ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର କୋରାପୁଟ ଜିଲ୍ଲା ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇ ରହିଆସିଛି। ବଣ, ପାହାଡ଼, ଝରଣା, ନଈନାଳ ଭରା କୋରାପୁଟର ପ୍ରତିଟି ଗଁା ଆକର୍ଷଣୀୟ। କେବଳ ଭୌଗୋଳିକ ‌ତାତ୍ପର୍ଯ୍ୟ ନୁହେଁ, ଏହି ସବୁ ଗଁାଗଣ୍ଡାରେ ଅଧିବାସୀଙ୍କ ଜୀବନଶୈଳୀ, ବେଶପୋଷାକ, ସଂସ୍କୃତି, ପରମ୍ପରା, ନୃତ୍ୟ, ସଂଗୀତ ଓ ଖାଦ୍ୟପେୟ ମଧ୍ୟ ପର୍ଯ୍ୟଟକଙ୍କ ମନ ମୋହିନିଏ। ଅତୀତରେ ଅପହଞ୍ଚ ଥିବା ଗାଁଗୁଡ଼ିକରେ ଏବେ ପର୍ଯ୍ୟଟକ ପହଞ୍ଚିଲେଣି। ପର୍ଯ୍ୟଟନ ଯୋଗୁଁ ଯେ ଗଁାଗଣ୍ଡାର ବିକାଶ ସମ୍ଭବ, ତା’ର ବାସ୍ତବ ଉଦାହରଣ ସାଜିଛି ଲମତାପୁଟ୍ ବ୍ଲକ୍‌ର ବନ୍ତଳବେରୀ। ଆଦିବାସୀ କଳାସଂସ୍କୃତି, ପ୍ରାକୃତିକ ପରିବେଶ ଓ ଗ୍ରାମୀଣ ସୌନ୍ଦର୍ଯ୍ୟର ପ୍ରଚାରପ୍ରସାର ଏହାକୁ ଆଦର୍ଶ ଦେଶିଆ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦେଇଛି।

Advertisment

୪୬ଟି ପରିବାରର ପାଖାପାଖି ୧୬୭ଜଣ ଲୋକଙ୍କୁ ନେଇ ବନ୍ତଳବେରୀ ଗଁା। ବହିରାଗତ  ପର୍ଯ୍ୟଟକଙ୍କ ଲାଗି ଭରପୂର ଆକର୍ଷଣ ଥିବା ଏହି ଗାଁ ଶିକ୍ଷା, ସ୍ବାସ୍ଥ୍ୟ ଓ ଆର୍ଥିକ ଦୃଷ୍ଟିରୁ ପଛୁଆ ଥିଲା। କାଁ ଭାଁ ପର୍ଯ୍ୟଟକ ଏଠାକୁ ଆସୁଥିଲେ। ୨୦୦୬ ମସିହାରେ ଏଠାକୁ ବୁଲି ଆସିଥିବା ଯୋଗବ୍ରତ କର ଓ ତାଙ୍କ ପତ୍ନୀ ସୁଖଜିତ୍ ସିଦ୍ଧୁ ବନ୍ତଳବେରୀରେ ପର୍ଯ୍ୟଟନର  ବିକାଶ ଲାଗି ଉଦ୍ୟମ ଆରମ୍ଭ କରିଥିଲେ। ଏହି ଗଁାଟିକୁ ସେମାନେ ପୋଷ୍ୟଗ୍ରାମ ଭାବେ ଗ୍ରହଣ କଲେ। ଗ୍ରାମବାସୀଙ୍କ ସହଯୋଗରେ ପର୍ଯ୍ୟଟକଙ୍କୁ ଆଣିବା ସହ ସ୍ଥାନୀୟ ଜନଜାତିଙ୍କର ପାରମ୍ପରିକ ଖାଦ୍ୟ, ପୋଷାକ, ହସ୍ତକଳା, ସଂଗୀତ ଓ ନୃତ୍ୟ ସହ ଯୋଡ଼ିଲେ।
ସ୍ଥାନୀୟ ଆଦିବାସୀ ମହିଳା ପାନ ପାଙ୍ଗୀ କହନ୍ତି, ‘‘୨୦୧୨ ମସିହାରେ ଏଠାରେ ଗ୍ରାମ୍ୟ ପର୍ଯ୍ୟଟନସ୍ଥଳୀ ସଂପୂର୍ଣ୍ଣ କାର୍ଯ୍ୟକ୍ଷମ ହେଲା। ପର୍ଯ୍ୟଟକଙ୍କ ରହଣି ଲାଗି ୧୦ଟି ଗ୍ରାମ୍ୟ କୁଟୀର ନିର୍ମାଣ ହେଲା। ଏହାର ଦୈନିକ ଭଡ଼ା ଖାଦ୍ୟପେୟ ସହ ୨ରୁ ୫ ହଜାର ଟଙ୍କା ରହିଛି। ମୁଁ ଏହାର ପରିଚାଳନା ଦାୟିତ୍ବ ନେଇଛି। ମୋ ସହ ୨୫ଜଣ ମହିଳା ବି କାର୍ଯ୍ୟ କରୁଛନ୍ତି। ସେମାନେ ବାଡ଼ିବଗିଚାରେ ଜୈବିକ ପନିପରିବା ଉତ୍ପାଦନରୁ ନେଇ ସ୍ଥାନୀୟ ଅଞ୍ଚଳକୁ ପରିଚ୍ଛନ୍ନ ଓ ପ୍ଲାଷ୍ଟିକ୍‌ମୁକ୍ତ କରିବା ଆଦି କାମ କରୁଛନ୍ତି। ପର୍ଯ୍ୟଟକଙ୍କ ପାଇଁ ଆମେ ଅତି ଉତ୍ତମ ମାନର ସ୍ବାସ୍ଥ୍ୟପ୍ରଦ ପାରମ୍ପରିକ ଦେଶିଆ ଖାଦ୍ୟ ପ୍ରସ୍ତୁତ କରୁଛୁ । ସେମାନଙ୍କ ସୁରକ୍ଷା ପାଇଁ ଗ୍ରାମର ଯୁବକଯୁବତୀ ସୁରକ୍ଷାକର୍ମୀ ଭାବେ କାର୍ଯ୍ୟ କରୁଛନ୍ତି। ବହୁ ବିଦେଶୀ ପର୍ଯ୍ୟଟକ ଆମର ଆତିଥ୍ୟରେ ଖୁସି ହୋଇ ଯାଇଛନ୍ତି।’’

