କଂକ୍ରିଟ୍ ଓ ଇସ୍ପାତ ଉତ୍ପାଦନ ହେଉଛି ଅଙ୍ଗାରକାମ୍ଳ ନିର୍ଗମନର ପ୍ରମୁଖ ଉତ୍ସ। ଏଣେ କଂକ୍ରିଟ୍ ହେଉଛି ବିଶ୍ବର ସର୍ବାଧିକ ବ୍ୟବହୃତ ନିର୍ମାଣ ସାମଗ୍ରୀ। ବିଶ୍ବର ମୋଟ ଅଙ୍ଗାରକାମ୍ଳ ନିର୍ଗମନର ୮ ପ୍ରତିଶତ କଂକ୍ରିଟ୍ରୁ ବାହାରିଥାଏ। କଂକ୍ରିଟ୍କୁ ସବୁଜ ଅର୍ଥାତ୍ କମ୍ ପ୍ରଦୂଷଣକାରୀ କରିବା ପାଇଁ ବୈଜ୍ଞାନିକମାନେ ଗବେଷଣା ଜାରି ରଖିଛନ୍ତି। ତେବେ କେମ୍ବ୍ରିଜ୍ ବିଶ୍ବବିଦ୍ୟାଳୟର ଗବେଷକମାନଙ୍କ ଏକ ନୂତନ ସମାଧାନ ଆଶ୍ବସ୍ତି ଆଣିଛି। ସାଧାରଣତଃ ଲୁହାପଥରରୁ ଇସ୍ପାତକୁ ବିଶୁଦ୍ଧ କରିବା ପାଇଁ ଚୂନପଥର ପରି ଏକ ଫ୍ଲକ୍ସ ପଦାର୍ଥ ଆବଶ୍ୟକ ହୋଇଥାଏ। ଏହି ତରଳ ଚୂନପଥର ଲୁହାର ଖାଦଗୁଡ଼ିକୁ ଧରିରଖି ଶେଷରେ ବର୍ଜ୍ୟବସ୍ତୁ ଭାବେ ନିଷ୍କାସିତ ହୋଇଥାଏ। ତେବେ ଏହି ଗବେଷକମାନେ ଇସ୍ପାତ ପ୍ରକ୍ରିୟାକରଣ ଚୁଲା (ଫର୍ଣ୍ଣେସ୍)ରେ ଚୂନପଥର ବଦଳରେ ପୁରୁଣା କଂକ୍ରିଟ୍ ପକାଇବା ଦ୍ବାରା ଲୁହା ଶୁଦ୍ଧ ହେବା ସହ ‘ପୁନଃସକ୍ରିୟ ସିମେଣ୍ଟ’ ନାମରେ ଏକ ବ୍ୟବହାରଯୋଗ୍ୟ ଶୁଷ୍କ ଉପାଦାନ ମଧ୍ୟ ଉତ୍ପାଦିତ ହୋଇପାରୁଛି। ଗୁରୁତ୍ବପୂର୍ଣ୍ଣ କଥାଟି ହେଲା ଉଭୟ କଂକ୍ରିଟ୍ ଓ ଇସ୍ପାତ ଉତ୍ପାଦନରୁ ନିର୍ଗତ ଅଙ୍ଗାରକାମ୍ଳ ନିର୍ଗମନକୁ ଏଥିରେ ଆୟତ୍ତ କରାଯାଇପାରୁଛି।
ପୂର୍ବରୁ ଏହି କୌଶଳକୁ କ୍ଷୁଦ୍ର ଫର୍ଣ୍ଣେସ୍ରେ ଉପଯୋଗ କରାଯାଇଥିଲା, ଯେଉଁଠି ପରୀକ୍ଷାମୂଳକ ଭାବେ କିଛି କେଜି ଓଜନର ସିମେଣ୍ଟ ପ୍ରସ୍ତୁତ ହୋଇପାରିଥିଲା। ଚଳିତ ମାସରେ ତାହାର ବ୍ୟାବସାୟିକ ପରୀକ୍ଷଣ ଚାଲୁ ରହିଛି, ଯହିଁରେ ଦୁଇ ଘଣ୍ଟା ଭିତରେ ପ୍ରାୟ ୬୬ ଟନ୍ ସିମେଣ୍ଟ ଉତ୍ପାଦିତ ହୋଇପାରିବ ବୋଲି ଦାବି କରାଯାଇଛି। ଗବେଷକମାନଙ୍କ କହିବା ଅନୁଯାୟୀ, ୨୦୫୦ ମସିହା ସୁଦ୍ଧା ଏହି ପ୍ରକ୍ରିୟା ଶହେ କୋଟି ଟନ୍ ‘ବୈଦ୍ୟୁତିକ ସିମେଣ୍ଟ’ ଉତ୍ପାଦନ କରିପାରିବ। ଅଧିକନ୍ତୁ, ଏହି ପ୍ରକ୍ରିୟାରେ ଯଦି ପାରମ୍ପରିକ ବିଦ୍ୟୁତ୍ ଶକ୍ତି ବଦଳରେ ଅକ୍ଷୟ ଶକ୍ତି ବ୍ୟବହୃତ ହୁଏ, ତେବେ ତାହା ସଂପୂର୍ଣ୍ଣ ଶୂନ-ଅଙ୍ଗାର ସିମେଣ୍ଟ ପ୍ରସ୍ତୁତ କରିପାରିବ। ଶୂନ ଅଙ୍ଗାର ନିର୍ଗମନ ସିମେଣ୍ଟ ଯଦିଓ ଏକ ଚମତ୍କାର ପରିକଳ୍ପନା, ତେବେ ଗୁଣବତ୍ତା ହ୍ରାସ ନ କରି ଆମେ ବ୍ୟବହାର କରୁଥିବା ସିମେଣ୍ଟ ଓ କଂକ୍ରିଟ୍ ପରିମାଣକୁ କମାଇବାକୁ ପଡ଼ିବ ବୋଲି ଗବେଷକମାନେ କହିଛନ୍ତି। ପରିବେଶ ପ୍ରଦୂଷଣର ଭୟାବହତା ଦୃଷ୍ଟିରୁ କେମ୍ବ୍ରିଜ୍ ଗବେଷକମାନଙ୍କ ଏହି ନୂତନ ଆବିଷ୍କାର ନିର୍ମାଣ ଶିଳ୍ପ ପାଇଁ ଏକ ସଫଳ ଉପଯୋଗ ହୋଇପାରିବ ବୋଲି ଆଶା କରାଯାଉଛି।