋଇଲେକ୍ଟ୍ରୋନିକ୍ ସେନ୍‌ସର୍‌ ବ୍ୟବହାର ଆରମ୍ଭ ହୋଇସାରିଛି। କିନ୍ତୁ ଏଭଳି କଠିନ ସେନ୍‌ସର୍‌ ଶରୀରର ସମ୍ବେଦଶୀଳ ଟିସୁ ପାଇଁ ହାନିକାରକ ହୋଇପାରେ। ଏହି ସମସ୍ୟାର ସମାଧାନ ସ୍ବରୂପ ସିଙ୍ଗାପୁର ନେସ୍‌ନାଲ୍‌ ୟୁନିଭର୍ସିଟିର ଗବେଷକମାନେ ଏକ କ୍ଷତ ସିଲେଇ ସ୍ମାର୍ଟ ସୂତା ଉଦ୍ଭାବନ କରିଛନ୍ତି। ଏହି ନମନୀୟ ସୂତାରେ ଏକ କ୍ଷୁଦ୍ର ଇଲେକ୍ଟ୍ରୋନିକ୍ ସେନ୍‌ସର୍ ଲାଗିଛି ଯାହା ପାଇଁ ବ୍ୟାଟେରି ଦରକାର ନାହିଁ। କ୍ଷତ ମଧ୍ୟରେ କୌଣସି ପ୍ରକାର ଅସ୍ବାଭାବିକତା ସୃଷ୍ଟି ହେଲେ ଏହି ସେନ୍‌ସର୍‌ ବେତାର ତରଙ୍ଗ ମାଧ୍ୟମରେ ତାହାର ସୂଚନା ପଠାଇଥାଏ। ଏହି କ୍ଷତ ସିଲେଇ ସୂତା ବ୍ୟବହାର ଦ୍ବାରା ଅସ୍ତ୍ରୋପଚାର ପରେ ସଂକ୍ରମଣ ବା ଜଟିଳତାକୁ ବିପଦପୂର୍ଣ୍ଣ ସ୍ଥିତିରେ ପହଞ୍ଚିବା ପୂର୍ବରୁ ଠାବ କରି ଜୀବନ ରକ୍ଷା କରାଯାଇପାରିବ ବୋଲି ଗବେଷକମାନେ ଆଶାବାଦୀ। ଅସ୍ତ୍ରୋପଚାର ପରେ ଏହାକୁ ବ୍ୟବହାର କରି ରୋଗୀମାନେ ଶୀଘ୍ର ଘରକୁ ଫେରିପାରିବେ।

ସମ୍ବନ୍ଧିତ ଖବର