ଆମ ଶିକ୍ଷା ବ୍ୟବସ୍ଥା ଏପରି ବିପର୍ଯ୍ୟସ୍ତ ଯେ, ପାଠପଢ଼ା ସରିବା ପରେ ପିଲାମାନେ ନିଜର ବୃତ୍ତିଗତ ଭବିଷ୍ୟତ କଥା ଚିନ୍ତା କରୁଛନ୍ତି। ଲକ୍ଷ୍ୟ ନିର୍ଦ୍ଧାରଣ କ୍ଷେତ୍ରରେ ସମସ୍ୟା ଭୋଗି ଯୁବପିଢ଼ି ପଥଭ୍ରଷ୍ଟ ହେଉଛନ୍ତି। ପ୍ରତ୍ୟେକ ପିଲା ନିଜର ଲକ୍ଷ୍ୟ ସମ୍ପର୍କରେ ସଚେତନ ହେବା ଜରୁରି। ଲକ୍ଷ୍ୟପଥ ଜାଣିଲେ ହିଁ ଯାଇ ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରିବ ବୋଲି ‘ବୃତ୍ତି ଚୟନ କ୍ଷେତ୍ରରେ ଆହ୍ବାନ’ ଶୀର୍ଷକ ଆଲୋଚନାଚକ୍ରରେ ଅତିଥିମାନେ ମତ ରଖିଛନ୍ତି। ଏହି ଆଲୋଚନାରେ ଅଂଶଗ୍ରହଣ କରି ସୋଆ କ୍ବାଣ୍ଟମ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ନିର୍ଦ୍ଦେଶକ ପ୍ରଫେସର ପ୍ରଶାନ୍ତ କୁମାର ପାଣିଗ୍ରାହୀ କହିଲେ, ବିଜ୍ଞାନର ଅଗ୍ରଗତି ଦ୍ବାରା ସମାଜର ଅଗ୍ରଗତି ହୋଇଥାଏ। ବର୍ତ୍ତମାନର ଶିକ୍ଷାନୀତି ଆମକୁ ନିଜର କ୍ୟାରିୟର୍ ପ୍ରତି ସଚେତନ କରୁଛି।

Advertisment

ଯେଉଁ କ୍ଷେତ୍ର ପ୍ରତି ରୁଚି ରହିଛି, ସେଥିରେ ଦକ୍ଷତା ହାସଲ କରି ଅଗ୍ରସର ହେବା ଆବଶ୍ୟକ। ଓଡିଏମ୍ ଗ୍ଲୋବାଲ ସ୍କୁଲର ଅଧ୍ୟକ୍ଷ ସତ୍ୟବ୍ରତ ମୀନକେତନ କହିଲେ, ଛାତ୍ରଛାତ୍ରୀଙ୍କୁ ନିଜର କ୍ୟାରିୟର୍ ପ୍ରତି ଶିକ୍ଷକମାନେ ସଚେତନ କରିବା ଜରୁରି। ଅନୁରୂପ ଭାବେ ଅଭିଭାବକ ନିଜର ଇଚ୍ଛାକୁ ପିଲାଙ୍କ ଉପରେ ନ ଲଦି, ବୃତ୍ତି ଚୟନ କ୍ଷେତ୍ରରେ ପୂର୍ଣ୍ଣ ସ୍ବାଧୀନତା ଦେବାର ଆବଶ୍ୟକତା ରହିଛି। ଷଷ୍ଠ ଶ୍ରେଣୀରୁ ହିଁ ପିଲାଙ୍କୁ ନିଜର ବୃତ୍ତି ଚୟନ ଲାଗି ସ୍ବାଧୀନତା ଦେବା ଉଚିତ। ନିଜର ଦକ୍ଷତା ଓ ଶକ୍ତିକୁ ଚିହ୍ନିପାରିଲେ ଆଗକୁ ବଢ଼ିପାରିବ। ଚଳିତ ବର୍ଷର ଓଜେଏସ୍ ଟପ୍ପର ସୋମେଶ ରଣବିଜୁଳି କହିଲେ, ଛାତ୍ରଛାତ୍ରୀଙ୍କ ପାଇଁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେଉଛି ଧୈର୍ଯ୍ୟ। ନିଷ୍ଠାର ସହିତ ପରିଶ୍ରମ କଲେ ଲକ୍ଷ୍ୟସ୍ଥଳରେ ନିଶ୍ଚିତ ପହଞ୍ଚି ପାରିବା। କେବଳ ପାଠପଢ଼ାରେ ମନୋନିବେଶ ନକରି ପାରିପାର୍ଶ୍ବିକ ସ୍ଥିତି କ’ଣ ରହିଛି ତାହା ମଧ୍ୟ ଜାଣିବା ଦରକାର। ଯାହାକି ଆମକୁ ବୃତ୍ତିଗତ କ୍ଷେତ୍ରରେ ଆଗକୁ ବଢ଼ିବାରେ ସହାୟକ ହେବ। ସ୍ବସ୍ତିକା ପଣ୍ଡା କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ।