୧୨୫ ବର୍ଷ ବଞ୍ଚିଲେଣି ଯୋଗ ଗୁରୁ ସ୍ୱାମୀ ଶିବାନନ୍ଦ, ଏହା ପଛର କାରଣ ଆପଣ ଜାଣନ୍ତି କି?

ଯୋଗ ଗୁରୁ ସ୍ୱାମୀ ଶିବାନନ୍ଦ । ଜନ୍ମ ୮ ଅଗଷ୍ଟ ୧୮୯୬ ମସିହାରେ ହୋଇଥିବା ବେଳେ ଏବେ ତାଙ୍କ ବୟସ ୧୨୫ ବର୍ଷ । ଗତ ସପ୍ତାହରେ ରାଷ୍ଟ୍ରପତି ଭବନରେ ଯେତେବେଳେ ପଦ୍ମଶ୍ରୀ ସମ୍ମାନ ଗ୍ରହଣ କରିବାକୁ ତାଙ୍କ ନାଁ ଡକାଗଲା ଏବଂ ସେ ଆସି ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭୂମିଷ୍ଟ ପ୍ରଣାମ କଲେ, ସେତେବେଳେ ତାଙ୍କୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ଏହି ଦୃଶ୍ୟ ଦେଖିବା ପରେ ସାରା ଦେଶରେ ପଦ୍ମଶ୍ରୀ ସ୍ୱାମୀ ଶିବାନନ୍ଦଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । ବିଶେଷ କରି ତାଙ୍କର ଦୀର୍ଘ ୧୨୫ ବର୍ଷ ନିରାମୟ ଜୀବନ ଧାରଣ ପଛରେ କଣ ରହସ୍ୟ ରହିଛି ତାହା ଜାଣିବା ପାଇଁ ସମସ୍ତଙ୍କ ମନରେ ଆଗ୍ରହ ଆସିଥିଲା । ଏହି ଆଗ୍ରହକୁ ଦେଖି ଆଜି ଆମେ ଆପଣଙ୍କୁ ତାଙ୍କ ସହ ଜଡ଼ିତ ଅନେକ ଅଜଣା କଥା ଜଣାଇବୁ।

ସ୍ୱାମୀ ଶିବାନନ୍ଦ ବର୍ତ୍ତମାନ ବାରଣାସୀର ଦୁର୍ଗାକୁଣ୍ଡସ୍ଥିତ କବିରନଗର ଆଶ୍ରମରେ ରହୁଛନ୍ତି । ଦୀର୍ଘ ବର୍ଷ ବଞ୍ଚିବା ପଛର କାରଣ ହେଉଛି ତାଙ୍କର ସରଳ ଓ ସୁଦ୍ଧ ଜୀବନଶୈଳୀ । ୧୨୫ ବର୍ଷ ବୟସରେ ଆଜି ମଧ୍ୟ ସେ ରାତିି ୩ଟାରେ ଶଯ୍ୟାତ୍ୟାଗ କରିଥାନ୍ତି । ନିତ୍ୟକର୍ମ ଶେଷ କରିବା ପରେ ସ୍ନାନ କରି ଶ୍ରୀମଦ୍ ଭଗବତ ଗୀତା ପାଠ କରିଥାନ୍ତି । ଏହାପରେ ସେ ଯୋଗାସନ ଓ ପ୍ରାଣାୟମ୍ କରିଥାନ୍ତି । ଏମିତି କୌଣସି ଦିନ ନାହିଁ ଯେଉଁଦିନ ସେ ଯୋଗ କରିନାହାଁନ୍ତି । ଖାସ୍ ଏଥିପାଇଁ ସେ ଆଜି ପର୍ଯ୍ୟନ୍ତ କେବେ ରୋଗରେ ପଡିନାହାନ୍ତି ବୋଲି କହନ୍ତି ସ୍ୱାମୀ ଶିବାନନ୍ଦ । ସ୍ୱାମୀଜୀଙ୍କ ଖାଦ୍ୟ ପାନୀୟ ମଧ୍ୟ ଅତି ସାଧାରଣ । ସେ ଲୁଣ ଏବଂ ତେଲ ଖାଆନ୍ତି ନାହିଁ। କ୍ଷୀର ଏବଂ ଦାମୀ ଫଳ ନଖାଇବା ସହ ପ୍ରତିଦିନ ସେ କଞ୍ଚା ହଳଦୀ ଖାଇଥାନ୍ତି । ଏହା ସହିତ ଅଦା, ଧନିଆ, ଗୋଲମରିଚ, ଲବଙ୍ଗ, ତେଜପତ୍ରରେ ତିଆରି କାଢା ପିଇ ଭୂଇଁରେ ମଶିଣା ପକାଇ ଶୋଇଥାନ୍ତି ।

