ସ୍ପିକ୍‌ ମାକେ’ର ଯୋଗ ଓ ପରମ୍ପରା ଉତ୍ସବ

ଭୁବନେଶ୍ବର : ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ସ୍ପିକ୍ ମାକେ ପକ୍ଷରୁ ୫ ଦିନିଆ ଅନ୍‌ଲାଇନ ଯୋଗ ଓ ଧ୍ୟାନ ଅଧିବେଶନ ଅନୁଷ୍ଠିତ ହେଉଛି। ମହାମାରୀ ସମୟରେ ଯୁବବର୍ଗର ମାନସିକ ସନ୍ତୁଳନ ରକ୍ଷା ଉଦ୍ଦେଶ୍ୟ ନେଇ ଏହା ଆୟୋଜିତ ହେଉଛି। ଗତ ୧୭ ତାରିଖରୁ ଏହା ଆରମ୍ଭ ହୋଇଥିବା ବେ‌ଳେ ଆସନ୍ତାକାଲି ଅନ୍ତର୍ଜାତୀୟ ଯୋଗ ଦିବସରେ ଶେଷ ହେବ। ଉସ୍ତାଦ ୱାସିଫୁଦ୍ଦିନ ଡଗର, ସନ୍ନ୍ୟାସୀ ଦେବାନନ୍ଦ ଓ ବି.କେ ଶ୍ରୀନିଧି ଯୋଗ ଓ ଧ୍ୟାନ ଅଧିବେଶନରେ ପ୍ରଶିକ୍ଷଣ ଦେଉଛନ୍ତି।

ସ୍ପିକ୍‌ ମାକେ ୟୁ-ଟ୍ୟୁବ୍‌ ଚ୍ୟାନେଲରେ ଏହାର ସିଧା ପ୍ରସାରଣ ଭୋର୍‌ ୪ଟାରୁ ସକାଳ ସାଢ଼େ ୭ଟା ପର୍ଯ୍ୟନ୍ତ ଦେଖିବାକୁ ମିଳୁଛି। ବିଶ୍ବର ଲକ୍ଷାଧିକ ଛାତ୍ର ଛାତ୍ରୀ ଏହି ଅଧିବେଶନ ପାଇଁ ପଞ୍ଜୀକୃତ କରିଛନ୍ତି। ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ରବିବାର ସକାଳ ସାଢ଼େ ୭ଟାରେ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡ଼ୁ ଏବଂ ଛତିଶଗଡ଼ର ରାଜ୍ୟପାଳ ଅନସୂୟା ୟୁକେ ଭିଡିଓ ‌ବାର୍ତା ପ୍ରଦାନ କରିବେ। ସ୍ପିକ୍‌ ମାକେ କେବଳ ଏହି ଯୋଗ ଦିବସ ପାଳନ କରୁନାହିଁ ବରଂ ସମଗ୍ର ବିଶ୍ବରେ ଯୋଗର ପ୍ରଭାବ ସମ୍ପର୍କରେ ସଚେତନତା ସୃଷ୍ଟି କରିଛି। ଏଥିସହ ଆଜିଠାରୁ ସ୍ପିକ୍‌ ମାକେ ପକ୍ଷରୁ ପରମ୍ପରା ଉତ୍ସବ ଆରମ୍ଭ ହୋଇଛି। ଏଥିରେ ଆଜି ରିତେଶ ଓ ରଜନୀଶ ମିଶ୍ର ହିନ୍ଦୁସ୍ତାନୀ କଣ୍ଠ ସଂଗୀତ ଓ ଅଭିଷେକ ରଘୁରାମ କର୍ଣ୍ଣାଟକୀ ସଂଗୀତ ପରିବେଷଣ କରିଛନ୍ତି। ୨୮ତାରିଖ ପର୍ଯ୍ୟନ୍ତ ଏହି ସଂଗୀତ କାର୍ଯ୍ୟକ୍ରମ ସ୍ପିକ୍‌ ମାକେ’ର ୟୁ-ଟ୍ୟୁବ୍‌ ଚ୍ୟାନେଲରେ ସନ୍ଧ୍ୟା ୬ଟାରେ ସିଧା ପ୍ରସାରଣ ଦେଖିବାକୁ ମିଳିବ।

ସମ୍ବନ୍ଧିତ ଖବର