ସସ୍ମିତା ସାହୁ
ସତ୍ତା ମହାସଂଗ୍ରାମର ଶଙ୍ଖନାଦ ହୋଇସାରିଛି। ମତଦାତାଙ୍କୁ ନିଜ ଅକ୍ତିଆରକୁ ଆଣିବାର ପ୍ରତିଯୋଗିତା ବି ଆରମ୍ଭ ହୋଇଯାଇଛି। ନେତାମନ୍ତ୍ରୀ ଏବେ ସହରରୁ ବାହାରି ଗାଁ ଓ ଉପାନ୍ତ ଅଞ୍ଚଳମୁହାଁ। ନେତା ଆଉ ଶୀତତାପ ନିୟନ୍ତ୍ରିତ କୋଠରିରେ ନୁହେଁ, ଧୁ ଧୁ ଖରାରେ ଜନତାଙ୍କ ଭିତରେ କରିବେ ନିର୍ବାଚନ ପ୍ରଚାର। ଏଭଳି ପରିସ୍ଥିତିରେ ସେମାନଙ୍କ ସୁରକ୍ଷା ବ୍ୟବସ୍ଥା ପାଇଁ ବଡ଼ ଆହ୍ବାନ। ଅସନ୍ତୁଷ୍ଟ ଜନତାଙ୍କ ଆକ୍ରୋଶ, ବିରୋଧୀଙ୍କ ପ୍ରତିବାଦ ଓ ବିଚ୍ଛିନ୍ନତାବାଦୀଙ୍କ ଚକ୍ରାନ୍ତରୁ ତାଙ୍କୁ ରକ୍ଷା କରିବାକୁ ସୁରକ୍ଷାବାହିନୀ ପ୍ରସ୍ତୁତ। କେବଳ ନିର୍ବାଚନ ସମୟରେ ନୁହେଁ, ଏହି ସୁରକ୍ଷା ନେତାମନ୍ତ୍ରୀଙ୍କୁ ବର୍ଷତମାମ ମିଳିଥାଏ। ତେବେ ନିର୍ବାଚନ ସମୟରେ ଏହି ସୁରକ୍ଷା ଆହୁରି କଡ଼ାକଡ଼ି ହୋଇଯାଏ। ଚାଲନ୍ତୁ ଜାଣିବା ନେତାମନ୍ତ୍ରୀ ଓ
ପ୍ରଭାବଶାଳୀ ବ୍ୟକ୍ତିଙ୍କ ସୁରକ୍ଷା କବଚ ସମ୍ପର୍କରେ...
କେବଳ େନତାମନ୍ତ୍ରୀ ନୁହନ୍ତି, କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ କ୍ଷେତ୍ରର ପ୍ରଭାବଶାଳୀ ବ୍ୟକ୍ତି ଓ ଜନସାଧାରଣଙ୍କ ସୁରକ୍ଷାକୁ ନିଶ୍ଚିତ କରିବାକୁ ଆବଶ୍ୟକତା ଅନୁସାରେ ସୁରକ୍ଷା ଯୋଗାଇଥା’ନ୍ତି। ଏହି କ୍ରମରେ ନିର୍ବାଚନ ପରିପ୍ରେକ୍ଷୀରେ ଗତ ୩ ତାରିଖରେ କେନ୍ଦ୍ର ସରକାର କଲିକତା ହାଇକୋର୍ଟର ପୂର୍ବତନ ବିଚାରପତି ଅଭିଜିତ ଗଙ୍ଗୋପାଧ୍ୟାୟ, ପୂର୍ବତନ ଟିଏମ୍ସି ସାଂସଦ ଅର୍ଜୁନ ସିଂହ, ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ଅଭିଜିତ ବର୍ମନ ଓ କୁଚବିହାର ଜିଲ୍ଲା କାର୍ଯ୍ୟନିର୍ବାହୀ ସଦସ୍ୟ ତାପସ ଦାସଙ୍କୁ ସୁରକ୍ଷା ଯୋଗାଇ ଦେଇଛନ୍ତି। ଅର୍ଜୁନ ସିଂହଙ୍କୁ ‘ଜେଡ୍’ ବର୍ଗର, ଗଙ୍ଗୋପାଧ୍ୟାୟଙ୍କୁ ‘ୱାଇ’ ବର୍ଗର ସୁରକ୍ଷା ଦିଆଯାଇଛି। ଉଭୟ ବର୍ମନ ଓ ତାପସ ଦାସଙ୍କୁ ‘ଏକ୍ସ’ ବର୍ଗର ସୁରକ୍ଷା ଦିଆଯାଇଛି।
ଦେଶର ଗୁରୁତ୍ବପୂର୍ଣ୍ଣ ତଥା ପ୍ରସିଦ୍ଧ ବ୍ୟକ୍ତିତ୍ବଙ୍କ ସୁରକ୍ଷା, ଭାରତୀୟ ସୁରକ୍ଷା ବ୍ୟବସ୍ଥାର ପ୍ରାଥମିକ କର୍ତ୍ତବ୍ୟ। କେବଳ ନେତାମନ୍ତ୍ରୀ ଓ ପ୍ରଭାବଶାଳୀ କାହିଁକି, ପ୍ରତିଟି ନାଗରିକର ସୁରକ୍ଷା ବି ଦେଶର ଦାୟିତ୍ବ। ଏଥିପାଇଁ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ୬ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗଠିତ ହୋଇଛି। ଏହି ବ୍ୟବସ୍ଥାରେ ଦେଶର ପ୍ରତିଟି ନାଗରିକଙ୍କୁ ଆବଶ୍ୟକତା ଅନୁସାରେ ସୁରକ୍ଷା ଯୋଗାଇ ଦିଆଯାଏ। ଜଣେ ବ୍ୟକ୍ତିଙ୍କୁ ଯଦି କୌଣସି ପ୍ରକାର ଧମକ ମିଳିଥାଏ, ସରକାରଙ୍କ ପକ୍ଷରୁ ତାଙ୍କୁ ମଧ୍ୟ ସୁରକ୍ଷା ଯୋଗାଇ ଦିଆଯାଏ। ଧମକ ପାଉଥିବା ବ୍ୟକ୍ତି ନିକଟସ୍ଥ ଥାନାରେ ମାମଲା ଦାଏର କଲେ ପୁଲିସର ଗୁଇନ୍ଦା ବିଭାଗ ଏହାର ତଦନ୍ତ କରେ। ଧମକ ମିଳିଥିବା ନେଇ ବିଭାଗ ସୁନିଶ୍ଚିତ ହେବା ପରେ ସ୍ବରାଷ୍ଟ୍ର ସଚିବ, ଡିଜି ଓ ମୁଖ୍ୟ ଶାସନ ସଚିବଙ୍କୁ ନେଇ ଏକ କମିଟି ଗଠନ ହୁଏ ଓ ବିପଦର ଆକଳନ ଆଧାରରେ ସୁରକ୍ଷା ଦିଆଯାଏ। ଏହି ପ୍ରକ୍ରିୟା ଅନୁସାରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ସାଂସଦ, ବିଧାୟକ, ପ୍ରଶାସକ, ପୂର୍ବତନ ପ୍ରଶାସକ, ବିଚାରପତି, ପୂର୍ବତନ ବିଚାରପତି, ବ୍ୟବସାୟୀ, କ୍ରିକେଟ ଖେଳାଳି, ଚଳଚ୍ଚିତ୍ର ତାରକା, ସାଧୁସନ୍ଥ ଏପରିକି ସାଧାରଣ ବ୍ୟକ୍ତିଙ୍କୁ ବି ଉଚ୍ଚସ୍ତରୀୟ ସୁରକ୍ଷାବ୍ୟବସ୍ଥା ବା ଭିଆଇପି ସୁରକ୍ଷା ଯୋଗାଇ ଦିଆଯାଏ। ସୁରକ୍ଷା ବ୍ୟବସ୍ଥାର ଅନୁମୋଦନ ପାଇଁ ସଂପୃକ୍ତ ବ୍ୟକ୍ତିଙ୍କ ସବିଶେଷ ବିବରଣୀ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରାଳୟକୁ ପଠାଯାଏ।
‘ବ୍ଲୁ ବୁକ୍’ ଓ ‘ୟେଲୋ ବୁକ୍’ କହେ କାହାକୁ କେଉଁ ସୁରକ୍ଷା
