ଦମ୍ଦାର୍ ସଂଳାପ ଉଚ୍ଚାରଣ ଲାଗି ଚର୍ଚ୍ଚିତ ହୋଇଥିବା ଅଭିନେତ୍ରୀ ମାମା ଚଳିତ ଯାତ୍ରାଋତୁରେ ପ୍ରଯୋଜକ ଚିତ୍ତରଂଜନ ରାଜ ଓ ପରିଚାଳକ ଭୁଦାନିବାବୁଙ୍କ ନୂତନ ଯାତ୍ରା ଅନୁଷ୍ଠାନ ଅପେରା ରାଜ ଦରବାରରେ ସ୍ବାମୀ ଅଭିନେତା ଗୁନୁଙ୍କ ସହିତ ଯୋଗ ଦେଇଛନ୍ତି। ଯାତ୍ରାରେ ଅଭିନୟ ଜୀବନ ପ୍ରାରମ୍ଭରୁ କମେଡି ତଥା ସହନାୟିକା ଭାବେ ଉଭୟ ପଜେଟିଭ୍ ଓ ନେଗେଟିଭ୍ ଭୂମିକାରେ ଅଭିନୟ କରି ଦର୍ଶକଙ୍କ ପ୍ରିୟପାତ୍ର ହୋଇପାରିଛନ୍ତି ମାମା। ଗୌରୀ ଗଣନାଟ୍ୟର ନାଟକ ‘ସ୍ୱାମୀର ସିନ୍ଦୂର ସତ ଲାଗୁନି’ରେ ପ୍ରଥମେ ମୁଖ୍ୟ ନାୟିକା ଚରିତ୍ରରେ ଅଭିନୟ କରିବାକୁ ସୁଯୋଗ ପାଇଥିଲେ। ଏହାପରେ ସେ ସଫଳତାର ସହ ଗୋଟିଏ ପରେ ଗୋଟିଏ ନାଟକରେ ଅଭିନୟ କରିଚାଲିଛନ୍ତି।
‘ସ୍ତ୍ରୀମାନେ ସାବଧାନ’, ‘ଯିଏ ବାହା ହେବ ସିଏ ମରିବ’, ‘ତୋ ଚାରିଖୁରାକୁ ଜୁହାର’, ‘କଥା ଉଠିଛି ତୋ ନାଁରେ’, ‘ଧରମ ସ୍ତ୍ରୀ’, ‘ମୋ ଠିକଣା ମୋତେ ଅଜଣା’, ‘ଦେଖିଲେ ଜାଣିବ ଦରଦ କେତେ’, ‘ମୁଁ ବାହୁବଳୀ’, ‘ଅଧେ ତୋର ଅଧେ ମୋର’, ‘ବାହା ହେଇଛ କି ବାଡ଼ୁଅ ଅଛ’ ଓ ‘କେମିତି ରାତି ସେ କେମିତି ସାଥୀ’ ଆଦି ତାଙ୍କର ସଫଳ ନାଟକ। ଯାତ୍ରା ଦୁର୍ଗା ମନ୍ଦିର ପ୍ରଯୋଜିତ ‘ଭୁଲି ଯିବା ପରେ ଭଲରେ ଅଛି ମୁଁ’, ‘ସନ୍ଦେହୀ ସିନ୍ଦୂର କରିଛି ପର’, ‘କନ୍ଦେନା ଲୁହ ସରିଯିବ’ରେ ବି ମନଛୁଆଁ ଅଭିନୟ କରିଥିଲେ ମାମା। ଗତ ଯାତ୍ରାଋତୁରେ କଳିଙ୍ଗ ଗଣନାଟ୍ୟରେ ଯୋଗ ଦେଇ ‘ହେ ଈଶ୍ୱର ମୋତେ ମୃତ୍ୟୁ ଦିଅ’, ‘ହସରେ ତୁମେ ନା ଲୁହରେ ତୁମେ’, ‘କାନ୍ଦେନାରେ ବାଇଆମନ’ ନାଟକରେ ଦମ୍ଦାର୍ ଅଭିନୟ କରି ଦର୍ଶକଙ୍କ ମନ ଛୁଇଁଥିଲେ ସେ।
ଚଳିତ ଯାତ୍ରାଋତୁରେ ଅପେରା ରାଜ ଦରବାରରେ ନାଟ୍ୟକାର ଡ. ଅରୁଣ ନାୟକଙ୍କ ରଚିତ ତଥା ବିକ୍ରମ ନାୟକଙ୍କ ନିର୍ଦ୍ଦେଶିତ ‘ଗୋଟିଏ ଚଷାପୁଅର ପ୍ରେମ କାହାଣୀ’, ନାଟ୍ୟକାର ଡ. ନିହାରରଞ୍ଜନ ମହାନ୍ତି ଓ ନିର୍ଦ୍ଦେଶକ ପ୍ରଶାନ୍ତ ନାୟକ (ବଳିଆ ସାର୍)ଙ୍କ ନାଟକ ‘ପୁଅ ଜନ୍ମକରି ପାପ କରିଛି’, ନାଟ୍ୟକାର ଡ. ଦୀପକ ଜେନା ଓ ନିର୍ଦ୍ଦେଶକ ସୁରେଶ ନାୟକଙ୍କ ନାଟକ ‘କେତେ କନ୍ଦାଇବୁ କଳାସାଆନ୍ତ’, ନାଟ୍ୟକାର ଓ ନିର୍ଦ୍ଦେଶକ ପ୍ରଦୀପ ବେହେରାଙ୍କ ନାଟକ ‘ଆଖି ପଲକରେ ଖୋଜୁଛି ତୋତେ’ରେ ଅଭିନୟ କରୁଛନ୍ତି।
-ନାରାୟଣ କୁମାର ରାଉତରାୟ