କହାଯାଏ, ନିଜ ଶିଙ୍ଗରେ ମାଟି ତାଡ଼ିଲେ ଯାଇ ପ୍ରକୃତ ସଫଳତା ମିଳେ। ଏ କଥାକୁ ସାର୍ଥକ କରି ନିଜେ ସ୍ବାବଲମ୍ବୀ ହେବା ସହିତ ଅନ୍ୟମାନଙ୍କୁ ମଧ୍ୟ ରୋଜଗାର ଦେବାରେ ସକ୍ଷମ ହୋଇଛନ୍ତି ପ୍ରକାଶ ରାଉତ। ପରିଶ୍ରମ ଓ ଦୃଢ଼ ମନୋବଳ ଦ୍ବାରା ହିଁ ଜଣେ କମ୍‌ ସମୟରେ ବ୍ୟାବସାୟିକ ସଫଳତାର ଶୀର୍ଷ ଛୁଇଁବ ବୋଲି ସେ କହନ୍ତି। ୨୦୦୧-୦୨ରେ ମାତ୍ର ୨୦ ହଜାର ଟଙ୍କାର ପୁଞ୍ଜିରେ ପ୍ରକାଶ ମହାଲକ୍ଷ୍ମୀ ସର୍ଭିସେସ୍‌ ନାମରେ ଏକ ଛୋଟ ସଂସ୍ଥା ଗଠନ କରିଥିଲେ। ତା’ ପୂର୍ବରୁ ପ୍ରକାଶ ଦିଲ୍ଲୀରେ ଆୟନ୍‌ଏକ୍ସଚେଞ୍ଜ୍‌ ଇଣ୍ଡିଆ ଲିମିଟେଡ୍‌ ନାମକ ଏକ ୱାଟର୍‌ ଟ୍ରିଟ୍‌ମେଣ୍ଟ୍‌ କମ୍ପାନିରେ ପାଖାପାଖି ୨୦ ବର୍ଷ ବିଭିନ୍ନ ଡିଲର୍‌ମାନଙ୍କ ପାଇଁ କାମ କରୁଥିଲେ। ସେତେବେଳେ ସେ ଭୋର୍‌ ୪ଟାରୁ ରାତି ୨ଟାଯାଏ ଏକାକୀ ସ୍କୁଟର୍‌ ଚଳାଇ ଓଡ଼ିଶାର ବିଭିନ୍ନ ସ୍ଥାନ ବୁଲି ଅନେକ କମ୍ପାନିରେ ନିଜ ସେବା ପ୍ରଦାନ କରୁଥିଲେ ଓ ବିଭିନ୍ନ ଡିଲର୍‌ଙ୍କ ପାଇଁ ସର୍ଭିସ୍‌ କାମ କରୁଥିଲେ। ଏମିତି ସମୟରେ ତାଙ୍କ ଲଣ୍ଡନ୍‌‌ ଚାଟାର୍ଡ ଆକାଉଣ୍ଟାଣ୍ଟ୍‌ ବନ୍ଧୁ ଦୀପ୍ତି ମହାପାତ୍ର ନିଜର ଏକ ସଇମିଂପୁଲ୍‌ ତିଆରି ପାଇଁ ତା‌ଙ୍କୁ କହନ୍ତେ ସେ ତାହା କରିଦେଲେ। ସେଇଠୁ ଆରମ୍ଭ ହେଲା ତାଙ୍କ ବ୍ୟାବସାୟିକ ଯାତ୍ରା। ସଞ୍ଚିତ ଅର୍ଥ ସହିତ ସେ ୨୦୦୩-୦୪ରେ ବ୍ୟାଙ୍କ୍‌ରୁ ୧ଲକ୍ଷ ୬୦ ହଜାର ଟଙ୍କାର ସିସିରେ ବ୍ୟବସାୟ ସାମ୍ରାଜ୍ୟକୁ ବଢ଼ାଇବାକୁ ଯୋଜନା କଲେ।

Advertisment

ଏକଦା ବଜାଜ୍‌ ଚେତକ୍‌ ସ୍କୁଟର୍‌ ଚଢ଼ି ଭୋର୍‌ ୪ଟାରୁ ରାତି ୨ଟା ପର୍ଯ୍ୟନ୍ତ ବୁଲି ବୁଲି ଜଳ ପ୍ରକ୍ରିୟାକରଣ କାର୍ଯ୍ୟ କରୁଥିବା ପ୍ରକାଶ ଫିଲ୍ଟର୍‌‌ନକ୍ସ ସିଷ୍ଟମ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ସ୍ଥାପନ କରି ସମ୍ପ୍ରତି ୨୧ଜଣଙ୍କୁ କର୍ମସଂସ୍ଥାନ ଦେଇଛନ୍ତି।