ଗୁରୁତ୍ବପୂର୍ଣ୍ଣ ବ୍ୟକ୍ତି ବା ଭିଭିଆଇପିଙ୍କ ସୁରକ୍ଷା ପାଇଁ ପ୍ରୋଟୋକଲ୍ ଅନୁସାରେ ଏସ୍ପିଜି (ସ୍ପେସିଆଲ୍ ପ୍ରୋଟେକ୍ସନ୍ ଗ୍ରୁପ୍), ଏନ୍ଏସ୍ଜି (ନ୍ୟାସନାଲ୍ ସିକ୍ୟୁରିଟି ଗାର୍ଡ), ଆଇଟିବିପି (ଇଣ୍ଡୋ ତିବେତାନ୍ ବର୍ଡର ପୋଲିସ୍), ସିଆର୍ପିଏଫ୍ (ସେଣ୍ଟାଲ୍ ରିଜର୍ଭ ପୋଲିସ୍ ଫୋର୍ସ) ଓ ସିଆଇଏସ୍ଏଫ୍(କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ) ସହ ରାଜ୍ୟ ପୁଲିସ ସୁରକ୍ଷା ବ୍ୟବସ୍ଥାରେ ସାମିଲ ହୁଅନ୍ତି। କେଉଁ ବ୍ୟକ୍ତିଙ୍କୁ କେଉଁ ସ୍ତରୀୟ ସୁରକ୍ଷା ଯୋଗାଇ ଦେବା ଆବଶ୍ୟକ ଓ ଏଥିରେ କ’ଣ କ’ଣ ରହିବା ଜରୁରି ତାହା ସ୍ବରାଷ୍ଟ୍ର ମନ୍ତ୍ରାଳୟ ଦ୍ବାରା ଜାରି କରାଯାଇଥିବା ‘ବ୍ଲୁ ବୁକ୍’ ଓ ‘ୟେଲୋ ବୁକ୍’ରେ ସ୍ପଷ୍ଟ କରାଯାଇଛି। ‘ବ୍ଲୁ ବୁକ୍’ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥା କଥା କହିଥାଏ। ସେହିଭଳି ‘ୟେଲୋ ବୁକ୍’ରେ ଦେଶର ଅନ୍ୟ ସମସ୍ତ ରାଜନେତା, ପ୍ରଭାବଶାଳୀ ବ୍ୟକ୍ତି ଓ ଜନତାଙ୍କ ସୁରକ୍ଷା ବ୍ୟବସ୍ଥା ସମ୍ବନ୍ଧରେ ଉଲ୍ଲେଖ ରହିଛି। କାହାକୁ କେଉଁ ଭଳି ସୁରକ୍ଷା ପ୍ରଦାନ କରାଯିବ ତାହା ସ୍ବରାଷ୍ଟ୍ର ମନ୍ତ୍ରାଳୟର ଇଣ୍ଟେଲିଜେନ୍ସ ଏଜେନ୍ସିମାନେ ନିର୍ଦ୍ଧାରିତ କରିଥା’ନ୍ତି। ରାଜ୍ୟ ସରକାରମାନଙ୍କର ମଧ୍ୟ ନିଜର ଏଭଳି ଏକ ସୁରକ୍ଷା ବ୍ୟବସ୍ଥା ରହିଛି। ବର୍ତ୍ତମାନ କେବଳ କେନ୍ଦ୍ର ସରକାର ୨୩୦ ଜଣଙ୍କୁ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦେଇଛନ୍ତି। ଆବଶ୍ୟକତା ଅନୁସାରେ ଏହି ତାଲିକା କମ୍ ବେଶୀ ବି କରାଯାଇପାରେ।
୬ ପ୍ରକାରର ସ୍ବତନ୍ତ୍ର ସୁରକ୍ଷା
ସାଧାରଣତଃ ଗୁରୁତ୍ବପୂର୍ଣ୍ଣ ବ୍ୟକ୍ତିବିଶେଷଙ୍କ ସୁରକ୍ଷା ପାଇଁ ଦେଶର ସୁରକ୍ଷା ବ୍ୟବସ୍ଥାକୁ ୬ ବର୍ଗରେ ଆବଣ୍ଟନ କରାଯାଇଛି। ସେଗୁଡ଼ିକ ଯଥାକ୍ରମେ ଏକ୍ସ, ୱାଇ, ୱାଇ ପ୍ଲସ୍, ଜେଡ୍, ଜେଡ୍ ପ୍ଲସ୍ ଓ ଏସ୍ପିଜି। ଚାଲନ୍ତୁ ଏସବୁ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ସବିଶେଷ ଜାଣିବା...