ପାନ ପାଙ୍ଗୀ ଏହା ପୂର୍ବରୁ ଗ୍ରାମ୍ୟ କୁଟୀର ନିର୍ମାଣ କରୁଥିବା ଶ୍ରମିକଙ୍କୁ ଦୈନିକ ୨୦୦ ଟଙ୍କା ମଜୁରିରେ ‌ରୋଷେଇକରି ଖାଇବାକୁ ଦେଉଥିଲେ। କିନ୍ତୁ ଏବେ ସେ କୁଟୀର ପରିଚାଳନା କରି ମାସିକ ୧୫ ହଜାର ଟଙ୍କା ରୋଜଗାର କରୁଛନ୍ତି। ସେହିଭଳି ପର୍ଯ୍ୟଟନରୁ ହେଉଥିବା ଆୟରୁ ଗଁାର ୨୦ଜଣ ମହିଳା ସିଲେଇ ଶିଖି ସ୍ବାବଲମ୍ବୀ ହୋଇଛନ୍ତି। ପୁନ ମାଛ କହନ୍ତି, ‘‘ଆମ ଏଠାକୁ ବର୍ଷକୁ ପ୍ରାୟ ଦେଢ଼ହଜାରରୁ ଦୁଇହଜାର ପର୍ଯ୍ୟଟକ ଆସିଥାଆନ୍ତି। ସେମାନେ ଡୋକ୍ରା କଳାକୃତି ଏବଂ ଆମ ହାତ ତିଆରି ସାମଗ୍ରୀ କିଣନ୍ତି। ଲୋପପାଇବାକୁ ବସିଥିବା ସ୍ଥାନୀୟ ବୁଣାଳିଙ୍କ ତିଆରି ‘ରିଙ୍ଗା ବସ୍ତ୍ର’କୁ ଆମେ ବିକ୍ରି କରାଉଛୁ। ସହରୀ ସଭ୍ୟତାରେ ହଜିଯାଉଥିବା ଆଦିବାସୀଙ୍କର ପୁରାତନ ଚଳଣିକୁ ଆମେ ପର୍ଯ୍ୟଟକମାନଙ୍କୁ ଦେଖାଉଛୁ। ସେମାନେ ଖୁସି ହେଉଛନ୍ତି। ପର୍ଯ୍ୟଟନ ଆୟରୁ ଆମର କୃଷି ଓ ସ୍ଥାନୀୟ ପଶୁପାଳନରେ ବି ଉନ୍ନତି ହୋଇଛି। ଆମର ମାସିକ ମୁଣ୍ଡପିଛା ଆୟ ଏବେ ୧୭୦୦ରୁ ୨୫୦୦ ଟଙ୍କାରେ ପହଞ୍ଚି ପାରିଛି।’’
ପୂର୍ଣ୍ଣ କିଷାନୀ, କମୁ ଖରା ନିଜ ଗଁାର ରୂପାନ୍ତରଣକୁ ନେଇ କହନ୍ତି,‘‘ପର୍ଯ୍ୟଟନ ଆମକୁ ସ୍ବତନ୍ତ୍ର ପରିଚୟ ଦେଇଛି। ଶିକ୍ଷା, ସ୍ବାସ୍ଥ୍ୟ ଓ ପରିମଳ ବ୍ୟବସ୍ଥାର ଉନ୍ନତି ହୋଇଛି। ପ୍ରତ୍ୟେକ ଦିନ ସକାଳ ୭ଟାରୁ ୯ଟା ପର୍ଯ୍ୟନ୍ତ ଆମେ ନିଜ ଖର୍ଚ୍ଚରେ ଗଁାର ପିଲାମାନଙ୍କୁ ସମୂହ ଶିକ୍ଷାଦାନ କରୁଛୁ।’’ ପର୍ଯ୍ୟଟନ ଦ୍ବାରା ସ୍ଥାନୀୟ ଅଧିବ‌ାସୀଙ୍କ ଜୀବନଧାରଣର ମାନରେ ଉନ୍ନତି ଆସିବା ଓ ସେମାନେ ସ୍ବାବଲମ୍ବୀ ହେବାର ଏକ ପ୍ରକୃଷ୍ଟ ଉଦାହରଣ ସାଜିଛି ବନ୍ତଳବେରୀ ଦେଶିଆ ଗ୍ରାମ୍ୟ ପର୍ଯ୍ୟଟନସ୍ଥଳୀ।