ଭାରତୀୟ ଯୁବପିଢ଼ିଙ୍କ ଲାଗି ପ୍ରେରଣାର ଉତ୍ସ ଭାବେ ରହି ଆସିଛନ୍ତି ସ୍ବାମୀ ବିବେକାନନ୍ଦ। ସ୍ବକୀୟ ଆଧ୍ୟାତ୍ମିକ ଦିଗ୍‌ଦର୍ଶନ ମାଧ୍ୟମରେ ସେ ଯୁବବର୍ଗଙ୍କୁ ସଶକ୍ତ କରାଇବା ସହ ସଫଳତାର ମାର୍ଗରେ ପରିଚାଳିତ କରାଇଛନ୍ତି। ତାଙ୍କର ଜନ୍ମଦିନ ଜାନୁଆରି ୧୨ ତାରିଖକୁ ‘ଯୁବ ଦିବସ’ ରୂପେ ପାଳନ କରାଯାଇଥାଏ। ଏହି ଅବସରରେ ସ୍ବାମୀଜିଙ୍କ ଜୀବନର ଦୁଇଟି ଘଟଣା ଏଠାରେ ଅବତାରଣା କରାଯାଉଛି, ଯାହା ଅନେକ ସମସ୍ୟାର ସମାଧାନ ଲାଗି ସହଜ ସୂତ୍ର ଶିକ୍ଷା ଦେଇଥାଏ।
 
ଆହ୍ବାନର ସଫଳ ମୁକାବିଲା
ଏକଦା ସ୍ବାମୀ ବିବେକାନନ୍ଦ ଟ୍ରେନ୍‌ରେ ଯାତ୍ରା କରୁଥିଲେ। ସେ ଯେଉଁ ଡବାରେ ବସିଥିଲେ ସେଥିରେ କେତେଜଣ ଝିଅ ମଧ୍ୟ ଯାତ୍ରା କରୁଥିଲେ। ସ୍ବାମୀଜିଙ୍କ ବେଶଭୂଷା ଦେଖି ସେମାନେ ଥଟ୍ଟାପରିହାସ କଲେ। ସ୍ବାମୀଜି ପିନ୍ଧିଥିବା ହାତଘଣ୍ଟା ଉପରେ ଝିଅମାନଙ୍କ ନଜର ପଡ଼ିଲା। ସ୍ବାମୀଜିଙ୍କ ସହିତ ଦୁଷ୍ଟାମି କରିବାକୁ ମନସ୍ଥ କରି ସେ ପିନ୍ଧିଥିବା ଘଣ୍ଟାଟି ମାଗିଲେ। ପୁଣି ନ ଦେଲେ ସ୍ବାମୀଜି ସେମାନଙ୍କୁ ଉତ୍ପୀଡ଼ନ ଦେଇଛନ୍ତି ବୋଲି ପୁଲିସ ନିକଟରେ ଅଭିଯୋଗ କରିବେ ବୋଲି ଧମକ ଦେଲେ। ବିଚଳିତ ନ ହୋଇ ସ୍ବାମୀଜି ନିରବ ରହିଲେ ଓ ବଧିର ପରି ଆଚରଣ କଲେ। ଯାହା କହୁଛ ଖଣ୍ଡେ କାଗଜରେ ଲେଖିକରି ଦିଅ ବୋଲି ସେ ଝିଅମାନଙ୍କୁ ଇସାରା ଦେଲେ। ଝିଅମାନେ ଖଣ୍ଡେ କାଗଜରେ ଦାବି କରୁଥିବା ସାମଗ୍ରୀ କଥା ଲେଖିଦେଲେ। ଲିଖିତ କାଗଜଖଣ୍ଡିକ ପାଇଯିବା ପରେ ସ୍ବାମୀଜି ଧୀରେ ସେମାନଙ୍କୁ କହିଲେ, ‘‘ଏଥର ପୁଲିସକୁ ଡାକ, ମୋର ବି ଗୋଟାଏ ଅଭିଯୋଗ ଅଛି।’’ ତାଙ୍କର ଏହି ପ୍ରତ୍ୟୁତ୍ପନ୍ନମତିତା ସେ ଝିଅମାନଙ୍କୁ ଅବାକ୍‌ କରିବା ସହିତ ସେମାନଙ୍କ ଦୁଷ୍ଟାମିର ପରିଣତି ସମ୍ବନ୍ଧରେ ବି ଅବଗତ କରାଇଦେଲା।  ସ୍ବାମୀଜିଙ୍କ ବୁଦ୍ଧିମତ୍ତା ଓ ପ୍ରତ୍ୟୁତ୍ପନ୍ନମତିତା ଦେଖି ସେ ଝିଅମାନେ କ୍ଷମାଯାଚନା କଲେ। କୌଣସି ସମସ୍ୟା ଆସିଲେ ବ୍ୟସ୍ତ ନ ହୋଇ ବୁଦ୍ଧିମତ୍ତାର ସହିତ ତାହାର ମୁକାବିଲା କରିବା ଜରୁରି। ସେ ଦର୍ଶାଇ ଦେଲେ କି, କୌଣସି ଆହ୍ବାନକୁ ଡରିନଯାଇ ସୁଚିନ୍ତିତ ଉପାୟରେ ମୁକାବିଲା କଲେ ସମାଧାନ ହୋଇଥାଏ। 

