ଶୂନରୁ ଶହେ: ଟନେଲ୍‌ ମ୍ୟାନ୍ କେଦାରନାଥ

ଦୃଢ଼ ଆତ୍ମବିଶ୍ବାସ, କଠିନ ପରିଶ୍ରମ ଏବଂ ଅବିଚଳିତ ଭାବେ ଲକ୍ଷ୍ୟ ହାସଲ ଦିଗରେ ଅଗ୍ରସର ହେଲେ ସଫଳତା ସୁନିଶ୍ଚିତ। ଏହାର ଏକ ପ୍ରକୃଷ୍ଟ ଉଦାହରଣ ହେଉଛନ୍ତି ଇଂଜିନିୟର୍‌ରୁ ସଫଳ ଉଦ୍ୟୋଗୀ ପାଲଟିଥିବା କେଦାରନାଥ। ପାହାଡ଼ କଟା ହୋଇ ରାସ୍ତା ନିର୍ମାଣ ହେଉ କିମ୍ବା ଭୂତଳ ପରିବହନ ଭିତ୍ତିଭୂମି ନିର୍ମାଣ, ଏଥିଲାଗି ବଡ଼ ବଡ଼ ଟନେଲ୍ ଖୋଳାଯିବାର ଆବଶ୍ୟକତା ପଡ଼େ। ଆଉ ଏଭଳି କାର୍ଯ୍ୟ ଏ କ୍ଷେତ୍ରରେ ବିଶେଷ ଅଭିଜ୍ଞତା ଥିବା ବୈଷୟିକ ସଂସ୍ଥା କରିଥାଆନ୍ତି। ଓଡ଼ିଶାର ଗ୍ଲୋବାଲ୍‌ ଟନେଲିଂ ଓ ଏନ୍‌. ପ୍ରସାଦ କନ୍‌ଷ୍ଟ୍ରକ୍‌ସନ୍‌ କମ୍ପାନି ଏ କ୍ଷେତ୍ରରେ ବେଶ୍ ସଫଳତା ପାଇଛନ୍ତି। ଏହାର ନିର୍ଦ୍ଦେଶକ କେଦାରନାଥଙ୍କ ମାର୍ଗଦର୍ଶନରେ ଭାରତରେ ବିରାଟ ବିରାଟ ଟନେଲ୍‌ ନିର୍ମାଣ ହୋଇଛି ଓ କଟକର ଜାଇକା ସ୍ବେରେଜ୍‌ ପ୍ରକଳ୍ପ କାର୍ଯ୍ୟ ଚାଲିଛି।

ସିଭିଲ୍‌ ଇଞ୍ଜିନିୟରିଂରେ ସ୍ନାତକ କେଦାରନାଥ ଏ କ୍ଷେତକୁ କିପରି ଆସିଲେ ପ୍ରଶ୍ନରେ କହନ୍ତି, ‘‘ପଢ଼ା ପରେ ଆଇସିଓଏନ୍‌, ଭୁବନେଶ୍ବରରେ ଚାକିରି କଲି। ବିଭିନ୍ନ ପ୍ରକାର ମେସିନ୍‌ ଓ ଟ୍ରେଞ୍ଚ୍‌ଲେସ୍‌ ଟେକ୍ନୋଲୋଜିରେ କାମ କରିବା ପରେ ଏହି ଶିଳ୍ପ ପ୍ରତି ଆଗ୍ରହୀ ହେଲି। ମେସିନ୍‌ ଓ ‌ପ୍ରଯୁକ୍ତିବିଦ୍ୟାରେ ସିଦ୍ଧହସ୍ତ ସିଭିଲ୍‌ ଇଞ୍ଜିନିୟରମାନଙ୍କ ସହ ବହୁ ବଡ଼ ବଡ଼ କମ୍ପାନିରେ କାମ କରି ଦୀର୍ଘ ସମୟର ଅଭିଜ୍ଞତା ହାସଲ ପରେ ବ୍ୟବସାୟ ପ୍ରତିଷ୍ଠାନ ଗଢ଼ିଲି।’’ ବର୍ତ୍ତମାନ ପାଖାପାଖି ୬୦ରୁ ଅଧିକ ଲୋକ ତାଙ୍କ କମ୍ପାନିରେ କାମ କରି ରୋଜଗାରକ୍ଷମ ହୋଇପାରିଛନ୍ତି। ସେ ମଧ୍ୟରୁ ୨୩ ଜଣ ଓଡ଼ିଶାରେ କାମ କରୁଥିବା ବେଳେ ୩୭ରୁ ଅଧିକ କର୍ମଚାରୀ ବିଭିନ୍ନ ଦେଶରେ କାମ କରୁଛନ୍ତି। ୨୦୨୩ରେ ତାଙ୍କ କମ୍ପାନି ପ୍ରାୟ ୩୦୦,୦୦୦ ଡଲାର୍‌ (ଭାରତୀୟ ମୁଦ୍ରାରେ ୨୫ ନିୟୁତ ଟଙ୍କା) ଲାଭ କରିଛି ଏବଂ ଏଥିପାଇଁ ଖୁବ୍‌ ସନ୍ତୁଷ୍ଟ ବୋଲି କହନ୍ତି କେଦାରନାଥ। ଦିଲ୍ଲୀରେ ଜନ୍ମିତ କେଦାରନାଥ ଓଡ଼ିଶାକୁ ନିଜର କର୍ମଭୂମି ରୂପେ ଚୟନ କରିଛନ୍ତି। କେବଳ ସେତିକି ନୁହେଁ, ଏଇଠି ପରିବାର ବସାଇ ଓଡ଼ିଶାକୁ ତାଙ୍କର ସ୍ଥାୟୀ ଠିକଣାରେ ପରିଣତ କରିଛନ୍ତି। ଆପଣ ଓଡ଼ିଆ ନୁହନ୍ତି। ହେଲେ ଓଡ଼ିଶାରେ ବ୍ୟବସାୟ କାହିଁକି କଲେ? ଏ ପ୍ରଶ୍ନରେ ସେ କହନ୍ତି, ‘‘ଗତ କିଛି ବର୍ଷ ଧରି ଓଡ଼ିଶାର ଅର୍ଥନୀତିରେ ଦ୍ରୁତ ଅଭିବୃଦ୍ଧି ହୋଇଛି। ତେଣୁ ଏଠାରେ ବ୍ୟବସାୟରେ ବି ଅଭିବୃଦ୍ଧି ଘଟିବ। ସବୁଠୁ ବଡ଼ କଥା, ମୁଁ ଓଡ଼ିଶାର ସଂସ୍କୃତି ଓ ସ୍ବାଦିଷ୍ଠ ଖାଦ୍ୟକୁ ଭଲପାଏ ଏବଂ ମୋ ପତ୍ନୀ ମଧ୍ୟ ଜଣେ ଓଡ଼ିଆ।’’

