ଆତ୍ମ-ପ୍ରଚେଷ୍ଟା ବଳରେ ବିତ୍ତଶାଳିନୀ ହୋଇଥିବା ଆମେରିକାର ୧୦୦ ଜଣ ମହିଳାଙ୍କ ମଧ୍ୟରେ ଜଣେ ଭାରତୀୟ ସ୍ଥାନ ପାଇବା କ’ଣ କମ୍ ଗୌରବର କଥା! ସେଭଳି ଗୌରବର ଅଧିକାରିଣୀ ହେଉଛନ୍ତି ମହାରାଷ୍ଟ୍ରର ପୁଣେରେ ଜନ୍ମିତା ନେହା ନରଖେଡ଼େ। ଆପଣା ଅଧ୍ୟବସାୟ ବଳରେ ସଫଳ ହୋଇଥିବା ଭାରତର ସର୍ବକନିଷ୍ଠା ମହିଳା ଉଦ୍ୟୋଗୀଙ୍କ ମଧ୍ୟରେ ସେ ଅନ୍ୟତମା।
୨୦୨୩ରେ ‘ଫୋର୍ବସ୍’ ପତ୍ରିକା ପ୍ରସ୍ତୁତ କରିଥିବା ‘ଆତ୍ମ-ପ୍ରଚେଷ୍ଟାରେ ଶ୍ରେଷ୍ଠ ଧନୀ ହୋଇଥିବା ଆମେରିକାର ୧୦୦ଜଣ ମହିଳା’ଙ୍କ ତାଲିକାରେ ନେହା ୫୦ତମ ରାଙ୍କ୍ରେ ସ୍ଥାନିତ ହୋଇଛନ୍ତି। ନେହା ସ୍ଥାପନ କରିଥିବା କମ୍ପାନିର ମୂଲ୍ୟ ୭୫,୦୦୦ କୋଟି ଟଙ୍କା।
ପୁଣେ ଇନ୍ଷ୍ଟିଚ୍ୟୁଟ୍ ଅଫ୍ କମ୍ପ୍ୟୁଟର୍ ଟେକ୍ନୋଲୋଜିରୁ ଇଞ୍ଜିନିୟରିଂରେ ଡିଗ୍ରି ହାସଲ କରି ନେହା ୨୦୦୬ରେ କମ୍ପ୍ୟୁଟର୍ ସାଇନ୍ସ୍ରେ ସ୍ନାତକୋତ୍ତର କରିବା ଲାଗି ଯୁକ୍ତରାଷ୍ଟ୍ର ଆମେରିକା ଯାଇ ଜର୍ଜିଆ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରେ ନାଁ ଲେଖାଇଥିଲେ। ‘ଫୋର୍ବସ୍’ ପତ୍ରିକା ସହିତ ସାକ୍ଷାତ୍କାର ବେଳେ ନେହା କହିଥିଲେ ଯେ, ପ୍ରଯୁକ୍ତିବିଦ୍ୟାକୁ କ୍ୟାରିୟର୍ କରିବା ଲାଗି ସେ ବିଦେଶ ଆସିଥିଲେ। ଶିକ୍ଷା ଶେଷ ହେବା ପରେ ପ୍ରଥମେ ତାଙ୍କୁ ସଫ୍ଟ୍ୱେର୍ ଇଞ୍ଜିନିୟର୍ ଭାବେ ଓରାକ୍ଲ୍ ଓ ପରେ ଲିଙ୍କ୍ଡ୍ଇନ୍ ଚାକିରି ଦେଇଥିଲା। ଲିଙ୍କଡ୍ଇନ୍ରେ ସେ ସହକର୍ମୀ ଜୁନ୍ ରାଓ ଏବଂ ଜେ’ କ୍ରେପ୍ସ୍ଙ୍କ ସହିତ ମିଶି ଓପନ୍ ସୋର୍ସ ସଫ୍ଟୱେର୍ ପ୍ଲାଟ୍ଫର୍ମ ‘ଆପାଚି କାଫ୍କା’ ଆରମ୍ଭ କରିଥିଲେ। ତା’ପରେ ନେହା ତାଙ୍କ ନିଜସ୍ବ କମ୍ପାନି ‘କନ୍ଫ୍ଲୁଏଣ୍ଟ୍’ ସ୍ଥାପନ କଲେ। ବ୍ୟବସାୟ ବଢ଼ିଲା ଓ ୨୦୨୧ରେ ତାଙ୍କ କମ୍ପାନି ‘ଆଇପିଓ’ ପ୍ରାପ୍ତ ହେଲା। ୨୦୨୧ରେ ନେହା ଭାରତର ୮ମ ବିତ୍ତଶାଳୀ ମହିଳା ଭାବେ ପରିଗଣିତ ହେଲେ। ଆେମରିକାରେ ମଧ୍ୟ ସେ ଜଣେ ଶ୍ରେଷ୍ଠ ସଫଳ ମହିଳା ଉଦ୍ୟୋଗୀ ସମ୍ମାନର ଅଧିକାରିଣୀ ହେଲେ।
୨୦୨୧ରେ ତାଙ୍କ କମ୍ପାନିର ସେୟାର୍ ବିକ୍ରି ଆରମ୍ଭ ହେବା ବେଳକୁ ତାଙ୍କର ମୋଟ୍ ସମ୍ପତ୍ତି ୧୩,୩୮୦ କୋଟି ଟଙ୍କା ଟପି ଯାଇଥିଲା। କିନ୍ତୁ, ଏହି ସଫଳ ମହିଳାଙ୍କ ଜୀବନରେ ବାଧାବିଘ୍ନ ଓ ବିଫଳତା ବି ଆସିଥିଲା। ୨୦୨୨ରେ ତାଙ୍କ କମ୍ପାନିର ସମ୍ପତ୍ତି ବିପର୍ଯ୍ୟସ୍ତ ହୋଇ ଖୁବ୍ ନିମ୍ନଗାମୀ ହୋଇଗଲା। ୨୦୨୨ ହୁରୁନ୍ ଧନୀ ତାଲିକା ରିପୋର୍ଟ ଅନୁସାରେ, ବର୍ଷକ ମଧ୍ୟରେ ୮,୬୦୦ େକାଟି ଟଙ୍କା କ୍ଷତି ହେବାରୁ ତାଙ୍କ ସମ୍ପତ୍ତି ୪,୭୦୦ କୋଟିକୁ ଖସି ଆସିଥିଲା। ଘାତ ପ୍ରତିଘାତ ସତ୍ତ୍ବେ ନେହା ପୁନଶ୍ଚ ବ୍ୟବସାୟକୁ ଫେରି ସଫଳ ହେଲେ। ୨୦୨୩ ମାର୍ଚରେ ନେହା ଠକାମି ଚିହ୍ନଟକାରୀ ନୂଆ କମ୍ପାନି ‘ଅକ୍ସିଲାର୍’ ସ୍ଥାପନ କଲେ। ସମ୍ପ୍ରତି ସେ ତା’ର ସହସଂସ୍ଥାପକ ଓ ସିଇଓ। ଜୀବନର ସବୁ ସଫଳତାର ଶ୍ରେୟ ସେ ତାଙ୍କ ବାପାଙ୍କୁ ଦିଅନ୍ତି। ବାପା ହିଁ ତାଙ୍କୁ ପିଲାଦିନରୁ ଇନ୍ଦିରା ଗାନ୍ଧୀ, କିରଣ ବେଦୀ ଓ ଇନ୍ଦ୍ରା ନୂଈଙ୍କ ଜୀବନୀ ଆଧାରିତ ବହି ପଢ଼ିବାକୁ ଦେଇଥିଲେ। ସେ ସବୁ ପଢ଼ି ତାଙ୍କ ମନରେ ସଶକ୍ତ ହେବାର ଚେତନା ଜାଗ୍ରତ ହୋଇଥିଲା।