ପ୍ରଜ୍ଞା ନିବେଦିତା ନାୟକ

ଆଗରୁ ଆମ ସଂସ୍କୃତିରେ ଶରୀରରେ ଚିତା କୁଟାଇବା ପରମ୍ପରା ଥିଲା। ଏବେ ତାହାର ଏକ ଆଧୁନିକ ରୂପ ‘ଟାଟୁ’ ଯୁବପିଢ଼ିଙ୍କ ଭିତରେ ଖୁବ୍‌ ଲୋକପ୍ରିୟ ହୋଇଛି। ସେଲିବ୍ରିଟିରୁ ନେଇ ସାଧାରଣ ଯୁବକଯୁବତୀ ପର୍ଯ୍ୟନ୍ତ ଅନେକେ ଏହି ଟାଟୁ ଫ୍ୟାସନ୍‌କୁ ଆପଣାଇଛନ୍ତି। ଏହା ଟାଟୁଶିଳ୍ପୀଙ୍କ ଚାହିଦା ବଢ଼ାଇବା ସହ ଏକ ସୃଜନଶୀଳ ବୃତ୍ତିକୁ ଜନ୍ମ ଦେଇଛି। ବଡ଼ ବଡ଼ ସହରରେ ଟାଟୁ ଷ୍ଟୁଡିଓ ଖୋଲିବା ଆରମ୍ଭ ହୋଇଛି। ପକେଟ୍‌କୁ ସୁହାଇଲା ଭଳି ଦରରେ ଟାଟୁ ହେଉଥିବା ବେଳେ ଦାମିକା ଟାଟୁ ମଧ୍ୟ ଜଣେ କରାଇପାରିବ। ବର୍ତ୍ତମାନ ଅନେକ ଏହାକୁ କ୍ୟାରିୟର୍‌ କରି ଭଲ ରୋଜଗାର କରୁଛନ୍ତି।

Advertisment

ଏହି କ୍ରମରେ ଆସନ୍ତି ଟାଟୁମ୍ୟାନ୍ ଭାବେ ପରିଚିତ ଓମ୍‌ ଆଚାର୍ଯ୍ୟ। କଟକରେ ଜନ୍ମିତ ଓମ୍‌ ଚେନ୍ନାଇରୁ ମଲ୍‌ଟି ମିଡିଆ‌ରେ ଶିକ୍ଷାଗ୍ରହଣ ପରେ ଏମ୍‌ସିଏ କଲେ। ଏହାପରେ ଗେମ୍ ଡେଭ୍‌ଲପ୍‌ମେଣ୍ଟରେ ୮ବର୍ଷ ଚାକିରି କରିବା ପରେ ଟାଟୁକୁ ନେଇ ନିଜ କ୍ୟାରିୟର୍‌ ଗଢ଼ିବାକୁ ମନସ୍ଥିିର କଲେ। କାରଣ ଟାଟୁ ତାଙ୍କର ନିଶା ଥିଲା। ନିଶାକୁ ପେସା କରିବା ଲାଗି ଚାକିରି ଛାଡ଼ିଲେ ଓମ୍‌। କିନ୍ତୁ ଗୋଟିଏ ରକ୍ଷଣଶୀଳ ବ୍ରାହ୍ମଣ ପରିବାରର ପୁଅ ଟାଟୁ କରିବା କଥାକୁ ପ୍ରଥମେ ବାପାମାଆ ସ୍ବୀକୃତି ଦେଉ ନଥିଲେ ଏବଂ ପୁଅ ଟାଟୁ ଆର୍ଟିଷ୍ଟ୍‌ ହେବ‌ା କଥାକୁ ସେମାନେ ବିରୋଧ କରୁଥିଲେ। ଓମ୍‌ଙ୍କ ବାପା ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଏବଂ ମାଆ ସ୍ବ-ପ୍ରତିଷ୍ଠିତ ସ୍କୁଲ୍‌ରେ ଅଧ୍ୟକ୍ଷା। ଏଣୁ ପୁଅ ପାଠ ପଢ଼ି ଭଲ ଚାକିରି ଖଣ୍ଡେ କରୁ ବୋଲି ବାପାମାଆ ଚାହୁଁଥିଲେ, ହେଲେ ଘଟିଲା ଠିକ୍‌ ଓଲଟା।

