ଯଶୋବନ୍ତ ଯଶରାଜଙ୍କର ଓଡ଼ିଶା ସହ ଥିଲା ନିବିଡ଼ ସଂପର୍କ

ଭୁବନେଶ୍ୱର : ସଂଗୀତ ମାର୍ତଣ୍ଡ ପଣ୍ଡିତ ଯଶରାଜ ଓଡ଼ିଶାର ନଥିଲେ। ମାତ୍ର ଓଡ଼ିଶା ସହ ତାଙ୍କର ସମ୍ପର୍କ ଥିଲା ଅତି ନିବିଡ଼। ୧୯୭୫ ମସିହାରେ ମୁମ୍ବାଇରେ ଭି.ଶାନ୍ତାରାମଙ୍କ ଷ୍ଟୁଡିଓରେ ନିର୍ମିତ ହୋଇଥିବା ‘ଗୀତଗୋବିନ୍ଦ’ ନୃତ୍ୟନାଟିକାର ସଂଗୀତ ନିର୍ଦେଶନା ଦେଇଥିଲେ ପଣ୍ଡିତ ଯଶରାଜ। ସେତେବେଳେ ସେହି ନୃତ୍ୟନାଟିକାର ନୃତ୍ୟ ସଂଯୋଜନା କରିଥିଲେ ବିଶିଷ୍ଟ ଓଡ଼ିଶୀ ନୃତ୍ୟଗୁରୁ କେଳୁଚରଣ ମହାପାତ୍ର। ପଣ୍ଡିତ ଯଶରାଜଙ୍କ ପତ୍ନୀ ମଧୁରା ଶାନ୍ତାରାମ ଏହାର ପ୍ରଯୋଜନା କରିଥିଲେ। ସେଥିରେ କୃ‌ଷ୍ଣ ଭୂମିକାରେ ମାଧବୀ ମୁଦ୍‌ଗଲ ଅଭିନୟ କରିଥିବା ବ‌େଳେ ରାଧା ଚରିତ୍ରରେ ଅଭିନୟ କରିଥିଲେ ଭି.ଶାନ୍ତାରାମଙ୍କ କନ୍ୟା। ସେତେବେଳେ ନିର୍ମିତ ଏହି ଗୀତଗୋବିନ୍ଦ ନୃତ୍ୟନାଟିକା କାଳଜୟୀ ପାଲଟିବା ସହ ଗୁରୁ କେଳୁଚରଣ ମହାପାତ୍ରଙ୍କ ପରିବାର ସହ ପାରିବାରିକ ସମ୍ପର୍କ ଯୋଡ଼ି ହୋଇଗଲା।

ଏହା ପରେ ପଣ୍ଡିତଙ୍କ ସହ ମିଶି ଗୁରୁ କେଳୁଚରଣ ମହାପାତ୍ର ଅନେକ କାର୍ଯ୍ୟକ୍ରମ କରିଛନ୍ତି। ଏଥିସହ ପଣ୍ଡିତ ରଘୁନାଥ ପାଣିଗ୍ରାହୀ ଓ ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ ସଂଯୁକ୍ତା ପାଣିଗ୍ରାହୀଙ୍କ ସହ ମଧ୍ୟ ସେ ମଧ୍ୟ ସେ ନୃତ୍ୟ ମଞ୍ଚରେ ଦର୍ଶକଙ୍କୁ ରୋମାଞ୍ଚିତ କରିଥିଲେ। ଗୁରୁ କେଳୁଚରଣ ମହାପାତ୍ରଙ୍କ ମୃତ୍ୟୁ ପରେ ପଣ୍ଡିତ ଯଶରାଜ ବହୁତ ଭାଙ୍ଗି ପଡ଼ିଥିଲେ। ସେ ଗୁରୁ କେଳୁଚରଣ ମହାପାତ୍ରଙ୍କୁ ଏତେ ଭଲ ପାଉଥିଲେ ଯେ ତାଙ୍କ ମୃତ୍ୟୁ ପରେ ପରିବାର ସଦସ୍ୟ ଭଳି ମୃତ୍ୟୁ ପରର ୧୦ଦିନ ପର୍ଯ୍ୟନ୍ତ ଶାସ୍ତ୍ରବିଧି ମତେ ସମସ୍ତ ସଂସ୍କାର ମାନିଥିଲେ। ୧୦ ଦିନ ପରେ ଏପଟେ ଗୁରୁଙ୍କ ପରିବାର ତୁଠ ରୀତି କରୁଥିବା ବ‌େଳେ ସେ ନିଜ ଘରେ ଥାଇ ତୁଠ ରୀତି ସମ୍ପାଦନ କରିଥିଲେ। ଯେବେ ପଣ୍ଡିତ ଯଶରାଜ ୨୦୦୭ରେ ଓଡ଼ିଶା ପୁନର୍ବାର ଆସିଲେ, ଭୁବନେଶ୍ବର ଏୟାରପୋର୍ଟରେ ଗୁରୁ କେଳୁଚରଣଙ୍କ ପୁଅ ରତିକାନ୍ତ ମହାପାତ୍ରଙ୍କୁ ଦେଖି କାନ୍ଦି ପକାଇଥିଲେ। ପ୍ରତିଥର ଗୁରୁ କେଳୁଚରଣ ତାଙ୍କୁ ନେବାକୁ ଆସୁଥିବା ବେଳେ ସେଥର ତାଙ୍କ ଅନୁପସ୍ଥିତି ଯଶରାଜଙ୍କ ଆଖିରେ ଲୁହ ଆଣି ଦେଇଥିଲା।

ସମ୍ବନ୍ଧିତ ଖବର