ସଫଳତାର ଶିଖର ଛୁଇଁବାକୁ ହେଲେ ନିଜର ବହୁମୂଲ୍ୟ ସମୟ ଓ ପରିଶ୍ରମ ଦେବାକୁ ପଡ଼େ। ସବୁ ଅପେକ୍ଷାର ଅନ୍ତ ଘଟାଇ ମଣିଷ ଶେଷରେ ତା’ ଲକ୍ଷ୍ୟରେ ସଫଳ ହୁଏ। ହେଲେ ସମୟ ଫାଶରେ ବେଳେ ବେଳେ ମଣିଷ ଏପରି ପରିସ୍ଥିତିର ସାମ୍ନା କରେ ଯେ, ତା’ର କଷ୍ଟଅର୍ଜିତ ସଫଳତା ଭୁଶୁଡ଼ିବାକୁ ମାତ୍ର କେଇ ମୁହୂର୍ତ୍ତ ଲାଗେ। ସେମିତି ଏକ ପରିସ୍ଥିତିର ସାମ୍ନା କରିଛନ୍ତି ବାଇଜୁ ରବୀନ୍ଦ୍ରନ୍। ଶୂନରୁ ଆରମ୍ଭ କରି ଶତ ପ୍ରତିଶତ ସଫଳତା ଛୁଇଁଥିବା ରବୀନ୍ଦ୍ରନ୍ଙ୍କ ବାଇଜୁସ୍ କମ୍ପାନି ଏବେ ପୁଣିଥରେ ଶୂନରେ ଆସି ପହଞ୍ଚିଛି। ଅର୍ଥାତ୍ ଯେଉଁଠାରୁ ଆରମ୍ଭ ହୋଇଥିଲା ସେହିଠାରେ ଶେଷ ହୋଇଛି। ଦିନେ ଶିକ୍ଷା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିଥିବା ରବୀନ୍ଦ୍ରନ୍ଙ୍କ କମ୍ପାନିକୁ ଦେବାଳିଆ ଘୋାଷଣା କରି ଏବେ ଏକପ୍ରକାର କୋଣଠେସା କରିଦିଆଯାଇଛି। ୨୦୨୩ରେ ବାଇଜୁସ୍ର ମୋଟ୍ ପୁଞ୍ଜି ୨.୧ ବିଲିୟନ୍ ଡଲାର୍ ଥିବାବେଳେ ବର୍ତ୍ତମାନ ଏହାର ମୂଲ୍ୟ ଶୂନ ବୋଲି ଫୋର୍ବସ୍ ବିଲିୟନ୍ ଇନ୍ଡେକ୍ସ ୨୦୨୪ ତଥ୍ୟରୁ ଜଣାଯାଇଛି।
ପ୍ରଥମେ ଗଣିତ ଶିକ୍ଷକରୁ କ୍ୟାରିୟର୍ ଆରମ୍ଭ କରିଥିବା ରବୀନ୍ଦ୍ରନ୍ ୨୦୧୧ ମସିହାରେ ‘ବାଇଜୁସ୍’ କମ୍ପାନି ପ୍ରତିଷ୍ଠା କଲେ। ଏଥିରେ ତାଙ୍କୁ ସହଯୋଗ କରିଥିଲେ ପତ୍ନୀ ଦିବ୍ୟା। କୋଭିଡ୍ ସମୟରେ ଘରୋଇ ଶିକ୍ଷା କ୍ଷେତ୍ରରେ ବାଇଜୁସ୍ ରେକର୍ଡ ସ୍ଥାପନ କରିଥିଲା। ଅନ୍ଲାଇନ୍ କୋଚିଂ ମାଧ୍ୟମରେ ଘରେ ଘରେ ପରିଚିତି ପାଇବା ସହ ଏକ ଭରସାଯୋଗ୍ୟ ଏଡୁଟେକ୍ ଷ୍ଟାର୍ଟଅପ୍ର ମାନ୍ୟତା ମଧ୍ୟ ପାଇଲା। ୨୦୨୨ରେ ବାଇଜୁସ୍ର ମୋଟ୍ ମୂଲ୍ୟ ଥିଲା ୨୨ ମିଲିୟନ୍ ଡଲାର୍। ଏହାପରେ ବାଇଜୁସ୍ ପ୍ରାଥମିକ ସ୍ତରରୁ ଏମ୍ବିଏ ପର୍ଯ୍ୟନ୍ତ ପିଲାଙ୍କୁ କୋଚିଂ ଦେବା ଆରମ୍ଭ କରି ସଫଳ ହେଲା। ହେଲେ ଧୀରେ ଧୀରେ ରବୀନ୍ଦ୍ରନ୍ଙ୍କ ବାଇଜୁସ୍ ବିଫଳତାର ସ୍ବାଦ ଚାଖିବାକୁ ଆରମ୍ଭ କଲା ଏବଂ ଦେବାଳିଆର ମାନ୍ୟତା ପାଇବାକୁ ଲାଗିଲା। ଏପରିକି ରବୀନ୍ଦ୍ରନ୍ ତାଙ୍କ କର୍ମଚାରୀଙ୍କୁ ଦରମା ଦେବାରେ ଅସମର୍ଥ ହେଲେ। ବାଇଜୁସ୍ର ମାସକୁ ମାତ୍ର ୩୦ କୋଟି ଟଙ୍କା ଆୟ ହେଉଥିବା ବେଳେ ଖର୍ଚ୍ଚ ହେଉଥିଲା ୧୫୦ କୋଟିରୁ ଊର୍ଦ୍ଧ୍ବ। ପରିସ୍ଥିତି ଏପରି ହେଲା ଯେ, ରବୀନ୍ଦ୍ରନ୍ ବାଧ୍ୟହୋଇ ନିଜର ତଥା ନିଜ ପରିବାର ଲୋକଙ୍କ ଘର ବନ୍ଧକ ରଖି କର୍ମଚାରୀଙ୍କୁ ଦରମା ଦେଲେ। ହେଲେ ଏହା ବେଶୀ ଦିନ ତିଷ୍ଠି ପାରିଲାନାହିଁ। କମ୍ପାନି ଚଳାଇ ରଖିବାକୁ ହେଲେ ତାଙ୍କୁ ପ୍ରତି ମାସରେ ହାରାହାରି ୧୨୦ରୁ ୧୩୦ କୋଟି ଟଙ୍କା ଅାବଶ୍ୟକ ହେଲା। ଶେଷରେ ଅସହାୟ ହୋଇ କର୍ମଚାରୀଙ୍କୁ ଛଟେଇ କରିବାକୁ ଲାଗିଲେ ରବୀନ୍ଦ୍ରନ୍। ତାଙ୍କର ଅନ୍ୟ ପ୍ରତିଦ୍ବନ୍ଦ୍ବୀ ଓ କର୍ମଚାରୀ ମଧ୍ୟ ତାଙ୍କୁ ସିଇଓ ପଦରୁ ହଟାଇବାକୁ ଚାପ ପକାଇଲେ। ଶିକ୍ଷାକୁ ଆଗକୁ ନେବାକୁ ଚାହିଁଥିବା ରବୀନ୍ଦ୍ରନ୍ ସମୟ ଫାଶରେ ଏବେ ଅନେକ ଜଟିଳତାରେ ଛନ୍ଦି େହାଇଯାଇଛନ୍ତି। ତେବେ ଋଣ ଭାରରେ ବୁଡ଼ିଥିବା ବାଇଜୁସ୍ କମ୍ପାନି ଏ ଦୁଃସମୟରୁ କେବେ ମୁକୁଳିବ ତାହା ଦେଖିବା ବାକି ରହିଲା।
‘ୱାର୍ଲଡ୍ ଜର୍ଣ୍ଣାଲ୍ ଅଫ୍ ଆଡ୍ଭାନ୍ସଡ୍ ରିସର୍ଚ୍ଚ ଆଣ୍ଡ୍ ରିଭ୍ୟୁଜ୍’ରେ ପ୍ରକାଶିତ ବାଇଜୁସ୍ର ବିଫଳତା ସଂପର୍କିତ ଏକ ସନ୍ଦର୍ଭରେ ଉଲ୍ଲେଖ କରାଯାଇଛି, ‘‘ଆର୍ଥିକ କୁପରିଚାଳନା, ଖରାପ ନିଷ୍ପତ୍ତି, ଅସ୍ଥିର ଦେଣନେଣ ଆଦି କାରଣ େଯାଗୁ କମ୍ପାନି ଏହାର ବିଭିନ୍ନ ଦେୟ ଓ ବକେୟା ଠିକ୍ ସମୟରେ ପୈଠ କରିପାରିଲା ନାହିଁ। କମ୍ପାନିରେ ଅସହମତି ଓ ନେତୃତ୍ବଗତ ଅସ୍ଥିରତା ହେତୁ ବିଶାଳ ବ୍ୟାବସାୟିକ ସାମ୍ରାଜ୍ୟ କ୍ଷତିଗ୍ରସ୍ତ ହେଲା। ପୁଣି ଗଣମାଧ୍ୟମରେ ନକାରାତ୍ମକ ଖବର ପ୍ରକାଶିତ ହୋଇ ବାଇଜୁସ୍ର ଭାବମୂର୍ତ୍ତି ଓ ବ୍ରାଣ୍ଡ୍ ଭାଲ୍ୟୁ ନଷ୍ଟ ହୋଇଯାଇଥିଲା।’’