କିଛି ବର୍ଷ ମଧ୍ୟରେ ଅଭିନେତ୍ରୀ ଋଚା ଚଢ଼ାଙ୍କ ବ୍ୟକ୍ତିଗତ ଜୀବନରେ ଅନେକ ସୁଖଦ ଘଟଣା ଘଟିଯାଇଛି। ୨୦୨୨ ମସିହା ଶେଷ ଆଡ଼କୁ ଅଭିନେତା ତଥା ପ୍ରେମିକ ଅଲୀ ଫଜଲଙ୍କୁ ବିବାହ କରିବା ପରେ ଗତ ବର୍ଷ ଜୁଲାଇରେ ସେ ଏକ କନ୍ୟା ସନ୍ତାନର ମାଆ ହୋଇଛନ୍ତି। ମାଆ ହେବା ପରେ ତାଙ୍କ ଅଭିନୀତ କୌଣସି ଚଳଚ୍ଚିତ୍ର ମୁକ୍ତିଲାଭ କରିନଥିଲେ ହେଁ ସେ ସିନେମା ପ୍ରଯୋଜନା କ୍ଷେତ୍ରକୁ ପ୍ରବେଶ କରିଛନ୍ତି। ତାଙ୍କର ପ୍ରଥମ ପ୍ରୟୋଜିତ ସିନେମା ‘ଗାର୍ଲସ ଵିଲ୍ ବି ଗାର୍ଲସ୍’ ଗତ ବର୍ଷ ଶେଷରେ ଓଟିଟି ମଞ୍ଚରେ ମୁକ୍ତିଲାଭ କରିବା ପରେ ଚର୍ଚ୍ଚାରେ ରହିଛି। ଏହି ସଫଳତା ପରେ ସେ ଭାଲେଣ୍ଟାଇନ୍ସ ଡେ’ ଅବସରରେ ଆଉ ଏକ ନୂଆ ପ୍ରକଳ୍ପ ସମ୍ପର୍କରେ ଘୋଷଣା କରିଛନ୍ତି। ତାହା ହେଉଛି ‘ଆଖ୍ରି ସୋମବାର’ ଶୀର୍ଷକ ହାସ୍ୟସରାତ୍ମକ ସିନେମା। ଋଚା ଏହି ସିନେମାର ପ୍ରୟୋଜନା ଦାୟିତ୍ବ ନେବା ସଙ୍ଗେ ସଙ୍ଗେ ଏଥିରେ ଅଭିନୟ କରିବେ ବୋଲି ଘୋଷଣା କରିଛନ୍ତି। କେବଳ ସେତିକି ନୁହେଁ, ସେ ଏହାର କାହାଣୀ ମଧ୍ୟ ରଚନା କରିଛନ୍ତି।
କୋଭିଡ୍ ମହାମାରୀ ସମୟରେ ଋଚା ଏହି ଚଳଚ୍ଚିତ୍ରର କାହାଣୀ ଲେଖିଥିଲେ। ଏ କାହାଣୀର ମୁଖ୍ୟ ଚରିତ୍ର ଜଣେ ସଫଳ ରିଆଲିଟି ଟିଭି ପ୍ରଯୋଜିକା, ଯିଏ ସାମାଜିକ ଚାପରେ ପଡ଼ି ବିବାହ କରିବାକୁ ପାତ୍ର ଖୋଜୁଛନ୍ତି। ଏକ ମଧ୍ୟବିତ୍ତ ପଞ୍ଜାବୀ ପରିବାରରେ ବଡ଼ ହେବା ସମୟର ବ୍ୟକ୍ତିଗତ ଅଭିଜ୍ଞତାକୁ ଭିତ୍ତି କରି ସେ ଏହି କାହାଣୀ ଲେଖିଥିବାରୁ ଅନେକ ପରିବାର ଏହା ସହିତ ସାମଞ୍ଜସ୍ୟ ଥିବାର ଅନୁଭବ କରିବେ ବୋଲି ଋଚା ଆଶା ରଖିଛନ୍ତି। ବଲିଉଡ୍ରେ ପାରିବାରିକ ସିନେମାର ଅଭାବକୁ ପୂରଣ କରି ଏଥିରୁ ବ୍ୟାବସାୟିକ ଲାଭ ଉଠାଇବା ଲାଗି ପ୍ରଯୋଜିକା ଋଚା ଲକ୍ଷ୍ୟ ରଖିଥିବାବେଳେ ଏହା ଜରିଆରେ ନିଜର ହାସ୍ୟରସ ଦକ୍ଷତାକୁ ପୂର୍ଣ୍ଣ ରୂପେ ପ୍ରଦର୍ଶନ କରିବେ ବୋଲି ଅଭିନେତ୍ରୀ ଋଚା ଦମ୍ଭୋକ୍ତି ପ୍ରକାଶ କରିଛନ୍ତି। ତେବେ ଏହି ସିନେମାର ନିର୍ଦେଶନା କିଏ ଦେବେ ଋଚା ତାହା ପ୍ରକାଶ କରିନାହାନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/02/17/plX8Z2VyJQAPF7j5o11e.jpg)