କ୍ୟାରିୟର୍‌ର ୨୮ ବର୍ଷର ଅଭିଜ୍ଞତାକୁ ପାଥେୟ କରି ସେ ୨୦୧୧-୧୨ରେ ମହାଲକ୍ଷ୍ମୀ ସର୍ଭିସେସ୍‌କୁ ମର୍ଜ କରି ଫିଲ୍ଟର୍‌‌ନକ୍ସ ସିଷ୍ଟମ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ଆରମ୍ଭ କଲେ। ଏହା ହେଉଛି ଜଳ, ବର୍ଜ୍ୟଜଳ, ସୁଇମିଂ ପୁଲ୍‌ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ୍‌ ଓ ରସାୟନ କ୍ଷେତ୍ରରେ କାମ କରୁଥିବା‌ ଅାଇଏସ୍‌ଓ-୯୦୦୧ ସାର୍ଟିଫାଏଡ୍‌ କମ୍ପାନି। ଯେକୌଣସି ମାନର ଜଳକୁ ଅତ୍ୟାଧୁନିକ ପ୍ରଯୁକ୍ତି ମାଧ୍ୟମରେ କମ୍ପାନି ପରିଚାଳନା ଓ ଟ୍ରିଟ୍‌ମେଣ୍ଟ୍‌ କରିବାର କ୍ଷମତା ରଖିଛି ତାଙ୍କ କମ୍ପାନି। ଏନ୍‌ଟିପିସି, ଜିନ୍ଦଲ୍‌ ପରି କମ୍ପାନିକୁ ମଧ୍ୟ ସେବା ଯୋଗାଉଛି ତାଙ୍କର ଏହି କମ୍ପାନି। ବିଭିନ୍ନ ଶିଳ୍ପସଂସ୍ଥା, ବାସଗୃହ, ଆବାସିକ ପରିସର, ହସ୍ପିଟାଲ୍‌, ହୋଟେଲ୍‌, ବିଦ୍ୟାଳୟ ଆଦିକୁ ଏକକ ସମାଧାନ ସେବା ଯୋଗାଇବା ସହିତ କ୍ଲାଏଣ୍ଟ୍‌ମାନଙ୍କ ଆବଶ୍ୟକତା ଅନୁସାରେ ପ୍ଲାଣ୍ଟ୍‌ ଡିଜାଇନ୍‌ ପାଇଁ ଗବେଷଣା ଓ ବିକାଶର ସୁବିଧା ମଧ୍ୟ ଫିଲ୍ଟର୍‌‌ନକ୍ସ ସିଷ୍ଟମ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ପ୍ରଦାନ କରୁଛି। ଏହାଛଡ଼ା, ତାଙ୍କ କମ୍ପାନି ଆର୍‌ଓ ସିଷ୍ଟମ୍‌ସ୍‌, ‌େସ୍ବରେଜ୍‌ ଟ୍ରିଟ୍‌ମେଣ୍ଟ୍‌, ଡିଏମ୍‌ ପ୍ଲାଣ୍ଟ୍‌, ଆଇରନ୍‌ ରିମୁଭାଲ୍‌ ପ୍ଲାଣ୍ଟ୍‌, କେମିକାଲ୍‌ ଡୋଜର୍‌, ମିଡିଆ ଫିଲ୍‌ଟର୍‌, ଓଜୋନ୍‌ ଜେନେରେଟର୍‌, ବର୍ଷାଜଳ ସଂରକ୍ଷଣ ପରି ବହୁ ସେବା ଯୋଗାଉଛି।

ଖାଲି ସେତିକି ନୁହେଁ, ପ୍ରକାଶ ନିଜ ମାଆଙ୍କ ନାମରେ ‘ଯଶୋଦା ଫାଉଣ୍ଡେସନ୍‌’ ପ୍ରତିଷ୍ଠ‌ା କରି ପିଲାମାନଙ୍କୁ ମା‌ଗଣା ଇଣ୍ଟର୍ଣ୍ଣସିପ୍‌ ପ୍ରଦାନ କରିବା ସହିତ ପିଏସ୍‌ଆର୍‌ ପ୍ରୋଜେକ୍ଟ ଭଳି ବିଭିନ୍ନ ସରକାରୀ ବିଦ୍ୟାଳୟକୁ ବିନାମୂଲ୍ୟରେ ୱାଟର୍‌ ଟ୍ରିଟ୍‌ମେଣ୍ଟ୍‌ ପ୍ରଦାନ କରୁଛନ୍ତି। ଗୋଟିଏ ସ୍କୁଟର୍‌, ଗୋଟେ ସାଇକେଲ୍‌ ଓ ଜଣେ ପିଲାରେ ଆରମ୍ଭ ହୋଇଥିବା ଫିଲ୍ଟର୍‌‌ନକ୍ସ କମ୍ପାନି ଏବେ ୨୧ ଜଣ କର୍ମଚାରୀଙ୍କୁ ନେଇ ୧୫% ମାର୍ଜିନ୍‌ ଲାଭରେ ଚାଲିଛି। ତେବେ ଆଗକୁ ଓଡ଼ିଶାରେ ୱାଟର୍‌ ଟ୍ରିଟ୍‌ମେଣ୍ଟ୍‌ ଦିଗରେ ଆହୁରି ବିକାଶ କରିବାକୁ ଲକ୍ଷ୍ୟ ରଖିଛନ୍ତି ପ୍ରକାଶ।