୨୧ ବର୍ଷୀୟା ବ୍ରୁକ୍‌ ବ୍ରକ୍-ଜ୍ୟାକସନ୍‌ ଚଳିତବର୍ଷର ‘ଜିମ୍ବାୱେ ବ୍ରହ୍ମାଣ୍ଡ ସୁନ୍ଦରୀ’ ମୁକୁଟ ଧାରଣ କରିଛନ୍ତି। ସୁତରାଂ ଆଗାମୀ ବ୍ରହ୍ମାଣ୍ଡ ସୁନ୍ଦରୀ ପ୍ରତିଯୋଗିତାରେ ସେ ଏହି ଆଫ୍ରିକୀୟ ଦେଶର ପ୍ରତିନିଧିତ୍ବ କରିବେ। ତେବେ ଗତ ୨୨ ବର୍ଷର ଜିମ୍ବାୱେ ବ୍ରହ୍ମାଣ୍ଡ ସୁନ୍ଦରୀ ପ୍ରତିଯୋଗିତା ଇତିହାସରେ ପ୍ରଥମ ଥର ପାଇଁ ବିବାଦ ଦେଖାଦେଇଛି। ମୁକୁଟ ବିଜୟିନୀ ବ୍ରୁକ୍‌ କୌଣସିମତେ ଜିମ୍ବାୱେର ସାଧାରଣ ଜନତାଙ୍କର ଉଚିତ ପ୍ରତିନିଧିତ୍ବ କରିପାରୁନାହାନ୍ତି ବୋଲି ଅନେକ ସମାଲୋଚନା କରୁଛନ୍ତି। ଉଲ୍ଲେଖଯୋଗ୍ୟ, ଜିମ୍ବାୱେର ରାଜଧାନୀ ସହର ହାରାରେ ଠାରେ ବ୍ରୁକ୍‌ ଜନ୍ମ ହୋଇ ବଡ଼ ହୋଇଛନ୍ତି। ତେବେ ସେ ଗୋରୀ ହୋଇଥିବାରୁ ଜିମ୍ବାେଵ ବ୍ରାହ୍ମାଣ୍ଡ ସୁନ୍ଦରୀ ହୋଇପାରିଛନ୍ତି, ସୁତରାଂ ତାଙ୍କର ଏହି ଉପାଧି ବର୍ଣ୍ଣଗତ ପକ୍ଷପାତ ଦ୍ବାରା କଳଙ୍କିତ ବୋଲି ମୁଖର ସମାଲୋଚକମାନେ ଯୁକ୍ତି ବାଢ଼ିଛନ୍ତି। ‘ଜଣେ ଶୁଭ୍ରା ୟୁରୋପୀୟ ମହିଳା କୃଷ୍ଣକାୟଙ୍କ ପାଇଁ ଉଦ୍ଦିଷ୍ଟ ପ୍ରତିଯୋଗିତା ଜିତିଛନ୍ତି ବୋଲି ଇନ୍‌ଷ୍ଟାଗ୍ରାମ୍‌ରେ ଜଣେ କଟାକ୍ଷ କରିଛନ୍ତି।

Advertisment

ଉଲ୍ଲେଖଯୋଗ୍ୟ, ଜିମ୍ବାୱେ ବ୍ରହ୍ମାଣ୍ଡ ସୁନ୍ଦରୀ ହେଉଛି ଏକ ପ୍ରାଥମିକ ସୁନ୍ଦରୀ ପ୍ରତିଯୋଗିତା ଯାହା ମାଧ୍ୟମରେ ଆନ୍ତର୍ଜାତିକ ବ୍ରହ୍ମାଣ୍ଡ ସୁନ୍ଦରୀ ପ୍ରତିଯୋଗିତା ପାଇଁ ଦେଶର ପ୍ରତିନିଧି ଚୟନ କରାଯାଇଥାଏ। ଏଥିରେ ଜିମ୍ବାୱେର ୧୦ଟି ପ୍ରଦେଶ ସମେତ ପ୍ରବାସରେ ରହୁଥିବା ଜିମ୍ବାୱେ ଯୁବତୀମାନଙ୍କୁ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଥିଲା। ତେବେ ୨୫ ଜଣ ପ୍ରତିଦ୍ବନ୍ଦ୍ବୀଙ୍କ ଭିତରେ ବ୍ରୁକ୍‌ ଏକମାତ୍ର ଶ୍ବେତାଙ୍ଗୀ ଥିବାରୁ ତାଙ୍କୁ ବିଜେତ୍ରୀ ଘୋଷଣା କରାଯିବା ଅନେକଙ୍କୁ ବିସ୍ମିତ କରିଛି। ଅପରପକ୍ଷେ, କୌଣସି ଆଫ୍ରିକୀୟ ଦେଶର ଜାତୀୟ ସୁନ୍ଦରୀ ହେବାରେ ବ୍ରୁକ୍‌ ଏକମାତ୍ର ଶ୍ବେତକାୟା ନୁହନ୍ତି। ଚଳିତବର୍ଷର ଦକ୍ଷିଣ ଆଫ୍ରିକା ବ୍ରହ୍ମାଣ୍ଡ ସୁନ୍ଦରୀ ମଧ୍ୟ ହେଉଛନ୍ତି ଜଣେ ଶ୍ବେତାଙ୍ଗୀ।