ନାଟ୍ୟକାର ନିହାର ମହାନ୍ତି ଓ ନିର୍ଦ୍ଦେଶକ ପ୍ରଶାନ୍ତ ନାୟକଙ୍କ ଯୋଡ଼ି ଶିବାନୀ ଗଣନାଟ୍ୟ ଲାଗି ପ୍ରସ୍ତୁତ କରିଥିବା ‘ହା କୃଷ୍ଣ ବୋଲି ଯାଉ ଜୀବ’ ଶ୍ରେଷ୍ଠ ନାଟକ ମାନ୍ୟତା ପାଇଥିଲା। ଏ ବର୍ଷ ଯାତ୍ରା ସ୍ୱର୍ଣ୍ଣମହଲରେ ଏହି ଯୋଡ଼ି ସ୍ୱାଧୀନତା ସମୟର ଏକ ସତ୍ୟ ଘଟଣାକୁ ନେଇ ‘ଗୁହାରି ଶୁଣ ଦୀନବନ୍ଧୁ’ ପ୍ରସ୍ତୁତ କରିଛନ୍ତି। ଚଳିତ ବର୍ଷ ଏ ନାଟକ ବ୍ୟାବସାୟିକ ସଫଳତା ପାଇବା ସଙ୍ଗେ ସଙ୍ଗେ ସୁପର୍ହିଟ୍ ମାନ୍ୟତା ପାଇବ ବୋଲି ଆଶା କରାଯାଉଛି। ୧୯୪୭ ଅଗଷ୍ଟ ୧୫ ତାରିଖରେ ଦେଶ ସ୍ୱାଧୀନ ହୋଇଛି। ଲୋକଙ୍କ ସରକାର ଶାସନକୁ ଆସିଛି। ହେଲେ ଗାଁର ବଡ଼ ବଡ଼ ସାହୁକାରମାନଙ୍କ ଅତ୍ୟାଚାର ସେମିତି ଚାଲିଥାଏ। ନିଆଳି ଥାନା ଅନ୍ତର୍ଗତ ତେଲିପାଟଣା ଗାଁ ସାହୁକାର ମାଖନ ତେଲି ତା’ ସାନଭାଇ ମିଲନ ତେଲି ଗରିବ ଲୋକମାନଙ୍କୁ କମ୍ ଟଙ୍କା ଦେଇ ଦିନରାତି ଖଟାଉଥାଆନ୍ତି। ସେଇ ଗାଁର ବାସୁଦେବଙ୍କର ସ୍ତ୍ରୀ ଦେବକୀ, ବଡ଼ପୁଅ ଦୃଷ୍ଟିବାଧିତ କାଶୀ, ସାନପୁଅ ଦୀପକ ଓ ଝିଅ ସୁମିକୁ ନେଇ ସଂସାର।
ସାନପୁଅକୁ ଡାକ୍ତରୀ ପାଠ ପଢ଼ାଇବା ପାଇଁ ମାଖନ ତେଲିର ଘଣାରେ କାମକରନ୍ତି ବାସୁଦେବ। ଦୁର୍ଭାଗ୍ୟକୁ ବାସୁଦେବ ସେଠି ଦୁର୍ଘଟଣାର ଶିକାରହୋଇ ଅକର୍ମଣ୍ୟ ହୋଇଯାଆନ୍ତି। ବଡ଼ପୁଅ କାଶୀ ପରିବାରର ବୋଝ ସମ୍ଭାଳିବା ପାଇଁ ତେଲଘଣାରେ କାମକରେ। ତା’ ମନରେ ସ୍ୱପ୍ନ ଥାଏ ସାନଭାଇ ଡାକ୍ତର ହେବ, ଭଉଣୀକୁ ବାହାଦେବ। ହେଲେ ସାନଭାଇ ଡାକ୍ତର ହୋଇ ମାଖନ ତେଲିର ଭଉଣୀକୁ ବାହାହୁଏ। ବାପା, ମା’ ଓ ଭାଇଭଉଣୀଙ୍କୁ ପଚାରେନାହିଁ। ମାଖନର ସାନଭାଇ ମିଲନ ତେଲି କାଶୀର ଭଉଣୀ ସୁମିକୁ ଦୁଷ୍କର୍ମ କରେ। ନ୍ୟାୟ ପାଇଁ କାଶୀ ଅଦାଲତକୁ ଯାଏ। ସେଇ ରାଗରେ ମାଖନ କାଶୀ ପରିବାର ଉପରେ ଅତ୍ୟାଚାର କରେ। ଶେଷରେ ହତାଶ ହୋଇ କାଶୀ ଦୀନବନ୍ଧୁଙ୍କୁ ଗୁହାରି କରେ ଏବଂ ତା’ ଗୁହାରି ଶୁଣନ୍ତି ଦୀନବନ୍ଧୁ। ଏହି ନାଟକର ମୁଖ୍ୟଭୂମିକାରେ ଥିବା ଅଭିନେତାଅଭିନେତ୍ରୀ ସୁବାସ ବେହେରା, ଭାବନା ଓ ଝୁନାଙ୍କ ଅଭିନୟ ଯାଦୁରେ ବାନ୍ଧି ହୋଇଯାଉଛନ୍ତି ଯାତ୍ରା ଦର୍ଶକ। ସଂଗୀତ ନିର୍ଦ୍ଦେଶକ ନିଗମ ମିଶ୍ରଙ୍କର ଗୀତ ଏହାର ଅନ୍ୟତମ ଆକର୍ଷଣ।
-ନାରାୟଣ କୁମାର ରାଉତରାୟ