ଏକ ଅଧ୍ୟୟନ ଅନୁଯାୟୀ, ଭାରତରେ ସର୍ଭେ କରାଯାଇଥିବା ୮୧ ପ୍ରତିଶତ ମହିଳା କହିଛନ୍ତି ଯେ ସେମାନେ ଅବିବାହିତ ଏବଂ ଏକାକୀ ରହିବାକୁ ଅଧିକ ପସନ୍ଦ କରନ୍ତି। ୬୩% ମହିଳା କହିଛନ୍ତି ଯେ, ଡେଟିଂ କରିବା ସମୟରେ ସେମାନେ ସେମାନଙ୍କର ସ୍ବାଧୀନତା ଓ ଆବଶ୍ୟକତାକୁ କାହାସହ ବାଣ୍ଟିପାରିବେ ନାହିଁ। ଅନ୍ୟ ଏକ ସର୍ଭେ ଅନୁଯାୟୀ, ୮୩ ପ୍ରତିଶତ ମହିଳା କହିଛନ୍ତି ସେମାନେ ସଠିକ୍ ବ୍ୟକ୍ତି ନ ପାଇବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପ୍ରସ୍ତୁତ ଅଛନ୍ତି। ତଥାପି କିଛି ପରିବାରର ଚାପ ତଥା ସମାଜର ବିଧି ବ୍ୟବସ୍ଥା ପାଖରେ ନିଜର ଅନିଚ୍ଛା ସତ୍ତ୍ବେ ବିବାହ କରିବାକୁ ବାଧ୍ୟ ହେଉଛନ୍ତି। ସାଂପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି କିମ୍ବା ନିଜ ଜୀବନଶୈଳୀରେ ପରିବର୍ତ୍ତନ ଚାହୁନଥିବା କାରଣରୁ ହୁଏତ ଅନେକ ଯୁବକଯୁବତୀ ବିବାହରୁ ମୁହଁ ଫେରାଇ ନେଉଛନ୍ତି।
ଡେଟିଂ ଆପ୍ ବମ୍ବଲ୍ର ଏକ ଅଧ୍ୟୟନ ଅନୁଯାୟୀ, ପ୍ରାୟ ୨ରୁ ୫ (୩୯%) ଭାରତୀୟ ଡେଟର୍ ବିଶ୍ୱାସ କରନ୍ତି ଯେ, ସେମାନଙ୍କ ପରିବାର ସେମାନଙ୍କୁ ବିବାହ ପାଇଁ ବାଧ୍ୟ କରନ୍ତି। ଅଧିକାଂଶ ଯୁବପିଢ଼ି ବିବାହ କରିବାକୁ ଅନିଚ୍ଛା ପ୍ରକାଶ କରନ୍ତି। ପ୍ରାୟ ୩୯% ବିବାହକୁ ନେଇ ଚାପରେ ରହନ୍ତି ବୋଲି ଜଣାପଡ଼ିଛି। ଭାରତୀୟ ବିବାହ ଋତୁରେ ସର୍ବେକ୍ଷଣ କରାଯାଇଥିବା ଅବିବାହିତ ଭାରତୀୟଙ୍କ ମଧ୍ୟରୁ ପ୍ରାୟ ଏକ ତୃତୀୟାଂଶ (୩୩%) କହିଛନ୍ତି, ସେମାନେ ଏକ ପ୍ରତିବଦ୍ଧ, ଦୀର୍ଘସ୍ଥାୟୀ ସମ୍ପର୍କ ସ୍ଥାପନ କରିବାକୁ ବାଧ୍ୟ ବୋଲି ଅନୁଭବ କରନ୍ତି। ବିଶେଷତଃ ଗ୍ରାମାଞ୍ଚଳରେ ଘଟୁଥିବା ବ୍ୟବସ୍ଥିତ ବିବାହ ପାଇଁ ଏପରି ମାନସିକତାର ସୃଷ୍ଟି। କାରଣ ଗ୍ରାମାଞ୍ଚଳରେ ଆଗରୁ ଭିନ୍ନ ଜାତି ତଥା ନିଜ ଇଚ୍ଛା ଅନୁସାରେ ବିବାହ ଏକପ୍ରକାର ବାରଣ ଓ ଅପରାଧ ସମାନ ଥିଲା। ଯଦିଓ ଅନେକ ରାଜ୍ୟରେ ଏପରି ମାନସିକତାର ହ୍ରାସ ଘଟିଛି ତଥାପି ଏହା