ପ୍ରଜ୍ଞା ନିବେଦିତା ନାୟକ
ଜନ୍ମ କଟକରେ, ନାଁ ଶୁଭବ୍ରତ ସାମନ୍ତରାୟ। ଧନବାଦସ୍ଥିତ ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲଜିରୁ ଆପ୍ଲାଏଡ୍ ଜିଓଫିଜିକ୍ସରେ ମାଷ୍ଟର ଡିଗ୍ରି ହାସଲ କରି ମୁମ୍ବାଇସ୍ଥିତ ରିଲାଏନ୍ସ୍ ଇଣ୍ଡଷ୍ଟ୍ରିଜ୍ରେ ଜିଓ ସାଇଣ୍ଟିଷ୍ଟ୍ ଭାବେ କ୍ୟାରିୟର୍ ଆରମ୍ଭ କରନ୍ତି ସେ। ଏହାପରେ ସଫଳତାର ଗୋଟିଏ ପରେ ଗୋଟିଏ ଶିଡ଼ି ସେ ଚଢ଼ିଚାଲନ୍ତି। କାଇରୋ ଓ ଆବୁଧାବି ଭଳି ବଡ଼ ସହରରେ ବହୁଦେଶୀୟ କମ୍ପାନିରେ କାମ କରିବାର ସୁଯୋଗ ପାଆନ୍ତି। ୨୦୧୪ରେ ମାଲେସିଆ ପାଲଟେ ତାଙ୍କ ନୂଆ କର୍ମକ୍ଷେତ୍ର। ୨୦୧୬ରେ ତାଙ୍କ କ୍ୟାରିୟର୍ ଶିଖରରେ ଥିଲା ବେଳେ ଚାକିରି ହରାନ୍ତି ଶୁଭବ୍ରତ। ତାଙ୍କ ପାଇଁ ଏହା ଥିଲା ଜୀବନର ଏକ ଅବିଶ୍ବସନୀୟ ତଥା ପରିବର୍ତ୍ତନକାରୀ ମୋଡ଼।
ସେ ୟୁକେର କାର୍ଡିଫ୍ ମେଟ୍ରୋପଲିଟାନ୍ ୟୁନିଭର୍ସିଟିରୁ ଏମ୍ବିଏ ଓ କେମ୍ବ୍ରିଜ୍ସ୍ଥିତ ଏମ୍ଆଇଟି ସ୍ଲୋଆନ୍ ସ୍କୁଲ୍ ଅଫ୍ ମ୍ୟାନେଜ୍ମେଣ୍ଟ୍ରୁ ଡିଜାଇନ୍ ଥିଙ୍କିଂ ପାଠ୍ୟକ୍ରମ କରନ୍ତି। ଶୁଭବ୍ରତ ଅନୁଭବ କରନ୍ତି, ଆଗକୁ କୃତ୍ରିମ ବୁଦ୍ଧିମତା (ଏଆଇ) ଓ ସଷ୍ଟେନେବିଲିଟି ଭବିଷ୍ୟତର ରୂପରେଖ ନିର୍ଦ୍ଧାରଣ କରିବ। ଏଥିସହ ଜଳବାୟୁ ପରିବର୍ତ୍ତନ ମଧ୍ୟ ସବୁଠାରୁ ବଡ଼ ଆହ୍ବାନ। ଏଣୁ ସେ ଶୂନ୍ୟ-ଅଙ୍ଗାରକ ତଥା ପରିବେଶ ଅନୁକୂଳ ସାମଗ୍ରୀ ବିକଶିତ କରିବା ଲାଗି ‘ଏନ୍ହିରୋଜ୍ ଗ୍ଲୋବାଲ୍ ଏନର୍ଜି’ ନାମରେ ନିଜର ଷ୍ଟାର୍ଟ-ଅପ୍ ଆରମ୍ଭ କରନ୍ତି। ଏହି ଷ୍ଟାର୍ଟଅପ୍ ଜରିଆରେ ଗ୍ରିନ୍ ହାଇଡ୍ରୋଜେନ୍ ଚାଳିତ ଶକ୍ତିଯୋଗାଣକାରୀ ଓ କମ୍ପ୍ୟୁଟିଙ୍ଗ୍ ସୁପରକିଟ୍ ପ୍ରସ୍ତୁତ କରି ଏସିଆର ପ୍ରଥମ କମ୍ପାନି ପାଲଟନ୍ତି। ତେବେ ଅନେକ ବାଧା ଓ ପ୍ରତିବନ୍ଧକ ସତ୍ତ୍ୱେ ସେ ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ବିଲ୍ ଗେଟ୍ସ୍ଙ୍କ ସଂଗେ ବିଶ୍ବର ପ୍ରମୁଖ ସଷ୍ଟେନେବିଲିଟି ସିଟି ପ୍ରୋଜେକ୍ଟର ସହଭାଗୀ ହେବାର ଲକ୍ଷ୍ୟକୁ ସାକାର କରିବାକୁ ଯାଉଛନ୍ତି। ଗତ ୧୦ବର୍ଷ ଧରି ସେ ତାଙ୍କ ପରିବାର ସହିତ ମାଲେସିଆରେ ରହୁଛନ୍ତି।
ୱାର୍ଲ୍ଡ ଇଣ୍ଟେଲିକ୍ଚୁଆଲ୍ ପ୍ରପଟି ଅର୍ଗାନାଇଜେସନ୍ (ୱିପୋ)ର ମାନ୍ୟତା ଓ (ମାଇଁଆଇପିଓ) ମାଲେସିଆର ପେଟେଣ୍ଟ୍ ଗ୍ରାଣ୍ଟ୍ ସହିତ ସେ ବିଶ୍ୱର ପ୍ରଥମ ଭାରତୀୟ ତଥା ପ୍ରଥମ ଓଡ଼ିଆ ଭାବେ ସୁପର୍ ଇଣ୍ଟେଲିଜେଣ୍ଟ୍ ସହର ନିର୍ମାଣ ପାଇଁ ଏକ ପ୍ରକାରର ଏଆଇ ଅପରେଟିଂ ସିଷ୍ଟମ୍ ବିକଶିତ କରିଛନ୍ତି। ଜଳବାୟୁ ପରିବର୍ତ୍ତନ କ୍ଷେତ୍ରରେ ଶୀଘ୍ର ତଥା ବିଶ୍ଳେଷଣାତ୍ମକ ନିର୍ଭୁଲ୍ ନିଷ୍ପତ୍ତି ନେବାରେ ଏହା ସହାୟକ ହେବ। ଏଥିପାଇଁ ୨୦୨୨ରେ ତାଙ୍କୁ ମାଲେସିଆ ଡିଜିଟାଲ୍ ଇକୋନୋମି କର୍ପୋରେସନ୍ ଡକ୍ଟରେଟ୍ ପ୍ରଦାନ କରିଛି। ୨୦୨୩ରେ ସେ ଜାତିସଂଘ ଦ୍ବାରା ନିମନ୍ତ୍ରିତ ହୋଇ ଦୁବାଇରେ କପ୍-୨୮ ଜଳବାୟୁ ସମ୍ମିଳନୀରେ ମଧ୍ୟ ଯୋଗଦେଇଛନ୍ତି। ଏଆଇ ଦ୍ବାରା ପରିଚାଳିତ ତାଙ୍କର ସ୍ଥାୟୀ ସ୍ମାର୍ଟସିଟି ପ୍ରକଳ୍ପ ଜଳବାୟୁ ପରିବର୍ତ୍ତନ ଓ ସ୍ଥାୟୀ ସହର ବିକାଶ କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ବାଣିଜ୍ୟିକରଣ ସୁଯୋଗ ସୃଷ୍ଟି କରିଛି। ଏହାଦ୍ୱାରା ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ। ୨୦୩୦ ସୁଦ୍ଧା ଏ କ୍ଷେତ୍ରରେ ଏକ ବିଲିୟନ୍ ଡଲାର୍ର ବଜାର ଉନ୍ମୁକ୍ତ ହେବ ବୋଲି ସେ ଦାବି କରନ୍ତି।