କେବଳ ପ୍ରଧାନମନ୍ତ୍ରୀଙ୍କୁ ମିଳେ ଏସ୍ପିଜି ସୁରକ୍ଷା
ଏସ୍ପିଜି ସୁରକ୍ଷା ଦେଶର ଶୀର୍ଷଶ୍ରେଣୀୟ ରକ୍ଷାକବଚ, ଯାହାକି ୩ ହଜାରରୁ ଅଧିକ ସୁଦକ୍ଷ ସୁରକ୍ଷାକର୍ମୀଙ୍କୁ ନେଇ ଗଠିତ। ଏହି ସୁରକ୍ଷା କେବଳ ଦେଶର ପ୍ରଧାନମନ୍ତ୍ରୀ ଓ ତାଙ୍କ ପରିବାରଲୋକଙ୍କୁ ହିଁ ପ୍ରଦାନ କରାଯାଏ। ୨୦୨୪-୨୫ର ଅନ୍ତରୀଣ ବଜେଟ ଅନୁସାରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପାଇଁ ନିୟୋଜିତ ଏସ୍ପିଜି ଲାଗି ୫୦୬.୩୨ କୋଟି ଟଙ୍କାର ପାଣ୍ଠି ଆବଣ୍ଟନ ହୋଇଛି।
ସୁରକ୍ଷାର ଏକ୍ସ ୱାଇ ଜେଡ୍
ଏଥିରୁ ପାଖାପାଖି ୧୫୦ କୋଟି ଟଙ୍କା ଅତ୍ୟାଧୁନିକ ସୁରକ୍ଷା ଉପକରଣ ଓ ଭିତ୍ତିଭୂମି ବିକାଶ ଉପରେ ଖର୍ଚ୍ଚ କରାଯାଏ। ବାସ୍ତବରେ ୧୯୮୧ ମସିହା ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦିଲ୍ଲୀ ପୁଲିସ ଓ ଇଣ୍ଟେଲିଜେନ୍ସ ବ୍ୟୁରୋର ସ୍ପେସାଲ୍ ଟାସ୍କ୍ଫୋର୍ସ କରୁଥିଲେ। କିନ୍ତୁ, ୧୯୮୪ ମସିହାରେ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ତାଙ୍କ ନିଜ ସୁରକ୍ଷାକର୍ମୀମାନେ ଗୁଳିକରି ହତ୍ୟା କରିବା ପରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସଶକ୍ତ କରିବା ପାଇଁ ସ୍ବରାଷ୍ଟ୍ର ମନ୍ତ୍ରାଳୟ ଅଣ୍ଟା ଭିଡ଼ିଥିଲା। ଫଳରେ ‘ବୀର୍ବଲ୍ ନାଥ କମିଟି’ ଗଠନ କରାଯାଇଥିଲା। କମିଟିର ସୁପାରିସକ୍ରମେ ଏପ୍ରିଲ ୧୯୮୫ ମସିହାରେ ଏହି ଏସ୍ପିଜି ସୁରକ୍ଷା ବ୍ୟବସ୍ଥା ଗଠିତ ହୋଇଥିଲା।
ଏସ୍ପିଜି କମାଣ୍ଡୋଙ୍କ କଳା ଚଷମା ଓ ବ୍ରିଫ୍କେସ୍ର ରହସ୍ୟ
ଏସ୍ପିଜି କମାଣ୍ଡୋଙ୍କୁ ଆମେରିକାର ସିକ୍ରେଟ ସର୍ଭିସ୍ ଏଜେଣ୍ଟ୍ଙ୍କ ଭଳି ସ୍ବତନ୍ତ୍ର ତାଲିମ ପ୍ରଦାନ କରାଯାଇଥାଏ। ଏସ୍ପିଜିରେ କୌଣସି କମାଣ୍ଡୋଙ୍କୁ ଭର୍ତ୍ତି କରିବା ପୂର୍ବରୁ ତାଙ୍କର ଓ ତାଙ୍କ ପରିବାରର ସମ୍ପୂର୍ଣ୍ଣ ତଥ୍ୟ ସଂଗ୍ରହ କରାଯାଏ। ଏହି କମାଣ୍ଡୋମାନେ ଗାଢ଼ କଳା ରଙ୍ଗର ଚଷମା ସହ ପାଶ୍ଚାତ୍ୟଶୈଳୀର ବିଜିନେସ୍ ସୁଟ୍ ପରିଧାନ କରିଥା’ନ୍ତି। ପାର୍ବଣ ସମୟରେ ଏହି କମାଣ୍ଡୋମାନେ ସଫାରିସୁଟ୍ ବି ପିନ୍ଧିଥିବାର ଦେଖାଯାଏ। କମାଣ୍ଡୋମାନେ କେଉଁ ଦିଗକୁ ଚାହିଁଛନ୍ତି, ତାହା ନ ଜଣାପଡ଼ିବା ପାଇଁ ସେମାନେ ଗାଢ଼ କଳାରଙ୍ଗର ଚଷମା ପିନ୍ଧିଥା’ନ୍ତି। ଏହାଛଡ଼ା, ସେମାନେ ଅତ୍ୟାଧୁନିକ ଉପକରଣ ଓ ପ୍ରଯୁକ୍ତିବିଦ୍ୟାରେ ବେଶ୍ ଦକ୍ଷ ଥାଆନ୍ତି। ସେମାନଙ୍କ ହାତରେ ସବୁବେଳେ ଏକ କଳାରଙ୍ଗର ବ୍ରିଫ୍କେସ୍ ରହିଥାଏ। ଏହା ହେଉଛି ଏକ ‘ପୋର୍ଟେବୁଲ୍ ଫୋଲ୍ଡେଡ୍ ବୁଲେଟ୍ ପ୍ରୁଫ୍ ସିଲ୍ଡ୍’ ବା ଗୁଳିନିରୋଧୀ କବଚ)। ଏହାକୁ କୌଣସି ବି ଆପଦକାଳୀନ ପରିସ୍ଥିତିରେ ସଙ୍ଗ ସଙ୍ଗେ ଖୋଲି ପ୍ରଧାନମନ୍ତ୍ରୀଙ୍କୁ ସୁରକ୍ଷା ପ୍ରଦାନ କରାଯାଏ। ଏହି ବ୍ରିଫ୍କେସ୍ରେ କମାଣ୍ଡୋମାନେ ଅତ୍ୟାଧୁନିକ ପିସ୍ତଲ ବି ରଖିଥାଆନ୍ତି। ଏଥିସହ ଗୁଳିନିରୋଧୀ ଗାଡ଼ି ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାର ଅଂଶବିଶେଷ। ଏସ୍ପିଜି କମାଣ୍ଡୋଙ୍କ ପରେ ଏନ୍ଏସ୍ଜି କମାଣ୍ଡୋମାନେ ପ୍ରଧାନମନ୍ତ୍ରୀଙ୍କୁ ଦ୍ବିତୀୟସ୍ତରୀୟ ସୁରକ୍ଷା ପ୍ରଦାନ କରିଥା’ନ୍ତି।
ଗାନ୍ଧୀ ପରିବାର ପାଇଥିଲେ ୨୮ ବର୍ଷର ଏସ୍ପିଜି ସୁରକ୍ଷା
ଗାନ୍ଧୀ ପରିବାର ଅର୍ଥାତ୍ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ୨୮ ବର୍ଷ ଧରି ଏସ୍ପିଜି ସୁରକ୍ଷାବଳୟ ମଧ୍ୟରେ ରହିଥିଲେ। ୧୯୯୧ ମସିହାରେ ଆତ୍ମଘାତୀ ବୋମା ଆକ୍ରମଣରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ପରେ ପି.ଭି.ନରସିଂହ ରାଓ ସରକାର ଏସ୍ପିଜି ଆକ୍ଟ୍କୁ ସଂଶୋଧନ କରିଥିଲେ। ସଂଶୋଧିତ ଆଇନ ଅନୁସାରେ, ପୂର୍ବତନ ପ୍ରଧାନମନ୍ତ୍ରୀ ଓ ତାଙ୍କ ପରିବାରକୁ ୧୦ ବର୍ଷ ବା ଆବଶ୍ୟକତା ଅନୁସାରେ ଅଧିକ ସମୟ ଏସ୍ପିଜି ସୁରକ୍ଷା ଦିଆଯାଇପାରିବ ବୋଲି ପ୍ରାବଧାନ ରହିଲା। ଫଳରେ ୧୯୯୧ ମସିହାରୁ ହିଁ ସୋନିଆ ଗାନ୍ଧୀ ଓ ତାଙ୍କର ଦୁଇ ସନ୍ତାନ ୨୦୧୯ ମସିହା ନଭେମ୍ବର ୮ ତାରିଖ ପର୍ଯ୍ୟନ୍ତ ଏସ୍ପିଜି ସୁରକ୍ଷା ପାଇ ଆସୁଥିଲେ। ୨୦୧୯ ମସିହାରେ ଏସ୍ପିଜି ଆକ୍ଟ୍ରେ ସଂଶୋଧନ ଅଣାଯିବା ସହ କେନ୍ଦ୍ର ସରକାର ଗାନ୍ଧୀ ପରିବାରକୁ ଏସ୍ପିଜି ସୁରକ୍ଷାରୁ ହଟାଇ ସିଆର୍ପିଏଫ୍ ସୁରକ୍ଷାକର୍ମୀଙ୍କ ଦ୍ବାରା ଜେଡ୍ ପ୍ଲସ୍ ସୁରକ୍ଷା ବ୍ୟବସ୍ଥା ପ୍ରଦାନ କରିଛନ୍ତି। ୨୦୦୪ ମସିହାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ ପ୍ରଧାନମନ୍ତ୍ରିତ୍ବ ସରିଯାଇଥିବା ସତ୍ତ୍ବେ ମନମୋହନ ସିଂହ ସରକାର ଓ ମୋଦୀ ସରକାରରେ ତାଙ୍କୁ ଏସ୍ପିଜି ସୁରକ୍ଷା ଯୋଗାଇ ଦିଆଯାଇଥିଲା। ୧୬ ଅଗଷ୍ଟ ୨୦୧୮ ଅର୍ଥାତ୍ ତାଙ୍କ ମୃତ୍ୟୁ ପର୍ଯ୍ୟନ୍ତ ସେ ଏସ୍ପିଜି ସୁରକ୍ଷାବଳୟ ମଧ୍ୟରେ ରହିଥିଲେ।
ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବିଚ୍ୟୁତି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ସବୁଠାରୁ ଦକ୍ଷ ଏସ୍ପିଜି ସୁରକ୍ଷାକବଚ ପ୍ରାପ୍ତ। କିନ୍ତୁ, ଅନେକ ଥର ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥା ବି ଫେଲ୍ ମାରିଛି।
୨୦୨୩ ଏପ୍ରିଲ ୩୦ରେ କର୍ଣ୍ଣାଟକର ମହୀଶୂରଠାରେ ଏକ ରୋଡ୍ସୋ’ ଜଣେ ବିଜେପିକର୍ମୀ ଅତି ଉତ୍ସାହବଶତଃ ମୋଦୀଙ୍କ ଆଡ଼କୁ ଏକ ଫୋନ୍ ଫୋପାଡ଼ିଥିଲେ।
୨୦୨୩ ଜାନୁଆରି ୧୨ରେ କର୍ଣ୍ଣାଟକର ହୁବାଲିଠାରେ ଏକ ରୋଡ୍ସୋ’ରେ ମୋଦୀ ଯାଉଥିବା ବେଳେ ଏସ୍ପିଜି ସୁରକ୍ଷା ସତ୍ତ୍ବେ ଜଣେ ବାଳକ ଫୁଲମାଳ ଧରି ତାଙ୍କ ଅତି ନିକଟକୁ ମାଡ଼ିଆସିଥିଲା।
୨୦୨୩ ଜାନୁଆରି ୧୯ରେ ମୁମ୍ବାଇ ପୁଲିସ ରାମେଶ୍ବର ମିଶ୍ରା ନାମକ ଜଣେ ୩୫ ବର୍ଷୀୟ ଯୁବକଙ୍କୁ ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସରୁ ଗିରଫ କରିଥିଲା। ସେ ନ୍ୟାସ୍ନାଲ୍ ସିକ୍ୟୁରିଟି ଗାର୍ଡ ବେଶରେ ମୋଦୀଙ୍କ ସୁରକ୍ଷାବାହିନୀରେ ସାମିଲ ହୋଇ ଭିଭିଆଇପି ସୁରକ୍ଷା ବଳୟକୁ ଭେଦିବାକୁ ପ୍ରୟାସ କରୁଥିଲେ।
୨୦୨୨ ନଭେମ୍ବରରେ ଗୁଜରାଟ ବନସକାଣ୍ଠାରେ ମୋଦୀଙ୍କ କାର୍ଯ୍ୟକ୍ରମ ମଞ୍ଚର ନଟ୍-ବୋଲ୍ଟ ଖୋଲୁଥିବା ବେଳେ ଜଣେ ବ୍ୟକ୍ତି ଧରାପଡ଼ିଥିଲେ। ତାଙ୍କୁ ପୁଲିସ ଗିରଫ କରିଥିଲା।
୨୦୨୨ ଜାନୁଆରି ୫ରେ ପ୍ରଧାନମନ୍ତ୍ରୀ ପାକିସ୍ତାନ ସୀମାବର୍ତ୍ତୀ ହୁସେନିୱାଲାସ୍ଥିତ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ ଲାଗି ଯାଉଥିବା ବେଳେ ପଞ୍ଜାବର ଫିରୋଜପୁରନିକଟରେ ଆନ୍ଦୋଳନକାରୀ ଚାଷୀ ରାସ୍ତା ଅବରୋଧ କରିଥିଲେ। ମୋଦୀ ୨୦ମିନିଟ୍ ଧରି ରାସ୍ତାରେ ଅଟକି ରହିଥିଲେ।