Advertisment

ଏକାଗ୍ରତାର ସାମର୍ଥ୍ୟ
ଆମେରିକାର ଚିକାଗୋ ଗସ୍ତ ସମୟରେ ଦିନେ ଗୋଟାଏ ନଦୀ କୂଳରେ ବୁଲୁ ବୁଲୁ ସ୍ବାମୀ ବିବେକାନନ୍ଦ ଦେଖିଲେ, ସେତୁ ଉପରେ ଥାଇ ଦଳେ ବାଳକ ପାଣିରେ ଭାସୁଥିବା କେତେଗୁଡ଼ିଏ ଅଣ୍ଡାଖୋଳପା ଆଡ଼କୁ ଏୟାର୍‌ ଗନ୍‌ରୁ ଗୁଳି ଚଳାଉଛନ୍ତି। କିନ୍ତୁ, ସେମାନେ ଲକ୍ଷ୍ୟଭେଦ କରିବାରେ ଥରକୁ ଥର ବିଫଳ ହେଉଛନ୍ତି। ସ୍ବାମୀଜି ବଡ଼ ଆଗ୍ରହ ସହକାରେ ଏହା ଦେଖୁଥିବା ଦେଖି ସେମାନେ ତାଙ୍କୁ ଡାକିଲେ ଏବଂ ଭାସମାନ ଅଣ୍ଡାଖୋଳପା ଉପରେ ଲାଖବିନ୍ଧିବାକୁ କହିଲେ। ଏୟାର୍‌ ଗନ୍‌ ଧରି ସ୍ବାମୀଜି ବାର ଥର ଗୁଳି ଚଳାଇଲେ, ସବୁତକ ଗୁଳି ଅଣ୍ଡାଖୋଳପାରେ ବିଦ୍ଧହେଲା। ବାଳକେ ବିସ୍ମିତ ହୋଇଗଲେ। ସ୍ବାମୀଜିଙ୍କର ଏ ସଫଳତା ଧ୍ୟାନ ଓ ଏକଗ୍ରତା ଉପରେ ଗୁରୁତ୍ବାରୋପ କରେ। ଲକ୍ଷ୍ୟହାସଲ ପ୍ରତି ସମସ୍ତ ସାମର୍ଥ୍ୟ ଗତିଶୀଳ କରାଇବାରେ ତାଙ୍କର ଏହି ଦକ୍ଷତା ଏକନିଷ୍ଠ ଓ ନିରନ୍ତର ସମର୍ପଣ ଭାବର ସାମର୍ଥ୍ୟ ପ୍ରତିପାଦନ କରେ। ଜଣେ ଯାହା କିଛି କରୁ ନା କାହିଁକି- ସେଥିରେ ସମ୍ପୂର୍ଣ୍ଣ ନିମଗ୍ନ ହେବା ସହିତ ଏକନିଷ୍ଠ ହେଲେ ଫଳାଫଳ ଅସାଧାରଣ ହୁଏ।