ନିଜ ସଫଳତା ବିଷୟରେ ଶୁଭବ୍ରତ କହନ୍ତି, ‘‘କ୍ୟାରିୟର୍ର ପ୍ରାରମ୍ଭିକ ପର୍ଯ୍ୟାୟରେ ମୋ ପରିବାର, ବନ୍ଧୁ ଓ ସହକର୍ମୀ ମୋର ଦୃଷ୍ଟିକୋଣ ଓ ମିସନ୍ରେ ମୋତେ ସମର୍ଥନ କରିଥିଲେ ଏବଂ ଦୁଃସମୟରେ ମୋ ସହ ଠିଆ ହୋଇଥିଲେ। ଏବେ ମୁଁ ସହର, କର୍ପୋରେଟ୍ ଓ ଆର୍ଥିକ ପ୍ରତିଷ୍ଠାନ ସହ ମିଳିତ ଭାବେ ସ୍ଥାୟୀ ଭିତ୍ତିଭୂମି ବିକାଶ ନେଟ୍ୱର୍କ ସ୍ଥାପନ କରୁଛି। ଏହା ପରବର୍ତ୍ତୀ ପିଢ଼ିର ସହରଗୁଡ଼ିକୁ ନିର୍ମାଣ ଓ ପରିଚାଳନାରେ ସହାୟକ ହେବ।’’ ବିଦେଶରେ କାମ କରିବାକୁ କାହିଁକି ଇଚ୍ଛାକଲେ ପଚାରିବାରୁ ସେ କହନ୍ତି, ‘‘ମୁଁ ଭଲ ସୁଯୋଗ ପାଇଁ ବିଦେଶକୁ ଆସିଲି, ଯାହା ମୋର ଜ୍ଞାନ ଓ ଚିନ୍ତାଧାରାକୁ ବଢ଼ାଇବାରେ ସାହାଯ୍ୟ କଲା। ପ୍ରବାସୀମାନଙ୍କ ବସବାସ ପାଇଁ ମାଲେସିଆ ଶ୍ରେଷ୍ଠ ୧୦ଟି ଦେଶ ମଧ୍ୟରୁ ଗୋଟିଏ। ଏଣୁ ଏଠାରେ ରହି ମୁଁ ବ୍ୟବସାୟ ବଢ଼ାଇବାକୁ ଇଚ୍ଛାକଲି।’’
୨୦୩୦ ସୁଦ୍ଧା ସଷ୍ଟେନେବଲ୍ କାର୍ବନ-ନେଗେଟିଭ୍ ଅର୍ବାନ୍ ଲିଭିଂ ଏବଂ ସାମୂହିକ କଲ୍ୟାଣକୁ ପ୍ରାଥମିକତା ଦେଇ ନିର୍ମିତ ହେଉଥିବା ତାଙ୍କ ପରିକଳ୍ପିତ ସଷ୍ଟେନେବଲ୍ ସ୍ମାର୍ଟ ସିଟି ପ୍ରକଳ୍ପ ୨୫୦୦୦ ବାସିନ୍ଦାଙ୍କ ପାଇଁ ଉଦ୍ଦିଷ୍ଟ। ଏହି ସ୍ୱତନ୍ତ୍ର ରେସିଡେନ୍ସି ବିଦେଶରେ ରହୁଥିବା ଭାରତୀୟ ଓ ଛାତ୍ର ସମ୍ପ୍ରଦାୟକୁ ଲାଭ ପହଞ୍ଚାଇବ। ସୁଲଭ ମୂଲ୍ୟରେ ସ୍ଥାୟୀ ବିଳାସପୂର୍ଣ୍ଣ ସହରାଞ୍ଚଳରେ ବସବାସ ସୁବିଧା ପ୍ରଦାନ କରିବ। ସ୍ଥାନୀୟ ଓଡ଼ିଆଙ୍କ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସାମାଜିକ-ଆର୍ଥିକ ସୁଯୋଗ ସୃଷ୍ଟି କରିବ। ଆଡ୍ଭାନ୍ସ ମାର୍କେଟ୍ କମିଟ୍ମେଣ୍ଟ୍ ସୁନିଶ୍ଚିତ କରିବା ପାଇଁ ଓଡ଼ିଶା ସରକାରଙ୍କ ସହିତ ଏକ ଏମ୍ଓୟୁ ସ୍ୱାକ୍ଷର କରିବାର ଯୋଜନା ଚାଲିଛି। ମୁଁ ଏହି ପ୍ରକଳ୍ପର ଜଣେ ଅଂଶୀଦାର ହେବା ପାଇଁ ମାଲେସିଆରେ ଥିବା ଭାରତୀୟ ହାଇକମିସନର୍ଙ୍କ ସହିତ ଆଲୋଚନା କରୁଛି ବୋଲି କହନ୍ତି ଶୁଭବ୍ରତ।