ଭିଭିଆଇପିଙ୍କ କବଚ ‘ଜେଡ୍-ପ୍ଲସ୍’
ଏସ୍ପିଜି ସୁରକ୍ଷା ପରେ କୌଣସି ଭିଭିଆଇପିଙ୍କୁ ମିଳୁଥିବା ସବୁଠାରୁ ଉଚ୍ଚସ୍ତରୀୟ ସୁରକ୍ଷାବ୍ୟବସ୍ଥା ହେଉଛି ‘ଜେଡ୍ ପ୍ଲସ୍ ସୁରକ୍ଷା’। ଏଥିରେ ୧୦ରୁ ଅଧିକ ଏନ୍ଏସ୍ଜି କମାଣ୍ଡୋଙ୍କ ସମେତ ୫୫ ଜଣ ସଶସ୍ତ୍ରବାହିନୀ ସଦସ୍ୟଙ୍କ ଅଭେଦ୍ୟ ବଳୟ ରହିଥାଏ। ଏଥିସହ ଏହି ସୁରକ୍ଷା ବ୍ୟବସ୍ଥାରେ ୫ରୁ ଅଧିକ ବୁଲେଟ୍ ପ୍ରୁଫ୍ ଗାଡ଼ି ରହିଥାଏ। ଗୋଟିଏ ଜେଡ୍ ପ୍ଲସ୍ ସୁରକ୍ଷା ବଳୟ ପାଇଁ ମାସିକ ୩୩ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ। ବର୍ତ୍ତମାନ ଅମିତ ଶାହ, ରାଜନାଥ ସିଂହ, ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ଏମ୍.କେ. ଷ୍ଟାଲିନ୍, ଯୋଗୀ ଆଦିତ୍ୟନାଥ, ଉମା ଭାରତୀ ଓ ମୁକେଶ ଅମ୍ବାନୀ ପ୍ରମୁଖ ୪୦ ଜଣ ବ୍ୟକ୍ତିଙ୍କୁ କେନ୍ଦ୍ର ସରକାର ଜେଡ୍ ପ୍ଲସ୍ ସୁରକ୍ଷା ପ୍ରଦାନ କରିଛନ୍ତି। ଅମ୍ବାନୀଙ୍କ ଭଳି ଶିଳ୍ପପତିଙ୍କୁ ଜେଡ୍ ପ୍ଲସ୍ ସୁରକ୍ଷା ଦିଆଯାଇଥିବା ବେଳେ ଦେଶ ଭିତରେ ବା ବାହାରେ ଏହି ସୁରକ୍ଷା ଯୋଗାଇବା ଖର୍ଚ୍ଚ ନିଜେ ମୁକେଶ ଅମ୍ବାନୀ ବହନ କରୁଛନ୍ତି।
୮୦୦ରୁ ଅଧିକ ବ୍ୟକ୍ତିଙ୍କୁ ଜେଡ୍, ୱାଇପ୍ଲସ୍, ୱାଇ ଓ ଏକ୍ସ ସୁରକ୍ଷା
ତଥ୍ୟ ଅନୁସାରେ ଦେଶର ପ୍ରାୟ ୮୦୦ରୁ ଅଧିକ ଗୁରୁତ୍ବପୂର୍ଣ୍ଣ ଓ ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ଜେଡ୍, ୱାଇପ୍ଲସ୍, ୱାଇ ଓ ଏକ୍ସ ସୁରକ୍ଷା ପ୍ରଦାନ କରାଯାଉଛି। ଜେଡ୍ ସୁରକ୍ଷା ବ୍ୟବସ୍ଥାରେ ୨୨ ଜଣ ସଶସ୍ତ୍ରବାହିନୀ କର୍ମଚାରୀଙ୍କ ସମେତ ୪ରୁ ୬ ଜଣ କମାଣ୍ଡୋ ରହିଥା’ନ୍ତି। ଏହି ବ୍ୟବସ୍ଥାରେ ଭିଆଇପିଙ୍କୁ ୩ ଜଣ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ (ପିଏସ୍ଓ) ପ୍ରଦାନ କରାଯାଇଥାଏ। ଏଥିରେ ଗୁଳିନିରୋଧୀ ଗାଡ଼ି ସହ ସମୁଦାୟ ୫ଟି ଗାଡ଼ି ରହିଥାଏ। ଏହି ସୁରକ୍ଷା ବ୍ୟବସ୍ଥାରେ ମାସିକ ୧୬ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ।