ଚାକିରି କାଳରେ ଓମ୍‌ ବିଭିନ୍ନ ସଂସ୍ଥାରୁ ଟାଟୁ ବିଷୟରେ ଜ୍ଞାନ ଆହରଣ କରିଥିଲେ। ଏହାପ‌େର ହାଇଦ୍ରାବାଦରେ ଟାଟୁ ଉପରେ ଶିକ୍ଷାଗ୍ରହଣ କରି ଭୁବନେଶ୍ବରରେ ନିଜର ଷ୍ଟୁଡିଓ ଖୋଲିଲେ। ୨୦୧୧ ମସିହାରେ ମାତ୍ର ୫ ଲକ୍ଷ ଟଙ୍କାରୁ ଟାଟୁ ବ୍ୟବସାୟ ଆରମ୍ଭ କରିଥିଲେ ଓମ୍‌। ନିଜ ଷ୍ଟୁଡିଓର ନାଁ ରଖିଲେ ସ୍କାଇଭାସ୍‌ ଷ୍ଟୁଡିଓ। ସେତେବେଳେ ଓଡ଼ିଶାରେ ଟାଟୁ ଷ୍ଟୁଡିଓ କଲ୍‌ଚର୍‌ ଆଦୌ ନଥିଲା କହିଲେ ଚଳେ। ସେ ସମୟରେ ଓମ୍‌ଙ୍କ ଷ୍ଟୁଡିଓ ହିଁ ପ୍ରଥମ ବିଏମ୍‌ସି ଅଥରାଇଜ୍‌ଡ୍‌ ଷ୍ଟୁଡିଓର ସ୍ବୀକୃତି ପାଇଥିଲା ଏବଂ ଏଯାଏ ଓମ୍‌ଙ୍କ ଷ୍ଟୁଡିଓ ଭୁବନେଶ୍ବରର ଏକମାତ୍ର ସ୍ବୀକୃତିପ୍ରାପ୍ତ ଟାଟୁ ଷ୍ଟୁଡିଓ ଭାବେ ବ୍ୟବସାୟ କରୁଛି। ବର୍ତ୍ତମାନ ତାଙ୍କ ପାଖରେ ସାତଜଣ କାମ କରୁଛନ୍ତି। ଏହାବାଦ୍‌ ନିଜର ଏକ ଟ୍ରେନିଂ ସ୍କୁଲ୍‌ ଖୋଲି ଓଡ଼ିଶାର ବିଭିନ୍ନ ସ୍ଥାନର ପିଲାଙ୍କୁ ଟାଟୁ ଆଙ୍କିବା ପ୍ରଶିକ୍ଷଣ ଦେବା ସହିତ ରୋଜଗାରକ୍ଷମ କରାଉଛନ୍ତି। ଏବେଯାଏ ତାଙ୍କ ସ୍କୁଲ୍‌ର ଚାରିଟି ବ୍ୟାଚ୍‌ରୁ ପାଖାପାଖି ୩୫ଜଣ ପିଲା ସଫଳତାର ସହ ଶିକ୍ଷା ସମାପ୍ତ କରି ଆର୍ଥିକ ସ୍ବଚ୍ଛଳ ହୋଇସାରିଲେଣି। ବିଶେଷ କରି ‌େସ ଟ୍ରେନିଂ ସ୍କୁଲ୍‌ ମାଧ୍ୟମ‌ରେ ମହିଳାମାନଙ୍କୁ ସ୍ବାବଲମ୍ବୀ କରିବା ଦି‌ଗରେ ପ୍ରୟ‌ାସ କରୁଛନ୍ତି। ଟାଟୁ ଉତ୍ପାଦଗୁଡ଼ିକୁ ଓଡ଼ିଶାର ବିଭିନ୍ନ ସ୍ଥାନକୁ ମଧ୍ୟ ଯୋଗାଉଛି ଓମ୍‌ଙ୍କ ଷ୍ଟୁଡିଓ। ଏହାସହିତ ବାଇକ୍‌ ଓ କାର୍‌ରେ ଟାଟୁ ଥିମ୍‌ରେ କଷ୍ଟମ୍‌ ପେଣ୍ଟିଂ ଆରମ୍ଭ କରିବା ସହିତ ଗତ ୨ବର୍ଷ ହେଲା ପ୍ରଥମ ଥର ପାଇଁ ଓଡ଼ିଶାରେ ଟାଟୁ ମାଗାଜିନ୍‌ ପ୍ରକାଶ କରୁଛନ୍ତି ଓମ୍‌। ଚାକିରି ସମୟରେ ସେ ମାତ୍ର ୧‌ଲକ୍ଷ ଟଙ୍କା ମାସକୁ ରୋଜଗାର କରୁଥିଲେ। ହେଲେ ନିଜର ଟାଟୁ ଷ୍ଟୁଡିଓ କଲାପରେ ଓମ୍‌ ମାସକୁ ୬ରୁ ୭ଲକ୍ଷ ଟଙ୍କା ରୋଜଗାର କରିପାରୁଛନ୍ତି।

ଯେଉଁମାନେ ନୂଆ ନୂଆ ଟାଟୁ ଶିଳ୍ପକୁ ଓହ୍ଲାଇଛନ୍ତି ସେମାନେ ହାଇଜିନ୍‌ ଟାଟୁ କରିବାକୁ ଚେଷ୍ଟା କରନ୍ତୁ। ଟାଟୁ କଲାପରେ ସେମାନେ ତାକୁ ଶୁଖିବା ପାଇଁ ଉପଯୁକ୍ତ ପ୍ରତିଷେଧକ ଗ୍ରହଣ କରନ୍ତୁ। ଆଜିର ଯୁବପିଢ଼ି ଟାଟୁକୁ ନେଇ କ୍ୟାରିୟର୍‌ ଗଢ଼ିବାକୁ ଚାହୁଁଥିଲେ ଏଥିରେ ସଫଳ ହେବା ସହିତ ସ୍ବାବଲମ୍ବୀ ମଧ୍ୟ ହୋଇପାରିବେ ବୋଲି କହନ୍ତି ସ୍କାଇଭାସ୍‌ ଷ୍ଟୁଡିଓର ପ୍ରତିଷ୍ଠାତା ଓମ୍‌ ଆଚାର୍ଯ୍ୟ।