ଏହା ଖାଲି ଏକ ଯୋଗ ନୁହେଁ, ବରଂ ମା’ର ପିଲା ସହ ଅଧିକ ଅନ୍ତରଙ୍ଗ ହେବାର ଏକ ମାଧ୍ୟମ। ଖାସ୍ କରି ସନ୍ତାନ ପ୍ରସବ ପରେ ମା’ ଶରୀରରେ ଅନେକ ପରିବର୍ତ୍ତନ ଆସିଯାଇଥାଏ। ମୋଟା ହେବା ସହ ଶରୀରର ଆକାର ବି ବଢ଼ିଯାଏ। ତେଣୁ ଯୋଗ ମାଧ୍ୟମରେ ନିଜର ପୂର୍ବ ଗଠନକୁ ଫେରିବାକୁ ସମସ୍ତଙ୍କ ଇଚ୍ଛା ଥାଏ। କିନ୍ତୁ ପିଲାକୁ ଛାଡ଼ି କୌଣସି ଯୋଗ କ୍ଲାସ୍ କରିବା ପାଇଁ ସମୟ ହୁଏ ନାହିଁ। ତେଣୁ ଏହାକୁ ଆଖି ଆଗରେ ରଖି ଏକ ନୂଆ ଯୋଗର ପରିକଳ୍ପନା କରାଯାଇଛି। ଏହାର ନାମ ହାମ୍ଜାମ୍ ବା ମମ୍ମି-ବେବି ଯୋଗ। ଏହି ଯୋଗକୁ ଉଭୟ ମା’ ଓ ପିଲା ଏକତ୍ର ଅଭ୍ୟାସ କରନ୍ତି। ବିଭିନ୍ନ ଯୋଗାସନ ମଧ୍ୟରୁ ୫ଟିକୁ ଆପଣ ନିଜ ଶିଶୁ ସହ ଅଭ୍ୟାସ କରିପାରିବେ। ଏଗୁଡ଼ିକ ହେଲା, ଅଧୋମୁଖା ସଭାସନ, ଚତୁରଙ୍ଗା ଦଣ୍ଡାସନ, ପରୀପୂର୍ଣ୍ଣା ନଭାସନ, ଉତ୍ତାନସନ, ଜାନୁ ଶୀର୍ଷାସନ। ଏହାଦ୍ବାରା ମା’ର ଶରୀର ସୁସ୍ଥ ରହିବା ସହିତ ସୁଢ଼ଳ ଓ ସତେଜ ରହିଥାଏ। ଏହା ସହିତ ପିଲାର ବୌଦ୍ଧିକ ବିକାଶ ହେବା ସହ ସେ ନିରୋଗ ରହେ। ପିଲାକୁ ଭଲ ନିଦ୍ରା ହୋଇଥାଏ ବୋଲି ଯୋଗଗୁରୁ ଗଣେଶ୍ବର ଗୋଚ୍ଛିକାର କହିଛନ୍ତି। ଆସନ୍ତୁ ଅଧୋମୁଖା ସଭାସନ ବା ପର୍ବତାସନ ବିଷୟରେ ଜାଣିବା।
ପ୍ରଥମେ ବାମ ପାଦକୁ ପଛକୁ ଡାହାଣ ପାଦ କଡ଼କୁ ନିଅନ୍ତୁ।
ତା’ ସହ ନିତମ୍ବ ଉଠାନ୍ତୁ ଏବଂ ମୁଣ୍ଡକୁ ଦୁଇ ବାହୁ ମଝିଦେଇ ତଳକୁ କରନ୍ତୁ, ଯେମିତି ପିଠି ଓ ଗୋଡ଼ ଓ ହାତକୁ ଶେଷ ସ୍ଥିତିରେ ସିଧା ରଖନ୍ତୁ।
ଶେଷ ସ୍ଥିତିରେ ଗୋଇଠିକୁ ଭୂଇଁରେ ରଖିବାକୁ ଚେଷ୍ଟା କରନ୍ତୁ। ମୁଣ୍ଡକୁ ଆଣ୍ଠୁ ଆଡ଼କୁ ଆଣନ୍ତୁ।
ଏହି ସ୍ଥିତିରେ ଗୋଡ଼ ଓ ହାତର ସ୍ନାୟୁ ଓ ମାଂସପେଶୀ ଶକ୍ତ ହୁଏ। ମେରୁଦଣ୍ଡୀୟ ସ୍ନାୟୁ କାର୍ଯ୍ୟକ୍ଷମ ହୁଏ ଏବଂ କାନ୍ଧ ଫଳକ ମଝିରେ ଉପର ମେରୁଦଣ୍ତରେ ରକ୍ତ ସଂଚାଳନରେ ସହାୟକ ହୁଏ। ଏହା ସହିତ ପିଲାର ହଜମ ଭଲ ହେବା ସହିତ ଭୋକ ମଧ୍ୟ ଲାଗିଥାଏ।