 ୧୮୯୬ ମସିହା ଅଗଷ୍ଟ ୮ ତାରିଖରେ ବାଂଲାଦେଶ ସିଲ୍‌ହଟ୍ ଜିଲ୍ଲାର ହରିପୁର ଗାଁରେ ଜନ୍ମଗ୍ରହଣ କରିଥିଲେ ସ୍ୱାମୀ ଶିବାନନ୍ଦ । ତାଙ୍କୁ ଯେତେବେଳେ ମାତ୍ର ୬ ବର୍ଷ ହୋଇଥିଲା ସେ ଉଭୟ ବାପା ମାଆଙ୍କୁ ହରାଇଥିଲେ । ବାପା ମାଆ ଚାଲିଯିବା ପରେ ସମ୍ପର୍କୀୟମାନେ ତାଙ୍କୁ ନେଇ ପଶ୍ଚିମବଙ୍ଗର ନବଦ୍ୱୀପରେ ଏକ ଆଶ୍ରମରେ ଛାଡିଦେଇଲେ । ସେଠାରେ ସେ ଗୁରୁ ଓମ୍‌କାରାନନ୍ଦ ଗୋସ୍ୱାମୀଙ୍କ ପାଖରେ ରହି ପାରମ୍ପରିକ ଶିକ୍ଷା ବଦଳରେ ବୈଦିକ ଶିକ୍ଷା ଗ୍ରହଣ କରିବା ସହିତ ଯୋଗ ଶିଖିବା ଆରମ୍ଭ କଲେ ।

ଆଜି ପର୍ଯ୍ୟନ୍ତ ସେ କେବେ ବିଚଳିତ ହୋଇନଥିବା ସହ ସବୁବେଳେ ହସହସ ରହିଥାନ୍ତି । ସେ କହନ୍ତି, ଏହି ପୃଥିବୀ ହେଉଛି ମୋର ଘର ଏବଂ ଲୋକମାନେ ହେଉଛନ୍ତି ମୋର ବାପା ମାଆ । ଲୋକଙ୍କ ସେବା କରିବା ହେଉଛି ମୋର ଧର୍ମ । ବାରଣାସୀ, ପୁରୀ, ହରିଦ୍ୱାର, ନବଦ୍ୱୀପ ଆଦି ବିଭିନ୍ନ ତୀର୍ଥ କ୍ଷେତ୍ରରେ ଆଶ୍ରମ ସ୍ଥାପନ କରି ସେ ଦୁଃଖୀ ଦରିଦ୍ରଙ୍କ ସେବାରେ ନିଜକୁ ସମର୍ପିତ କରିଦେଇଛନ୍ତି । ସ୍ୱାମୀ ଶିବାନନ୍ଦଙ୍କର ଓଡିଶା ସହିତ ରହିଛି ଦୀର୍ଘଦିନର ସମ୍ପର୍କ । ଗତ ୫୦ ବର୍ଷ ଧରି ସେ ପୁରୀ ସହିତ ଜଡିତ । ବିଶେଷ କରି ଏଠାରେ ସେ କୁଷ୍ଠ ରୋଗରେ ପୀଡିତ ରୋଗୀଙ୍କ ପାଇଁ ବିଭିନ୍ନ ସହାୟତା କରିଆସୁଛନ୍ତି । ଗତ ୫୦ ବର୍ଷ ଭିତରେ ସେ ପୁରୀରେ ୪ ଶହରୁ ୬ ଶହ କୁଷ୍ଠ ରୋଗୀଙ୍କୁ ବଞ୍ଚିବାର ବାଟ ଦେଖାଇଛନ୍ତି ।

ସମ୍ବନ୍ଧିତ ଖବର