ସାଇକେଲରେ ଡେଲିଭରି କରୁଥିବା ବ୍ୟକ୍ତିଙ୍କ କାହାଣୀ ଭାଇରାଲ ହେବା ପରେ ଉପହାରରେ ମିଳିଲା ବାଇକ

ନୂଆଦିଲ୍ଲୀ: ଆପଣ ବି ଦେଖିଥିବେ ଜୋମାଟୋ ଓ ସୁଇଗି ଭଳି କମ୍ପାନିର କିଛି ଡେଲିଭରି ପାର୍ଟନର ସାଇକେଲ ଚଢ଼ି ଲୋକଙ୍କ ଘରେ ଖାଇବା ପହଞ୍ଚାଇ ଥାଆନ୍ତି। ଏବେ ଯେଭଳି ଭାବେ ଗରମ ପଡ଼ିଛି ଘରୁ ବାହାରିବା କଷ୍ଟ ହେଉଛି। ଏଭଳି ସମୟରେ ସାଇକେଲରେ ଡେଲିଭରି କରିବ ସହଜ କଥା ନୁହେଁ।

ସାଇକେଲରେ ଡେଲିଭରି କରୁଥିବା ଜଣେ ବ୍ୟକ୍ତିଙ୍କ ଫଟୋ ଉଠାଇ ତାଙ୍କ କାହାଣୀକୁ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ। ଦେଖୁଦେଖୁ ଉକ୍ତ ଡେଲିଭରି ବଏଙ୍କ କାହାଣୀ ଭାଇରାଲ ହୋଇଯାଇଥିଲା, ଆଉ ତାଙ୍କୁ ଉପହାରରେ ବାଇକ ମିଳିଥିଲା।

ଟୁଇଟର ବ୍ୟବହାରକାରୀ ଆଦିତ୍ୟ ଶର୍ମା ସୋମବାର ଜୋମାଟୋର ଡେଲିଭରି ପାର୍ଟନର ଦୁର୍ଗା ମିଣାଙ୍କ ଫଟୋ ସେୟାର କରିଥିଲେ। ଆଉ ଲୋକଙ୍କୁ ଜଣାଇଥିଲେ କି ଦୁର୍ଗା କିଭଳି ଭାବେ ଏତେ ଖରାରେ ୪୨ ଡିଗ୍ରି ତାପମାତ୍ରାରେ ସାଇକେଲ ଚଲାଇ ଲୋକଙ୍କ ଘରେ ସଠିକ ସମୟରେ ଖାଇବା ପହଞ୍ଚାଉଛନ୍ତି।

ଦୁର୍ଗା ମିଣା ଗତ ୧୨ବର୍ଷ ହେବ ଶିକ୍ଷକ ଥିଲେ। କିନ୍ତୁ କରୋନା କାଳରେ ତାଙ୍କର ଏହି ଚାକିରି ଚାଲି ଯାଇଥିଲା। ଏହାପରେ ସେ ଜୋମାଟୋ ପାଇଁ ଖାଦ୍ୟ ଡେଲିଭରି କରିବା ଆରମ୍ଭ କରିଥିଲେ। ସେ ଗତ ୪ମାସ ହେବ ଏହି କାମ କରି ଆସୁଛନ୍ତି। ମାସକୁ ୧୦ହଜାର ଟଙ୍କା ରୋଜଗାର କରୁଛନ୍ତି। ସେ ବିକମ ପାଠପଢ଼ିଥିବା ବେଳେ ଏମକମ କରିବାକୁ ଚାହୁଁଛନ୍ତି। କିନ୍ତୁ ଏସବୁ ପାଇଁ ଅର୍ଥ ସାଜିଛି ବାଧକ।

ଦୁର୍ଗା ଆଦିତ୍ୟଙ୍କୁ କହିଥିଲେ କି, ତାଙ୍କୁ ଗୋଟେ ବାଇକ କିଣିବା ପାଇଁ ଡାଉନପେମେଣ୍ଟ କରି ଦିଅନ୍ତୁ। ଇଏମଆଇ ସେ ନିଜେ ଭରିବେ।  କାରଣ ସାଇକେଲରେ ବହୁତ କଷ୍ଟରେ ସେ ୧୦/୧୫ଟି ଡେଲିଭରି କରି ପାରନ୍ତି। ଆଦିତ୍ୟ ଟୁଇଟରରେ ୭୫ହଜାର ଟଙ୍କା ଏକାଠି କରିବା ପାଇଁ ଅଭିଯାନ ଆରମ୍ଭ କରିଥିଲେ। ଏହାପରେ ଲୋକମାନେ ଦୁର୍ଗାଙ୍କ ସାହାଯ୍ୟ ପାଇଁ ଟଙ୍କା ଦେବା ଆରମ୍ଭ କରିଥିଲେ। ଆଉ ବାଇକ ପାଇଁ ଆବଶ୍ୟକ ଥିବା ଟଙ୍କା ଏକାଠି ହୋଇଯାଇଥିଲା।

ସମ୍ବନ୍ଧିତ ଖବର