ଆଗକୁ ମଙ୍ଗଳ ଗ୍ରହ ବା ପୃଥିବୀ ବାହାର ଅନ୍ୟାନ୍ୟ ସ୍ଥାନକୁ ମହାକାଶ ଯାତ୍ରା ନିମନ୍ତେ ମହାକାଶଚାରୀଙ୍କୁ ନିଜ ପାଇଁ ଖାଦ୍ୟ ପ୍ରସ୍ତୁତ କରିବାକୁ ପଡ଼ିବ। ତାହାକୁ ଦୃଷ୍ଟିରେ ରଖି ମହାକାଶ ଗବେଷକମାନେ ଅନ୍ତରୀକ୍ଷରେ ଉଦ୍ଭିଦ ବିକଶିତ କରିବା ଉପରେ ଗୁରୁତ୍ବାରୋପ କରୁଛନ୍ତି। ଏହି କ୍ରମରେ ବୈଜ୍ଞାନିକମାନେ ଉଦ୍ଭିଦର ସ୍ଥିତି ସମ୍ପର୍କରେ ୧୯୭୦ ଦଶକରୁ ପରୀକ୍ଷା ନିରୀକ୍ଷା ଚଳାଇ ଆସିଛନ୍ତି। ଆମେରିକାର ମହାକାଶ ଗବେଷଣା ସଂସ୍ଥା ‘ନାସା’ ପକ୍ଷରୁ ୨୦୧୫ ମସିହାରେ ମହାଶୂନ୍ୟରେ ପୃଥିବୀ ଚାରିପଟେ ଘୂରୁଥିବା ଆନ୍ତର୍ଜାତିକ ମହାକାଶ କେନ୍ଦ୍ରରେ ଫୁଲ ଗଛ ଲଗାଇବା ଆରମ୍ଭ ହୋଇଥିଲା। ଏହାର ସୁଫଳ ମିଳିଥିବା ଏବେ ଜଣାଯାଇଛି। ସେଠାରେ ଫୁଟିଥିବା ଜିନିଆ ଫୁଲର ଚିତ୍ର ‘ନାସା’ ନିକଟରେ ପ୍ରକାଶ କରିଛି।

Advertisment

‘ମହାକାଶରେ ବଗିଚା’ ଗବେଷଣାର ଅଂଶବିଶେଷ ଏହି ଜିନିଆ ଫୁଲ କେବଳ ପ୍ରଦର୍ଶନୀ ପାଇଁ ନୁହେଁ, ବରଂ ପୃଥିବୀ ବାହାରେ କିପରି ଉଦ୍ଭିଦ ବଢ଼ାଯାଇପାରିବ, ସେ ସଂକ୍ରାନ୍ତ ଜ୍ଞାନ ଆହରଣ ପାଇଁ ତାହା ସହାୟକ ହେବ। ଏହା ଦ୍ବାରା ଚନ୍ଦ୍ର, ମଙ୍ଗଳ ପରି ପୃଥିବୀ ବାହାରକୁ ଦୀର୍ଘମିଆଦୀ ମହାକାଶ ଯାତ୍ରା ବେଳେ ମହାକାଶଚାରୀଙ୍କୁ ସଜ ଫଳମୂଳ ଯୋଗାଇବାର ମୂଲ୍ୟବାନ ଉତ୍ସ ତତ୍କାଳ ମିଳିପାରିବ। ‘ନାସା’ ମହାକାଶଚାରୀମାନେ ମଧ୍ୟ ପୂର୍ବରୁ ଆନ୍ତର୍ଜାତିକ ମହାକାଶ କେନ୍ଦ୍ରରେ ଟମାଟୋ, ବନ୍ଧାକୋବି ଓ କଞ୍ଚାଲଙ୍କା ଆଦି ବଢ଼ାଇବା ସହ ଆଗକୁ ଆହୁରି ଅନେକ ଉଦ୍ଭିଦ ବିକଶିତ କରିବାର କାର୍ଯ୍ୟକ୍ରମ ରହିଛି। ମହାକାଶରେ ନଗଣ୍ୟ ବା ଶୂନ ମାଧ୍ୟାକର୍ଷଣ ବଳ ପରିବେଶରେ କିପରି ଏକ ସ୍ବୟଂକ୍ରିୟ ବଗିଚା ସୃଷ୍ଟି କରିହେବ ସେ ବାବଦରେ ଏହି ଜିନିଆ ଫୁଲ ଫୁଟିବା ଘଟଣା ମହାକାଶଚାରୀଙ୍କୁ ଅଧିକ ଜ୍ଞାନ ଯୋଗାଇବ ବୋଲି ‘ନାସା’ କହିଛି।