ଯୋଗ ଦର୍ଶନରେ ପଞ୍ଚ ବିଶୃଙ୍ଖଳା

ପତଞ୍ଜଳିଙ୍କ ‘ଯୋଗ ଶାସ୍ତ୍ର’ ଅନୁଯାୟୀ, ଆତ୍ମା ପାଞ୍ଚ ପ୍ରକାରର ବିଶୃଙ୍ଖଳା ଦ୍ବାରା ପ୍ରଭାବିତ ହୋଇପାରେ। ସେଗୁଡ଼ିକ ମଧ୍ୟରୁ କେତେକ ଆନନ୍ଦ ଦିଅନ୍ତି, ଆଉ କେତେକ ଦୁଃଖ। ଇନ୍ଦ୍ରିୟାନୁଭବ ପ୍ରଥମ ପ୍ରକାରର ବିଶୃଙ୍ଖଳା। ଇନ୍ଦ୍ରିୟ ଦ୍ବାରା ସୂଚନା ପାଇବାର କାମନା ବା କୌତୂହଳ ଦ୍ବିତୀୟ ପ୍ରକାରର ବିଶୃଙ୍ଖଳା। କୌତୂହଳର ବଶବର୍ତ୍ତୀ ମଣିଷ, ସ୍ଥୂଳ ଜ୍ଞାନକୁ ଚିରନ୍ତନ ସତ୍ୟ ଭାବେ ଗ୍ରହଣ କରିଥାଏ। ଭାବପ୍ରବଣତା ସୃଷ୍ଟି କରାଉଥିବା ଚେତନା, ତତ୍ତ୍ବ ଓ ସିଦ୍ଧାନ୍ତ ତୃତୀୟ ପ୍ରକାରର ବିଶୃଙ୍ଖଳା। ଏସବୁ କେବଳ ମିଥ୍ୟା ଲକ୍ଷ୍ୟ ପଥରେ ଅଗ୍ରସର ହେବା ପାଇଁ ପ୍ରୋତ୍ସାହନ ଦିଅନ୍ତି। ଅବସାଦ ହେଉଛି, ଚତୁର୍ଥ ପ୍ରକାରର ବିଶୃଙ୍ଖଳା। ମନ୍ଦକୁ ଗ୍ରହଣ କଲେ ଏବ˚ ମିଥ୍ୟାକୁ ଚିରସ୍ଥାୟୀ ଭାବିଲେ ଅବସାଦ ଆସେ। ଅସତର୍କ ମଣିଷ, ମନ୍ଦର କୁପ୍ରଭାବରୁ ମୁକ୍ତି ପାଇପାରେନାହିଁ। ବାହ୍ୟ ବସ୍ତୁ ସ୍ଥାୟୀ ବୋଲି ଭ୍ରାନ୍ତି ସୃଷ୍ଟି କରୁଥିବା ସ୍ମୃତିଶକ୍ତି, ପଞ୍ଚମ ପ୍ରକାରର ବିଶୃଙ୍ଖଳା। ଏହା ପ୍ରଭାବରେ ମଣିଷ ଅସ୍ଥାୟୀ ଘଟନା ଓ ପଦାର୍ଥ ଆଦିକୁ ଅଯଥାରେ ଦିନ ଦିନ ଧରି ମନେରଖେ। ଫଳରେ ଚିରନ୍ତନତା ଉପଲବ୍‌ଧି ହୁଏନାହିଁ। କେବଳ ଉଦ୍ୟମ ଓ ଧୈର୍ଯ୍ୟର ସହ ଯୋଗ ବର୍ଣ୍ଣିତ ମାର୍ଗରେ ସାଧନା କଲେ, ମଣିଷ ପଞ୍ଚ-ବିଶୃଙ୍ଖଳାର କୁପ୍ରଭାବରୁ ମୁକ୍ତି ପାଇପାରିବ।

ସମ୍ବନ୍ଧିତ ଖବର