ମଣିଷ ଜୀବନକୁ ସୁନ୍ଦର କରିବାରେ ଯୋଗ କେତେ ସାହାଯ୍ୟ କରେ, ଏବେ ଅଧିକାଂଶ ଲୋକ ଜାଣିଲେଣି। ଏବେ ତ ଦେଖା ଯାଉଛି, ପ୍ରାଚୀନ ଭାରତର ଏଇ ଯୋଗ ବିଜ୍ଞାନ ପ୍ରତି ଶିକ୍ଷିତ ଓ ଆଧୁନିକ ଲୋକମାନେ ଅଧିକ ଆଗ୍ରହ ପ୍ରଦର୍ଶନ କରୁଛନ୍ତି। କାରଣ ଏବେ ଆମ ଜୀବନ ପୂର୍ବ ଅପେକ୍ଷା ଆହୁରି ଜଟିଳ ଓ ବ୍ୟସ୍ତ ହୋଇ ଗଲାଣି। ଏଇଥିପାଇଁ ପାଶ୍ଚାତ୍ୟର ଲୋକମାନେ ମଧ୍ୟ ଯୋଗ ପ୍ରତି ଅଧିକରୁ ଅଧିକ ଆକର୍ଷିତ ହେଉଛନ୍ତି।
ଯୋଗର ବିଭିନ୍ନ ଶାଖା ଅଛି। ତା’ ଭିତରୁ ଗୋଟିଏ ହେଉଛି ରାଜଯୋଗର ସହଜ ମାର୍ଗ ଯୋଗ। ନିଜ ହୃଦୟକୁ କେନ୍ଦ୍ରକରି କରା ଯାଉଥିବା ଏହି ସ୍ୱତନ୍ତ୍ର ଯୋଗ ପଦ୍ଧତିକୁ ସାରା ବିଶ୍ୱରେ ପ୍ରଚାର କରୁଛି ‘ଶ୍ରୀ ରାମ ଚନ୍ଦ୍ର ମିଶନ୍‌’ ଏବଂ ତା’ର ‘ସହଜ ମାର୍ଗ ସ୍ପିରିଚ୍ୟୁଆଲ୍‌ ଫାଉଣ୍ଡେସନ୍‌’। ବର୍ତ୍ତମାନ ଏହାର ମୁଖ୍ୟ (ଯାହାଙ୍କୁ ଶିଷ୍ୟମାନେ ‘ମାଷ୍ଟର୍‌’ ସମ୍ବୋଧନ କରନ୍ତି) କମଲେଶ ଡି. ପଟେଲ୍‌। ସେ ହେଉଛନ୍ତି ଉକ୍ତ ପରମ୍ପରାର ଚତୁର୍ଥ ମାର୍ଗଦର୍ଶକ।
ଏହି ରାଜଯୋଗର ସହଜ ମାର୍ଗ ଯୋଗ ପଦ୍ଧତିର ପ୍ରଥମ ମାର୍ଗଦର୍ଶକ ଥିଲେ ଉତ୍ତରପ୍ରଦେଶର ଫତେଗଡ଼ରେ ଜନ୍ମିତ ଶ୍ରୀ ରାମ ଚନ୍ଦ୍ର (୧୮୭୩-୧୯୩୧)। ସେ ପ୍ରାଚୀନ ଭାରତୀୟ ଋଷିମାନେ ଅନୁସରଣ କରୁଥିବା ଓ କାଳକ୍ରମେ ଲୋକେ ଭୁଲି ଯାଇଥିବା ପ୍ରାଣାହୁତି ଯୋଗ ପଦ୍ଧତିକୁ ପୁନରାବିଷ୍କାର କରିଥିଲେ। ତାଙ୍କର ଶିଷ୍ୟ ତଥା ଉତ୍ତରାଧିକାରୀ ରାମ ଚନ୍ଦ୍ର (୧୮୯୯-୧୯୮୩) ସେହି ପଦ୍ଧତିକୁ ଆହୁରି ସରଳ ଓ ପ୍ରଭାବଶାଳୀ କରିଥିଲେ। ସେ ହିଁ ଏଇ ଶ୍ରୀ ରାମ ଚନ୍ଦ୍ର ମିଶନ୍‌ ସ୍ଥାପନ କରିଥିଲେ। ତାଙ୍କ ପରେ ମାର୍ଗଦର୍ଶକ ହେଲେ ଶ୍ରୀ ପାର୍ଥସାରଥି ରାଜଗୋପାଳଚାରୀ (୧୯୨୭-୨୦୧୪)। ତାଙ୍କରି ସମୟରେ ବିଦେଶରେ ଏହି ସଂଗଠନର କାର୍ଯ୍ୟ ପୂର୍ବ ଅପେକ୍ଷା ଅନେକ ବଢ଼ିଥିଲା। ଦେଶ ଓ ବିଦେଶର ଅନେକ ସ୍ଥାନରେ ଯୋଗକେନ୍ଦ୍ର, ଦାତବ୍ୟ ଚିକିତ୍ସା କେନ୍ଦ୍ର, ଶିକ୍ଷାକେନ୍ଦ୍ର ଆଦି ସ୍ଥାପନ କରା ଯାଇଥିଲା। ତାଙ୍କ ପରେ ୨୦୧୪ରୁ କମଲେଶ ଡି. ପଟେଲ୍‌ ଏହାର ମୁଖ୍ୟ ଅଛନ୍ତି। ଉଲ୍ଲେଖନୀୟ ଯେ ସେ ଅନେକ ବର୍ଷ ଧରି ନ୍ୟୁୟର୍କରେ ଚାକିରି କରୁଥିଲେ।
ବର୍ତ୍ତମାନ ଏହି ସଂଗଠନ ପକ୍ଷରୁ ଭାରତର ସବୁ ରାଜ୍ୟରେ ଯୋଗକେନ୍ଦ୍ର ଅଛି, ଯାହାର ସଂଖ୍ୟା ପ୍ରାୟ ଏକ ହଜାର ହେବ। ବିଦେଶରେ ମଧ୍ୟ ତା’ଠାରୁ ଅଧିକ କେନ୍ଦ୍ର ରହିଛି। ବର୍ତ୍ତମାନ ଚେନ୍ନାଇରେ ଥିବା ଆଶ୍ରମଟି ଏହାର ମୁଖ୍ୟାଳୟ ଭାବେ କାମ କରୁଛି। ତେବେ ଖୁବ୍‌ ଶୀଘ୍ର ତାହା ହାଇଦ୍ରାବାଦ ନିକଟରେ ଥିବା କାହ୍ନା ଶାନ୍ତିବନ (କାହ୍ନା ଶାନ୍ତି ବନମ୍‌)କୁ ସ୍ଥାନାନ୍ତରିତ ହୋଇଯିବ।
କାହ୍ନା ଶାନ୍ତିବନକୁ ଏକ ବିଶାଳ ଓ ସୁନ୍ଦର ପରିଯୋଜନା କୁହାଯିବ। ହାଇଦ୍ରାବାଦ ସହରକୁ ଲାଗି ରଙ୍ଗାରେଡ୍ଡି ଜିଲ୍ଲାର ଚେଗୁରରେ ଥିବା ଏହି ସୁବିଶାଳ ଆଶ୍ରମଟି ଆରମ୍ଭ ହୋଇଥିଲା ୨୦୧୦-୨୦୧୧ ମସିହାରେ। ବର୍ତ୍ତମାନ ଏହା ପ୍ରାୟ ୧,୨୦୦ ଏକର ଜମି ଉପରେ ଅବସ୍ଥିତ। ଏକାଧିକ ହ୍ରଦ ଓ ପୋଖରୀ, ବିଭିନ୍ନ ଜାତିର ବିରଳ ଗଛଲତା ତଥା ପନିପରିବା ବଗିଚାରେ ଭରପୂର ସେହି ଆଶ୍ରମର ନୈସର୍ଗିକ ସୌନ୍ଦର୍ଯ୍ୟ ନିଜେ ଅନୁଭବ ନ କଲେ ଜାଣିବା ସମ୍ଭବ ନୁହେଁ। ଆଶ୍ରମରେ ଅଛି ଏକାଧିକ ନର୍ସରି, ଯେଉଁଠାରେ ଚାରା ସୃଷ୍ଟିକରି ଆଶ୍ରମରେ ରୋପଣ କରା ଯାଉଛି। ଆଶ୍ରମରେ ଏକ ଘନ ଅରଣ୍ୟ ସୃଷ୍ଟି କରିବାର ଲକ୍ଷ୍ୟ ରଖା ଯାଇଛି। ଉଲ୍ଲେଖନୀୟ ଯେ ବୃକ୍ଷ ରୋପଣ କରି ପରିବେଶ ସୁରକ୍ଷା କରୁଥିବାରୁ ନିକଟରେ ତେଲେଙ୍ଗାନା ସରକାର ଏହି ଆଶ୍ରମକୁ ପୁରସ୍କାର ଦେଇଛନ୍ତି। ଆଶ୍ରମ ଯେଉଁ ସ୍ଥାନରେ ଅଛି, ତାହା ଏକ ଯଥେଷ୍ଟ ବର୍ଷା ହେଉ ନ ଥିବା ଇଲାକା। ତେବେ ଆଶ୍ରମ ପ୍ରତିଷ୍ଠା ପରଠାରୁ ସେ ଅଞ୍ଚଳରେ ଅଧିକ ବର୍ଷା ହେଉଛି ବୋଲି ଲୋକେ କହନ୍ତି। ଏହା ସେଠାରେ ପ୍ରତିଦିନ ଅନୁଷ୍ଠିତ ହେଉଥିବା ସାମୁହିକ ଯୋଗର ପ୍ରଭାବ ବୋଲି ଆଶ୍ରମବାସୀଙ୍କ ମତ।
କାହ୍ନା ଶାନ୍ତିବନକୁ ବର୍ତ୍ତମାନ ଏକ ଆଧୁନିକ ସମନ୍ନିତ ଟାଉନ୍‌ସିପ୍‌ ଭାବେ ଗଢ଼ାଯାଉଛି, ଯାହା ଭିତରେ ଲୋକଙ୍କ ରହିବାଲାଗି ଘର, ଏକାଧିକ ବିଶାଳ ଯୋଗ ପ୍ରଶିକ୍ଷଣ କେନ୍ଦ୍ର, ଯୋଗକେନ୍ଦ୍ର, ଏକାଧିକ ଅଡିଟୋରିୟମ୍‌, ମନୋରଞ୍ଜନ କେନ୍ଦ୍ର, କ୍ୟାଣ୍ଟିନ୍‌ ଆଦି ରହିଛି। ସେଠାରେ ଯେପରି ଏକ ସମୟରେ ୩୦,୦୦୦ ଲୋକ ରହିପାରିବେ, ଯୋଜନା ରଖା ଯାଇଛି। ବର୍ତ୍ତମାନ କିଛି ନିର୍ମାଣକାର୍ଯ୍ୟ ଅଧା ହୋଇଥିଲେ ମଧ୍ୟ ସେଠାରେ ବେଶ୍‌ କିଛି ହଜାର ଲୋକଙ୍କ ରହିବାର ସମସ୍ତ ଆଧୁନିକ ସୁବ୍ୟବସ୍ଥା ସହ କେତୋଟି ଯୋଗକେନ୍ଦ୍ର, ପ୍ରଶିକ୍ଷଣ କେନ୍ଦ୍ର, ଏକ ସୁବିଶାଳ ରନ୍ଧନାଗାର ଓ କ୍ୟାଣ୍ଟିନ୍‌ ଆଦି ଚାଲୁ ରହିଛି। ଆଶ୍ରମର ଅନେକ କାମ ଦେଶ ବିଦେଶରୁ ଆସୁଥିବା ସ୍ୱେଚ୍ଛାସେବୀଙ୍କ ଦ୍ୱାରା ହୁଏ। ଉଲ୍ଲେଖନୀୟ ଯେ ବର୍ଷର ବିଭିନ୍ନ ସମୟରେ ସେଠାରେ ଅନ୍ତର୍ଜାତୀୟ ସେମିନାର୍‌ ଆଦି ମଧ୍ୟ ଅନୁଷ୍ଠିତ ହେଉଛି। ଦେଶ ବିଦେଶରୁ ଅନେକ ଲୋକ ଏଠାକୁ ଆସି ସେହି ସୁନ୍ଦର ପ୍ରାକୃତିକ ପରିବେଶ ଭିତରେ ଯୋଗ ସାଧନା କରି ମନ ଶରୀରରେ ନୂଆ ଆଗ୍ରହ ଓ ସ୍ଫୂର୍ତ୍ତି ନେଇ ନିଜ ଘର ଓ କାମକୁ ଫେରି ଯାଉଛନ୍ତି। ଏସବୁ କାମ ଦେଶ ବିଦେଶରେ ଥିବା ଏ ପଦ୍ଧତିକୁ ଅନୁସରଣ କରୁଥିବା ଶିଷ୍ୟମାନଙ୍କ ଦାନରେ ଚାଲିଛି। ସେହି ଦାନରେ ଭାରତ ସମେତ ୧୩୦ଟି ଦେଶରେ ସଂଗଠନ ଚଳାଇଥିବା ଜନହିତକର କାର୍ଯ୍ୟ ହେଉଛି।
ସହଜ ମାର୍ଗର ହାର୍ଟଫୁଲ୍‌ନେସ୍‌ ଯୋଗ ଆଜିର ଆଧୁନିକ ଜୀବନ ପାଇଁ ବେଶ୍‌ ଲାଭଦାୟକ ବୋଲି ଏହାକୁ ଅନୁସରଣ କରୁଥିବା ଲୋକେ ମତ ଦିଅନ୍ତି। ସାଧାରଣ ଲୋକେ ସବୁଦିନେ ଏହାକୁ ଯେଭଳି ଅଭ୍ୟାସ କରି ପାରିବେ, ସେଥିପାଇଁ ଏହାକୁ ଖୁବ୍‌ ସରଳିକୃତ କରା ଯାଇଛି। ଏଥିରେ ଅଛି ତିନିଟି ସ୍ତର- ଧ୍ୟାନ, ନିର୍ମଳ କାର୍ଯ୍ୟ ତଥା ପ୍ରାର୍ଥନା। ଏହାକୁ ଅଭ୍ୟାସ କଲେ ଜୀବନରେ ଏକ ସୁନ୍ଦର ପରିବର୍ତ୍ତନ ଆସିବ ବୋଲି ସେମାନଙ୍କର ଦାବି। ଉଲ୍ଲେଖନୀୟ ଯେ ଆଧୁନିକ ସମୟର ପାରିବାରିକ ଜୀବନରେ ଏହା ସୁନ୍ଦର ଭାବେ କରିହେବ। ସବୁ ବୟସର ଲୋକେ ବି ଏହାକୁ କରି ପାରିବେ।
ନିକଟ ଭବିଷ୍ୟତରେ ଏହି କାମକୁ ଆହୁରି ବ୍ୟାପକ କରି ସାରା ପୃଥିବୀରେ ଆହୁରି ଅନେକ ପ୍ରଶିକ୍ଷକ ସୃଷ୍ଟିକରି ପ୍ରତିଟି ଲୋକଙ୍କ ପାଖକୁ ହାର୍ଟଫୁଲ୍‌ନେସ୍‌ ଯୋଗକୁ ନେଇ ଯିବାଲାଗି ଶ୍ରୀ ରାମଚନ୍ଦ୍ର ମିଶନ୍‌ ଯୋଜନା ରଖିଛି।