ତୁମ କାହାଣୀ, ନିଜ ଭୁଲ୍‌ ମାନିଲେ

ମନୋଜ କୁମାର ବେହେରା

ଗୋଟିଏ ଗାଁରେ ଜଣେ ପଣ୍ତିତ ରହୁଥିଲେ। ସେ ଗୋଟିଏ ସୁନ୍ଦର ଘର ବନେଇଥିଲେ। ଆଉ ବଗିଚାରେ ବହୁତ ଫୁଲ ଗଛ ଲଗେଇଥିଲେ। ତାଙ୍କ ଘରକୁ ଯେତେବେଳେ କିଏ ବୁଲିବାକୁ ଯାଉଥିଲେ ତାଙ୍କୁ ସାଙ୍ଗରେ ନେଇ ଘରର ସବୁ ଜିନିଷକୁ ଦେଖାଉଥିଲେ। ଆଉ ଗର୍ବର ସହିତ କହୁଥିଲେ ଏହି ଘରକୁ ମୁଁ ବନେଇଛି। ଏ ସବୁ ଫୁଲ ଗଛ ମୁଁ ଲଗେଇଛି। କେଉଁ ଗଛ କୋଉଠୁ ଆଣିଥିଲେ,ଇଟା,ପଥର ଆଉ ଟାଇଲ୍ କେଉଁଠାରୁ ଆଣିଥିଲେ ତାହା ମଧ୍ୟ କହୁଥିଲେ।

ପଣ୍ତିତ ମହାଶୟଙ୍କୁ ଗୋଟିଏ ବିଲେଇ ହଇରାଣ କରୁଥିଲା। ସେ ବିଲେଇ ଆସିକି ତାଙ୍କ ଘରର କ୍ଷୀର ପିଇ ଦେଉଥିଲା ଆଉ ଖାଇବାରେ ମୁହଁ ମାରି ଦେଉଥିଲା। ଦିନେ ପଣ୍ତିତଙ୍କୁ ଏତେ କ୍ରୋଧ ଆସିଲା ଯେ ସେ ଗୋଟିଏ ବାଡ଼ି ଆଣିଲେ ଆଉ ତା’କୁ ପାହାରେ ପକେଇଦେଲେ। ଯେମିତି ବାଡ଼ି ବିଲେଇର ମୁଣ୍ତରେ ବାଜିଲା ସେ ସେଇଠି ମରିଗଲା। ଗାଁ ଲୋକ ଏହି କଥା ଜାଣିଲେ। ସେମାନେ କହିଲେ ଏହା ତ ମହାପାପ ହୋଇଗଲା। ଏବେ ଏହାର ପ୍ରାୟଶ୍ଚିତ୍ତ କରିବା ପାଇଁ ବିଲେଇ ଓଜନର ସୁନା ବିଲେଇ ବନେଇ ଦାନ କରିବାକୁ ପଡ଼ିବ। ଏହି କଥା ପଣ୍ତିତ ମଧ୍ୟ ଜାଣିଥିଲେ। କିନ୍ତୁ ଏତେ ଧନ ଖର୍ଚ୍ଚ କରିବାକୁ ସେ ରାଜି ନଥିଲେ। ସେଥିପାଇଁ ସେ ଗୋଟିଏ ତର୍କ ଆରମ୍ଭ କଲେ କି ବିଲେଇକୁ ମରିବାର ଥିଲା,ଏହାର ମୃତ୍ୟୁ ଇଶ୍ବର ହିଁ ସୁନିଶ୍ଚିତ କରିଛନ୍ତି। ତା’ର ମୃତ୍ୟୁ ଏପରି ହେବ। ମୁଁ ଗୋଟିଏ ପାତ୍ର ମାତ୍ର। ଇଶ୍ବର ମୋତେ ପ୍ରେରିତ କରିଥିଲେ। ଆଉ ବିଲେଇ ମୃତ୍ୟୁର କାରଣ ମୁଁ ହେଇଗଲି। ସେଥିପାଇଁ ମୋର ଦୋଷ ନୁହେଁ..ଇଶ୍ବରଙ୍କର ଦୋଷ!

ଯେତେବେଳେ ଇଶ୍ବର ଏହି କଥା ଜାଣିଲେ,ସେ ବେଶ ବଦଳେଇ ପଣ୍ତିତଙ୍କ ଘରକୁ ଆସିଲେ। ପଣ୍ତିତ ତାଙ୍କୁ ନେଇକରି ଘର ଆଉ ସବୁ ଜିନିଷ ଦେଖେଇବାକୁ ଲାଗିଲେ। ବତେଇବାକୁ ଲାଗିଲେ ଯେ ଏ ସବୁ ଜିନିଷ ମୁଁ ବନେଇଛି। ଏହା ସବୁ ଦେଖି ଇଶ୍ବର କହିଲେ..ପଣ୍ତିତ ମହାଶୟ! ଯଦି ସବୁ କାର୍ଯ୍ୟ ଆପଣ କରିଛନ୍ତି,ସବୁ ସରଞ୍ଜାମ ଆପଣ ଯୋଗାଡ଼ କରିଛନ୍ତି, ତା’ହେଲେ ବିଲେଇ ମାରିବାର ପାପ ଅନ୍ୟର ମୁଣ୍ତରେ କାହିଁକି ଲଦିଦେଲେ ? ଏହା ଶୁଣି ପଣ୍ତିତ ଚୁପ୍ ହୋଇଗଲେ। ସେ ଜାଣିପାରିଲେ ନିଜର ଭୁଲ୍‌।
ବାୟାବାବା ମଠ ଲେନ
ଭୁବନେଶ୍ବର–୨୨

ସମ୍ବନ୍ଧିତ ଖବର