ୱାଇ ପ୍ଲସ୍ ସୁରକ୍ଷାରେ ୧୧ ଜଣ ସୁରକ୍ଷା କର୍ମଚାରୀଙ୍କ ସହ ୨ରୁ ୪ ଜଣ କମାଣ୍ଡୋ ଓ ୨ ଜଣ ପିଏସ୍ଓ ଏବଂ ୨ରୁ ୩ଟି ଗାଡ଼ି ପ୍ରଦାନ କରାଯାଏ। ଏହି ସୁରକ୍ଷା ବ୍ୟବସ୍ଥା ପାଇଁ ମାସକୁ ୧୫ ଲକ୍ଷ ଟଙ୍କା ଖର୍ଚ୍ଚ ହୁଏ।
ୱାଇ ସୁରକ୍ଷା ବ୍ୟବସ୍ଥାରେ ୧ରୁ ୨ ଜଣ କମାଣ୍ଡୋ ଓ ୨ ଜଣ ପିଏସ୍ଓଙ୍କ ସମେତ ୮ ଜଣ ସୁରକ୍ଷାକର୍ମୀ ପ୍ରଦାନ କରାଯାଏ। ସୁରକ୍ଷା ପାଇଁ ଗୋଟିଏ କିମ୍ବା ଦୁଇଟି ଗାଡ଼ି ମଧ୍ୟ ରହିଥାଏ। ଏଥିଲାଗି ମାସକୁ ୧୨ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ।
ଶେଷକୁ ଆସୁଛି ଏକ୍ସ ସୁରକ୍ଷା ବ୍ୟବସ୍ଥା। ଏଥିରେ କମାଣ୍ଡୋ ନଥା’ନ୍ତି। ଏହି ସୁରକ୍ଷା ବ୍ୟବସ୍ଥାରେ କେବଳ ୨ ଜଣ ପିଏସ୍ଓ ଦିଆଯାଇଥାଏ। ଆବଶ୍ୟକ ସ୍ଥଳେ ଗୋଟିଏ କିମ୍ବା ଦୁଇଟି ଗାଡ଼ି ପ୍ରଦାନ କରାଯାଇପାରେ।
ବହୁ ରାଜନେତା, ପ୍ରଶାସନିକ ଅଧିକାରୀ ଓ ବିଚାରପତିଙ୍କ ଛଡ଼ା ଚଳଚ୍ଚିତ୍ର ଅଭିନେତା ଶାହରୁଖ ଖାନ୍, ସଲ୍ମାନ୍, କଙ୍ଗନା ରଣାୱତ୍, ଚଳଚ୍ଚିତ୍ର ନିର୍ମାତା ବିବେକ ଅଗ୍ନିହୋତ୍ରୀ ପ୍ରମୁଖଙ୍କୁ ୱାଇ ପ୍ଲସ୍ ସୁରକ୍ଷା ପ୍ରଦାନ କରାଯାଇଛି। ସେହିଭଳି ଅନୁପମ ଖେର୍, ଅକ୍ଷୟ କୁମାର ପ୍ରମୁଖଙ୍କୁ ଏକ୍ସ ସୁରକ୍ଷା ଯୋଗାଇ ଦିଆଯାଇଛି।
ରାଜକୀୟ ଥାଟରେ ସୁରକ୍ଷିତ ରାଷ୍ଟ୍ରପତି
ଦେଶର ପ୍ରଥମ ନାଗରିକ ରାଷ୍ଟ୍ରପତିଙ୍କୁ ରାଜକୀୟ ଶୈଳୀରେ ସୁରକ୍ଷା ଯୋଗାଇ ଦିଆଯାଏ। ରାଷ୍ଟ୍ରପତିଙ୍କୁ ‘ପ୍ରେସିଡେଣ୍ଟ୍ସ୍ ବଡିଗାର୍ଡ’ (ପିବିଜି) ସୁରକ୍ଷା ପ୍ରଦାନ କରିଥାଏ। ପିବିଜି ହେଉଛି ଭାରତୀୟ ସେନାର ଏକ ରାଜକୀୟ ଘରୋଇ ଅଶ୍ବାରୋହୀ ସୈନ୍ୟଦଳ, ଯାହାର ମୁଖ୍ୟ କାମ ହେଉଛି ରାଷ୍ଟ୍ରପତିଙ୍କର ଓ ରାଷ୍ଟ୍ରପତି ଭବନର ସୁରକ୍ଷା। ପିବିଜି ରାଷ୍ଟ୍ରପତି ଭବନରେ ହିଁ ଅବସ୍ଥାପିତ। ଏହି ସୁରକ୍ଷା ବ୍ୟବସ୍ଥା ୧୭୭୩ରେ ଗଭର୍ଣ୍ଣର୍ ଜେନେରାଲ୍ ୱାରେନ୍ ହେଷ୍ଟିଂସ୍ଙ୍କ ଦ୍ବାରା ଆରମ୍ଭ କରାଯାଇଥିଲା। ବର୍ତ୍ତମାନ ଏହି ରେଜିମେଣ୍ଟ୍ ବା ସୈନ୍ୟଦଳରେ ୪ ଅଧିକାରୀ, ୨୦ ଜଣ ଜୁନିଅର୍ କମିସନ୍ଡ୍ ଅଧିକାରୀ (ଜେସିଓ) ଏବଂ ୧୯୮ ଜଣ ଅଶ୍ବାରୋହୀ ସୈନ୍ୟ ରହିଛନ୍ତି। ଏଥିସହ ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ଗୁଳିନିରୋଧୀ ଯାନ ମଧ୍ୟ ବ୍ୟବହୃତ ହୋଇଥାଏ।