ଓଡ଼ିଆ ଯାତ୍ରା ଜଗତରେ ନାରୀ ନାଟ୍ୟକାରଙ୍କ ମଧ୍ୟରେ ଲିଲି ଦାଶ ଅନ୍ୟତମ। ସେ ବହୁ ଲୋକପ୍ରିୟ ନାଟକ ରଚନା କରି ଓଡ଼ିଆ ଯାତ୍ରା ଦର୍ଶକଙ୍କ ମନ କିଣିପାରିଛନ୍ତି। ଅଧିକାଂଶ ଆଗଧାଡ଼ିର ଯାତ୍ରାନୁଷ୍ଠାନ ତାଙ୍କ ରଚିତ ନାଟକ ମଞ୍ଚସ୍ଥ କରିଛନ୍ତି। ୧୯୭୫ ମସିହାରେ କେନ୍ଦ୍ରାପଡ଼ା ଜିଲ୍ଲା ବାଘୁଆ କେଶପୁର ଗ୍ରାମରେ ଶିକ୍ଷାବିତ୍ ବ୍ରଜସୁନ୍ଦର ପଣ୍ଡା ଓ ଶକୁନ୍ତଳା ପଣ୍ଡାଙ୍କ କୋଳମଣ୍ଡନ କରିଥିଲେ ଲିଲି। ସ୍ନାତକୋତ୍ତର ଶିକ୍ଷା ପରେ ପଟ୍ଟାମୁଣ୍ଡାଇ ବେଲତଳ (ବନ୍ଧପଡ଼ା) ଗ୍ରାମର ଅଧ୍ୟାପକ ପ୍ରସନ୍ନ କୁମାର ଦାଶଙ୍କୁ ସେ ବିବାହ କରିଛନ୍ତି। ସଂଯୋଗକ୍ରମେ ଶ୍ବଶୁର ଗୋପୀନାଥ ଦାଶ ଓ ଶାଶୂ ମାନସୀ ଦାଶ ଥିଲେ ଯାତ୍ରାପ୍ରେମୀ। ଶ୍ବଶୁରଙ୍କ ପ୍ରେରଣାରେ ସେ ଯାତ୍ରା ନାଟକ ଲେଖିବା ଆରମ୍ଭ କରନ୍ତି। ୨୦୦୬ରେ ତାଙ୍କର ପ୍ରଥମ ନାଟକ ‘ବଡ଼ଭାଉଜଙ୍କ ସାନଭଉଣୀ’ ମୁକ୍ତିକାନ୍ତ ନାୟକଙ୍କ ନିର୍ଦ୍ଦେଶନାରେ ପଞ୍ଚସଖା ଗଣନାଟ୍ୟ ଦ୍ବାରା ମଞ୍ଚସ୍ଥ ହୁଏ। ଏହା ପରଠାରୁ ତାଙ୍କ ନାଟକଗୁଡ଼ିକ ଦର୍ଶକଙ୍କ ଦ୍ବାରା ପ୍ରଶଂସିତ ହେବା ସହ ସେ ନାଟକ ରଚନାରେ ନିଜକୁ ନିମଗ୍ନ ରଖିଛନ୍ତି।

Advertisment

୨୦୧୫ ମସିହାରେ ଶିବାନୀ ଗଣନାଟ୍ୟ ପ୍ରଯୋଜିତ ଲିଲିଙ୍କ ରଚିତ ନାଟକ ‘ରାଜଧାନୀ ଝିଅ ରାଜନନ୍ଦିନୀ’ ଶ୍ରେଷ୍ଠ ନାଟକ ଭାବେ ଓଡ଼ିଶା ଯାତ୍ରା ପୁରସ୍କାର ଲାଭ କରିଥିଲା। ଲିଲି ଦାଶ ଶ୍ରେଷ୍ଠ ନାଟ୍ୟକାର ଭାବେ ସମ୍ମାନିତ ହୋଇଥିଲେ। ତାଙ୍କର ଅନ୍ୟ ସଫଳ ନାଟକଗୁଡ଼ିକ ମଧ୍ୟର ରହିଛି କଳିଙ୍ଗ ଗଣନାଟ୍ୟର ‘ଶ୍ରାବଣ ମାସର ଶେଷ ରାତି’, ‘ସଞ୍ଜ ଆସେ ନଇଁ ନଇଁ ଲୋ’, ‘ସ୍ବାମୀ ଆସିଥିଲା ରାତିକ ପାଇଁ’। ସେହିପରି ‘ପ୍ରେମ ନଗରୀରେ ପ୍ରୀତି ବଜାର’ (ସଚ୍ଚିଦାନନ୍ଦ ଗଣନାଟ୍ୟ), ‘ରଙ୍ଗିଲା ରାଧିକା ରଜନୀଗନ୍ଧା’ (ଶିବାନୀ ଗଣନାଟ୍ୟ), ‘ଏ ରଜନୀ ତୁ କାହାର ସଜନୀ’ ଓ ‘ଘରଣୀ ନୁହେଁ ସେ ବାଉଁଶରାଣୀ’ (ବାଘାଜତିନ ଗଣନାଟ୍ୟ), ‘କାହାଣୀ କହୁଚି ସୂର୍ଯ୍ୟମନ୍ଦିର’(ଅପେରା ସୂର୍ଯ୍ୟମନ୍ଦିର) ବି ଲୋକପ୍ରିୟତା ଲାଭ କରିଛି। ଚଳିତ ବର୍ଷ ଯାତ୍ରା ଦୁର୍ଗାମନ୍ଦିର ତାଙ୍କ ରଚିତ ‘ଅପରେସନ୍‌ ସିନ୍ଦୂର’ ମଞ୍ଚସ୍ଥ କରିବାକୁ ଯାଉଛି। ତୁଷାରକାନ୍ତ ପଟ୍ଟନାୟକଙ୍କ ନିର୍ଦ୍ଦେଶନାରେ ଏହାର ପ୍ରସ୍ତୁତି ଶେଷ ହୋଇଛି।
-ନାରାୟଣ କୁମାର ରାଉତରାୟ