ସଂପୂର୍ଣ୍ଣ ଭାବେ ଲୋପ ପାଇନାହିଁ। ଅନେକ ଅଞ୍ଚଳ ଏପରି ଅଛି ଯେଉଁଠି ଇଚ୍ଛା ଅନୁସାରେ କିମ୍ବା ଭିନ୍ନଜାତି ବିବାହ କଲେ ସମାଜିକ ବାସନ୍ଦ ତଥା ଦଣ୍ଡବିଧାନର ପ୍ରଥା ରହିଛି। ସହରାଞ୍ଚଳରେ ମଧ୍ୟ ପାଠପଢ଼ା ଓ ଚାକିରି ପରେ ତୁରନ୍ତ ଝିଅ ପାଇଁ ବର ଖୋଜା ଚାଲୁଛି। ଯଦିଓ ସହରାଞ୍ଚଳରେ ବ୍ୟବସ୍ଥିତ ବିବାହ ହାର ଗ୍ରାମାଞ୍ଚଳ ତୁଳନାରେ କମ୍। ତଥାପି ସ୍ବାଧୀନତାର ୭୭ ବର୍ଷ ପରେ ମଧ୍ୟ ଏବେ ବି କୁପ୍ରଥା ଆମ ସମାଜକୁ କବଳିତ କରି ରଖିଛି। ଖାସ୍ କରି ବିଧବା, ସ୍ବାମୀପରିତ୍ୟକ୍ତା ଓ ନିଃସନ୍ତାନ ମହିଳାମାନଙ୍କୁ ଏକ ଘୃଣ୍ୟ ନଜରରେ ଦେଖାଯାଉଛି।
ବର୍ତ୍ତମାନ ଯୁବପିଢ଼ି ଲିଭ୍-ଇନ୍ ସଂପର୍କରେ ରହିବାକୁ ଅଧିକ ପସନ୍ଦ କରୁଛନ୍ତି। ପାରମ୍ପରିକ ବ୍ୟବସ୍ଥିତ ବିବାହକୁ ଛାଡ଼ି ନିଜ ପସନ୍ଦ ଓ ଯୋଗ୍ୟତା ଆଧାରରେ ନିଜ ପାଇଁ ଜୀବନସାଥୀ ବାଛିବାକୁ ସେମାନେ ଚାହୁଁଛନ୍ତି। ଏକାଠି ଗୋଟିଏ ଛାତ ତଳେ ରହି ଦୁହେଁ ଦୁହିଁଙ୍କୁ ଭଲଭାବରେ ଜାଣିବା ଓ ବୁଝିବା ପରେ ବିବାହ କରିବାକୁ ନିଷ୍ପତ୍ତି ନେଉଛନ୍ତି। ଏଣୁ ନିଜ ଭିତରେ ଏକ ନୂତନ ସଂପର୍କ ତିଆରି କରିବାରେ ତଥା ବିବାହ ପାଇଁ ଉପଯୁକ୍ତ ପାତ୍ର ବାଛିବାରେ ଆଜିର ଯୁବପିଢ଼ିଙ୍କୁ ଲିଭ୍-ଇନ୍ ସଂପର୍କ ବେଶ୍ ସହାୟକ ହେଉଛି। କିନ୍ତୁ ଲିଭ୍-ଇନ୍ ସଂପର୍କକୁ ଭାରତୀୟ ସମାଜ ସ୍ବୀକୃତି ଦେଇନାହିଁ। ଏହା ଏକ ପାଶ୍ଚାତ୍ୟ ସଂସ୍କୃତି ବୋଲି ଅନେକ ଭାରତୀୟଙ୍କ ମତ। ଏହାକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ଏକ ନିର୍ଦ୍ଦେଶନାମା ମଧ୍ୟ ଜାରି କରିଛନ୍ତି। ସତ୍ୟପାଠ ଦାଖଲ କରି ଯୁବକ ଓ ଯୁବତୀ ନିଜ ଇଚ୍ଛା ଅନୁସାରେ ଲିଭ୍-ଇନ୍ରେ ରହିପାରିବେ। ଏହା ସେମାନଙ୍କ ସଂପୂର୍ଣ୍ଣ ବ୍ୟକ୍ତିଗତ ଓ ସ୍ବାଧୀନତା ଉପରେ ନିର୍ଭର। ସତ୍ୟପାଠ ଅନୁସାରେ କୌଣସି ମତାନ୍ତର ଘଟିଲେ କେହି କାହାକୁ ଆକ୍ଷେପ କିମ୍ବା ଆରୋପ ଲଗାଇପାରିବେ ନାହିଁ ବୋଲି ନିୟମ ରହିଛି।
-ପ୍ରଜ୍ଞା ନିବେଦିତା ନାୟକ