ନୂଆଦିଲ୍ଲୀ: ଅସ୍ବାଭାବିକ ମରୁଡ଼ି ଏବଂ ବନ୍ୟା ଭଳି ଜଳବାୟୁ ପରିବର୍ତ୍ତନଜନିତ କୁପ୍ରଭାବ ଯୋଗୁଁ ଦକ୍ଷିଣପୂର୍ବାଞ୍ଚଳ ଇରାନ୍‌ରେ(ସିସ୍ତାନ-ବାଲୁଚିସ୍ତାନ୍) କୁମ୍ଭୀରମାନେ ଅତି ବିପଦସଙ୍କୁଳ ପରିସ୍ଥିତିରେ ଅଛନ୍ତି ଏବଂ ମଣିଷଙ୍କୁ ଆକ୍ରମଣ କରୁଛନ୍ତି ବୋଲି ଇରାନ୍‌ର ଅଗ୍ରଣୀ କୁମ୍ଭୀର ବିଶେଷଜ୍ଞ ଅସ୍‌ଗର୍‌ ମୋବାରାକି ଏକ ଆଲେଖ୍ୟରେ କହିଛନ୍ତି।

Advertisment

ପ୍ରସଙ୍ଗକୁ ସ୍ପଷ୍ଟ କରିବାକୁ ଯାଇ ସେ କହିଛନ୍ତି, ଏହି କୁମ୍ଭୀର ମଣିଷଙ୍କୁ ଆକ୍ରମଣ କଲା ଭଳି  ବଡ଼ ଆକାରର ନୁହନ୍ତି। ତେଣୁ, ସେମାନେ ମଣିଷ ଶିକାର କରନ୍ତି ନାହିଁ। କିନ୍ତୁ, ଗ୍ରୀଷ୍ମ ଏବଂ ବର୍ଷା ଋତୁରେ କୁମ୍ଭୀର ଆକ୍ରାତ୍ମକ ହୋଇଉଠନ୍ତି । ୧୯୭୯ ମସିହାରୁ ଏଯାବତ୍ ହୋଇଥିବା ୪/୫ଟି  ଆକ୍ରମଣରେ କେବଳ ସ୍କୁଲ୍‌ ପିଲା ହିଁ  କୁମ୍ଭୀରଙ୍କର ଶିକାର ହୋଇଛନ୍ତି । ଗତ ୪ ବର୍ଷ ଭିତରେ ୨ ଥର କୁମ୍ଭୀର ଆକ୍ରମଣ ହୋଇଛି। ଏଥିରେ ଦୁଇଜଣ ପିଲା ବାହୁ ଓ ହାତ ହରାଇଛନ୍ତି।

ଅସ୍‌ଗର୍‌ ମୋବାରାକିଙ୍କ  ଅନୁସାରେ, ୨୦୧୨ ରୁ ୨୦୨୨ ମଧ୍ୟରେ ହୋଇଥିବା ୮ଟି କୁମ୍ଭୀର ଆକ୍ରମଣ ଘଟଣାରେ ମାତ୍ର ଗୋଟିଏ ଥିଲା ମାରାତ୍ମକ। ୨୦୧୨ ପୂର୍ବରୁ ସେ ଗୋଟିଏ ମାତ୍ର କୁମ୍ଭୀର ଆକ୍ରମଣ ଘଟଣା ରେକର୍ଡ କରିଥିଲେ। ଉକ୍ତ ମାରାତ୍ମକ ଆକ୍ରମଣ ୨୦୦୩ରେ ଘଟିଥିଲା। ଏହା ପୂର୍ବରୁ ମଧ୍ୟ କୁମ୍ଭୀର ଆକ୍ରମଣ ଘଟଣା ଘଟିଥାଇ ପାରେ, କିନ୍ତୁ ସେ ସଂକ୍ରାନ୍ତରେ କୌଣସି ସରକାରୀ ରେକର୍ଡ ନାହିଁ ବୋଲି ବିଶ୍ବବ୍ୟାପୀ କୁମ୍ଭୀର ଆକ୍ରମଣ ଡାଟାବେସ୍‌ ‘କ୍ରକୋବାଇଟ୍‌’ ପରିଚାଳନା କରୁଥିବା ବ୍ରାଣ୍ଡନ୍‌ ସାଇଡଲ୍ୟୁ କହିଛନ୍ତି।

ବର୍ଦ୍ଧିଷ୍ଣୁ ଜଳବାୟୁ ପରିବର୍ତ୍ତନ ପରିସ୍ଥିତିରେ ଇରାନ୍‌ରେ ମାନବ-କୁମ୍ଭୀର ମୁହାଁମୁହିଁର ପ୍ରତିକାର ପାଇଁ କ’ଣ କରାଯିବା ଉଚିତ?

ମୋବାରକି କହନ୍ତି, ଜନସାଧାରଣଙ୍କୁ ଏ ସଂକ୍ରାନ୍ତରେ ଶିକ୍ଷା ଦେବା ସହ ସତର୍କ କରାଇବା, ଭିତ୍ତିଭୂମି ଉନ୍ନତ କରିବା, ଚଳିବା ପାଇଁ ମୌଳିକ ସୁବିଧା ଯୋଗାଇ ଦେବା, ମାନବ ବସତି ବିକାଶ ପରିଚାଳନା କରିବା, କୁମ୍ଭୀର ପରିଚାଳନା କରିବା ସହ କୁମ୍ଭୀର ବିତାଡ଼ନ ଯନ୍ତ୍ର ବ୍ୟବହାର କରାଯାଇ ପାରିଲେ ସମସ୍ୟାର କ‌େତେକାଂଶ ସମାଧାନ ହୋଇପାରିବ।

publive-image Image Courtesy of Down to Earth

ସାଇଡ୍‌ଲ୍ୟୁ କହନ୍ତି, ଭାରତ ଓ ଶ୍ରୀଲଙ୍କାରେ କୁମ୍ଭୀର ଆକ୍ରମଣ ନିରାକରଣ ପାଇଁ‌ ଯେଭଳି ପଦକ୍ଷେପ ଗ୍ରହଣ କରାଯାଉଛି ଇରାନ୍‌ରେ ମଧ୍ୟ ସେପରି କରାଯିବା ଉଚିତ। ସାଧାରଣତଃ, ଇରାନ୍‌ର ମଧୁରଜଳ ଅଞ୍ଚଳରେ ସ୍ନାନ କରୁଥିବା ଏବଂ ଲୁଗାପଟା ସଫା କରୁଥିବା ବ୍ୟକ୍ତିଙ୍କ ଉପରେ କୁମ୍ଭୀର ଆକ୍ରମଣ କରୁଛନ୍ତି। ତେଣୁ, ଇରାନ୍‌ରେ କୁମ୍ଭୀର ଆକ୍ରମଣର ଅବସାନ ନିମନ୍ତେ ‘କ୍ରକୋଡାଇଲ୍‌ ଏକ୍ସକ୍ଲୁସନ୍‌ ଏନ୍‌କ୍ଲୋଜର୍‌’ ଖୁବ୍‌ ଫଳପ୍ରଦ ହେବ।

ସିସ୍ତାନ-ବାଲୁଚିସ୍ତାନ୍ ଅଞ୍ଚଳକୁ ଇରାନ୍‌ର ସବୁଠୁ ଦରିଦ୍ର ଏବଂ ଅନୁନ୍ନତ ଅଞ୍ଚଳ ଭାବେ ବିବେଚନା କରାଯାଏ। ଏହା ପାକିସ୍ତାନକୁ ଲାଗିଥିବାରୁ ଏଠାରେ ଥିବା କୁମ୍ଭୀର ବା ମଗର ଭାରତୀୟ ଉପମହାଦେଶରେ ଦେଖାଯାଉଥିବା କୁମ୍ଭୀର ପ୍ରଜାତିର। କଦବା କ୍ବଚିତ୍‌ ଏହି ପ୍ରଜାତିରେ ଆଞ୍ଚଳିକ ଫରକ ଦେଖା ଦେଇପାରେ। ପେଟେଇ ପେଟେଇ ଚାଲୁଥିବାରୁ ବାଲୋଚି ଭାଷାରେ କୁମ୍ଭୀରମାନଙ୍କୁ ‘ଗଣ୍ଡୋ’ କୁହାଯାଏ। ସମ୍ପ୍ରତି ଇରାନ୍‌ରେ ପ୍ରାୟ ୫୦୦ ‘ଗଣ୍ଡୋ’ ଥିବା ଆକଳନ କରାଯାଇଛି।