ମୁଁ ମୋ ଜୀବନ, ସମ୍ମାନ ଓ ପ୍ରତିଷ୍ଠାକୁ ବିପଦରେ ପକାଇପାରିବି ନାହିଁ: ହିତେଶ ଚନ୍ଦ୍ରାଣୀ

ବେଙ୍ଗାଲୁର: ଜୋମାଟୋର ଡେଲିଭରି ବୟ କମ୍‌ରାଜଙ୍କଠାରୁ ମାଡ଼ ଖାଇଥିବା ଅଭିଯୋଗ ଆଣିଥିବା ମଡେଲ୍‌ ହିତେଶ ଚନ୍ଦ୍ରାଣୀ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ପୃଷ୍ଠାରେ ଏକ ଲମ୍ବା ବିବୃତ୍ତି ଜାରି କରିଛନ୍ତି। ସେ ଜାରି କରିଥିବା ବିବୃତ୍ତିରେ ଲେଖିଛନ୍ତି କି ତାଙ୍କୁ ବଦ୍‌ନାମ୍‌ କରି ପୋଷ୍ଟ୍‌ କରିଥିବା କିଛି ନିର୍ଦ୍ଦିଷ୍ଟ ସେଲିବ୍ରେଟିଙ୍କ ମନ୍ତବ୍ୟ ତାଙ୍କୁ ବିଶେଷ ଆଘାତ ଦେଇଛି।

ସେ ଆହୁରି ବି ଲେଖିଛନ୍ତି ଯେ ସେ ନିଜର ଜୀବନ, ପ୍ରତିଷ୍ଠା, ସମ୍ମାନ ଏବଂ ମାନସିକ ଶାନ୍ତିକୁ କ୍ଷୁର୍ଣ୍ଣ କରିବାକୁ ଦେବେ ନାହିଁ କି ମାମଲାର ଅନ୍ତିମ ଶୁଣାଣି ନହେବା ପର୍ଯ୍ୟନ୍ତ ସେ କୌଣସି ମନ୍ତବ୍ୟ ବି ଦେବେ ନାହିଁ।

ପୂର୍ବରୁ ଅନେକ ରିପୋର୍ଟ ପ୍ରକାଶ ପାଇଥିଲା ଯେ ହିତେଶ ବେଙ୍ଗାଲୁର ସହର ଛାଡ଼ି ଦେଇଛନ୍ତି। ସେହି କଥା ଉପରେ ନିଜର ବୟାନ ‌ଦେଇ ଚନ୍ଦ୍ରଣୀ ଲେଖିଛନ୍ତି, ‘ମୁଁ ବେଙ୍ଗାଲୁରରେ ଅଛି, ବେଙ୍ଗାଲୁର ମୋ ଘର ପରି’। ଅନୁସନ୍ଧାନକାରୀ ସଂସ୍ଥାମାନେ ସତ୍ୟକୁ ସାମ୍ନାକୁ ଆଣିବା ପର୍ଯ୍ୟନ୍ତ ମୁଁ ଅପେକ୍ଷା କରିଛି ବୋଲି ସେ ଲେଖିଛନ୍ତି।

ଉଲ୍ଳେଖଯୋଗ୍ୟ, ନିକଟରେ ଫୁଡ୍‌ ଡେଲିଭରିଂ ସାଇଟ୍‌ ଜୋମାଟୋର ଜଣେ ଡେଲିଭରି ବୟ ବେଙ୍ଗାଲୁରୁର ଜଣେ ମହିଳା ଗ୍ରାହକଙ୍କୁ ଆକ୍ରମଣ କରି ନାକ ଫଟାଇ ଦେଇଥିବା ଅଭିଯୋଗ ହୋଇଥିଲା। ମହିଳା ଜଣକ ସୋସିଆଲ୍‌ ମିଡିଆରେ ଏକ ଭିଡିଓ ପୋଷ୍ଟ୍‌ କରି ଏହି ଅଭିଯୋଗ ଆଣିଥିଲେ। ମାତ୍ର ଏହି ଅଭିଯୋଗକୁ ଅସ୍ବୀକାର କରିିଥିଲେ ଡେଲିଭରି ବୟ କମ୍‌ରାଜ୍‌। ସେ କହିଥିଲେ କି ମହିଳା ଜଣକ ପ୍ରଥମେ ତାଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଚପଲରେ ପିଟିଥିଲେ। ପୂର୍ବରୁ ଖବର ପ୍ରକାଶ ପାଇଥିଲା ଯେ ମହିଳା ଜଣକ ବରାଦ ଦେଇଥିବା ଖାଦ୍ୟ ବାତିଲ୍‌ କରିବା କାରଣରୁ ତାଙ୍କ ଘରେ ପଶି ତାଙ୍କୁ ଆକ୍ରମଣ କରିଥିଲେ ଜୋମାଟୋର ଡେଲିଭରି ବୟ। ମାତ୍ର ଏହା ସଂପୂର୍ଣ୍ଣ ଗୁଜବ ବୋଲି ଅଭିଯୁକ୍ତ ଡେଲିଭରି ବୟ ଜଣକ ନିଜ ବୟାନରେ ସଫେଇ ଦେଇଥିଲେ। ଏପରିକି ପୂର୍ବରୁ ଯେଉଁ ପୁଲିସ୍‌ ଷ୍ଟେସନ୍‌ରେ ମହିଳା ଜଣକ ଡେଲଭରି ବୟଙ୍କ ନାମରେ ଅଭିଯୋଗ ଆଣିଥିଲେ ସେହି ସମାନ ପୁଲିସ୍‌ ଷ୍ଟେସନ୍‌ରେ ମହିଳାଙ୍କ ନାମରେ ମାମଲା ରୁଜୁ କରିଥିଲେ କମ୍‌ରାଜ୍‌। ତାପରେ ଚନ୍ଦ୍ରାଣୀଙ୍କୁ ଗିରଫ କରିଥିଲା ପୁଲିସ୍।

ସମ୍ବନ୍ଧିତ ଖବର