ବର୍ତ୍ତମାନ ଭାରତ ବିଶ୍ବରେ ତୃତୀୟ ବୃହତ୍ ଅର୍ଥନୀତିରେ ପରିଗଣିତ ହେବାକୁ ଯାଉଛି। ଯୁବପିଢ଼ିଙ୍କ କ୍ୟାରିୟର୍‌ ପାଇଁ ଭାରତ ଏବଂ ଓଡ଼ିଶା ସର୍ବୋତ୍ତମ ବିକଳ୍ପ ହେବ। ସେଥିପାଇଁ ମୁଁ ଭାବୁନାହିଁ ଯେ, ଆଗକୁ ଚାକିରି ସୁଯୋଗର ଅଭାବ ପାଇଁ ଯୁବପିଢ଼ିଙ୍କୁ ବିଦେଶ ଯିବାକୁ ପଡ଼ିବ। ମୁଁ ୩୧ଟି ଦେଶ ଭ୍ରମଣ କରି ଚାକିରି କଲି, ତା’ପରେ ବ୍ୟବସାୟ ଆରମ୍ଭ କଲି। ଯୁବପିଢ଼ିଙ୍କୁ ମୁଁ ପରାମର୍ଶ ଦେବି କି ସେମାନେ ବିଦେଶରେ ପାଠ ପଢ଼ନ୍ତୁ, ବିଭିନ୍ନ ସ୍ଥାନ ବୁଲି ନିଜର ଅଭିଜ୍ଞତା ଓ ଜ୍ଞାନ ବଢ଼ାନ୍ତୁ। କିନ୍ତୁ ସେଠାରୁ ନୂତନ ଜ୍ଞାନ ଆଣି ନିଜ ଦେଶରେ ଓ ରାଜ୍ୟରେ ଉ‌ପଯୋଗ କରନ୍ତୁ। ମୁଁ ଆମେରିକା ଓ ଜର୍ମାନ୍‌ ପରି ବିକଶିତ ଦେଶରୁ ଉନ୍ନତ ଜ୍ଞାନକୌଶଳ ଶିଖି ଭାରତ ଫେରିଲି। ଏହାପରେ ଭାରତୀୟ ସେକ୍ଟର୍‌ରେ ଅନ୍ତର୍ଜାତୀୟ ମାଇକ୍ରୋ ଟନେଲିଂ ଟେକ୍ନୋଲୋଜି ପ୍ରୟୋଗ କଲି ଏବଂ ସମ୍ଭବତଃ ଭାରତରେ ଏପରି ଟେକ୍ନୋଲୋଜି ପ୍ରୟୋଗ କରିବ‌ାରେ ମୁଁ ପ୍ରଥମ ଥିଲି। ଖୁବ୍‌ଶୀଘ୍ର ଓଡ଼ିଶାର ଚୌଦ୍ବାରରେ ମାଇକ୍ରୋ ଟନେଲିଂ ମେସିନ୍‌ ଉତ୍ପାଦନ କାରଖାନା ଆରମ୍ଭ କରିବାକୁ ‌କେଦାରନାଥ ଯୋଜନା କରୁଛନ୍ତି । ଏଠାରେ ସ୍ଥାନୀୟ ଲୋକଙ୍କ ପାଇଁ ୧୦୦ରୁ ଅଧିକ ଚାକିରି ସୃଷ୍ଟି ହେବ ବୋଲି ସେ କହନ୍ତି।

ସମ୍ବନ୍ଧିତ ଖବର