ମୃତ୍ୟୁ ପାଖେଇ ଆସୁଥିବା କଥା ନିଜ ଦେହର ଗନ୍ଧରୁ ମଣିଷ ଜାଣିପାରେ

କୁହାଯାଏ ମୃତ୍ୟୁ ଘନେଇ ଆସିଲେ ମଣିଷ ଆଚରଣ ବଦଳି ଯାଏ। କାହାଠୁ ବିଦାୟ ମାଗେ, ଅପଡ଼ ବ୍ୟକ୍ତିଙ୍କୁ ପାଖପୂରାଏ ଏବଂ ପାଖରେ ଥିବା ମୂଲ୍ୟବାନ୍‌ ଚିଜକୁ ଅନ୍ୟକୁ ଦେଇ ଦିଏ। ମନେହୁଏ ଅନ୍ୟ କେହି ଜାଣିବା ପୂର୍ବରୁ ନିଜର ମୃତ୍ୟୁ ନିକଟତର ହେଲାଣି ବୋଲି ସେ ଜାଣିପାରେ।
କେତେକ ଏହାକୁ କାକତାଳୀୟ କହୁଥିବା ବେଳେ ଅନ୍ୟ କେତେକ ଏହାକୁ ସତ ମଣିଥାଆନ୍ତି। କିନ୍ତୁ, ବୈଜ୍ଞାନିକମାନେ ଜାଣନ୍ତି, ଜଣେ ମରିବା ସମୟରେ ତୁରନ୍ତ ତା’ର ଶରୀର ବିଘଟନ ହେବାରେ ଲାଗେ ଏବଂ ପ୍ୟୁଟ୍ରିସିନ୍‌ ଭଳି ଅଣୁଜୀବକୃତ ବିଷାକ୍ତ ଦୁର୍ଗନ୍ଧ ବାହାରେ। ଗବେଷକଗଣ ଜାଣି ପାରିଛନ୍ତି ଯେ ମଣିଷ ଅବଚେତନ ମନରେ ଏହି ଦୁର୍ଗନ୍ଧ ବାରି ପାରେ। ଖାଲି ସେତିକି ନୁହେଁ ଏହି ଦୁର୍ଗନ୍ଧ ବାହାରିବାମାତ୍ରେ ପ୍ରତିକ୍ରିୟାର କାରଣ ହୋଇଥାଏ।

ଜୀବଜନ୍ତୁମାନେ ମଧ୍ୟ ଏହାକୁ ଆଘ୍ରାଣ କରିପାରନ୍ତି ବୋଲି ଗବେଷକ ଆର୍ଣ୍ଣଡ୍‌ ଓ୍ଵସ୍‌ମ୍ୟାନ୍‌ କହିଛନ୍ତି। ପ୍ରତ୍ୟେକ ଜୀବନ୍ତ ପ୍ରାଣୀଙ୍କର ରାସାୟନିକ ଗନ୍ଧ ବାରିବାର ସାମର୍ଥ୍ୟ ରହିଛି। ଗନ୍ଧରୁ ହିଁ ମଣିଷ ମୃତ୍ୟୁ ଆସୁଛି ବୋଲି ଜାଣିପାରେ।

ଶରୀର କ୍ଷୟ ହେଲେ ରାସାୟନିକ ଉପାଦାନ ପ୍ୟୁଟ୍ରିସିନ୍‌ ବାହାରେ। ଏହାକୁ ଚେତାବନୀ ବୋଲି ଧରାଯାଇ ପାରେ। ଲୋକେ ଏହାକୁ ଅବଚେତନ ଓ ଚେତନରେ ଜାଣି ପାରି ପ୍ରତିକ୍ରିୟା ଦେଖାଇ ଥାଆନ୍ତି। ଅର୍ଥାତ୍‌ ଆଚରଣରେ ପରିବର୍ତ୍ତନ ଘଟାଇଥାଆନ୍ତି।

ପ୍ୟୁଟ୍ରିସିନ୍‌, ଆମୋନିଆ ଓ ପାଣି ବ୍ୟବହାର କରି ୪ଟି ଭିନ୍ନ ଭିନ୍ନ ପରୀକ୍ଷା ଦ୍ୱାରା ଲୋକମାନଙ୍କ ପ୍ରତିକ୍ରିୟା ବା ଆଚରଣ ଉପରେ ଅଧ୍ୟୟନ କରାଯାଇଥିଲା।

ସେଥିରୁ ଗୋଟିଏ ସ୍ଥାନରେ ପ୍ୟୁଟ୍ରିସିନ୍‌ ପକାଇ ଦିଆ ଯିବାରୁ ଲୋକେ ତୁରନ୍ତ ସେ ସ୍ଥାନ ଛାଡ଼ି ଚାଲିଯାଇଥିଲେ। ଜୀବଜନ୍ତୁମାନେ ଏ ଗନ୍ଧ ବାରି ପରସ୍ପର ମଧ୍ୟରେ ଲଢ଼େଇ କରିଥିଲେ ବା ସେଠାରୁ ଖସି ଚାଲି ଯାଇଥିଲେ।

ସମ୍ବନ୍ଧିତ ଖବର