ହାଇଦ୍ରାବାଦ୍: ହାଇଦ୍ରାବାଦର ଚଂଚଲଗୁଡ଼ା ଅଂଚଳର ଏକ ଭିଡିଓ ସୋସିଆଲ୍ ମିଡିଆରେ ଖୁବ ଜୋର୍ରେ ଭାଇରାଲ୍ ହେବାରେ ଲାଗିଛି। ଭିଡିଓରେ ଜୋମାଟୋର ଜଣେ ଫୁଡ୍ ଡେଲିଭରି ବୟଙ୍କୁ ରାସ୍ତା ଉପରେ ଘୋଡ଼ା ଚଢ଼ି ଖାଇବା ପହଞ୍ଚାଇବା ପାଇଁ ବାହାରି ଥିବାର ଦେଖିବାକୁ ମିଳିଛି।
କଥାଟି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିଲେ ବି ଏହା ସତ। ରାସ୍ତାରେ ଗାଡ଼ି ବଦଳରେ ଘୋଡା ଚଢ଼ି ଖାଇବା ନେଇ ଯାଉଥିବା ଜୋମାଟୋ ବୟକୁ ଦେଖି ଲୋକେ ମଧ୍ୟ ଖୁବ୍ ଆଶ୍ଚର୍ଯ୍ୟ ହେଉଛନ୍ତି। ହେଲେ ପରିସ୍ଥିତି ଏପରି ହୋଇଛି ଯେ ଡେଲିଭରି ବୟ ଜଣଙ୍କୁ ସେପରି କରିବାକୁ ପଡ଼ିିଛି।
ଆପଣ ଜାଣନ୍ତି ଯେ ଗତ କିଛି ଦିନ ହେବ ବସ୍, ଟ୍ରକ୍ ଧର୍ମଘଟ ପାଇଁ ପେଟ୍ରୋଲ୍ ପମ୍ପରେ ଏବେ ଲମ୍ବା ଧାଡ଼ି ଲାଗିରହୁଛି । ପେଟ୍ରୋଲ ପମ୍ପରେ ଅତ୍ୟଧିକ ଲୋକ ଭିଡ଼ ହେତୁ ଏପରି ନୂଆ ଉପାୟ ଖୋଜି ବାହାର କରିଛନ୍ତି ଜୋମାଟୋ ବୟ ଜଣକ ।
ଗ୍ରାହକଙ୍କ ନିକଟରେ ଉଚିତ ସମୟରେ ଖାଦ୍ୟ ପହଞ୍ଚାଇବା ପାଇଁ ଡେଲିଭରି ବୟ ପେଟ୍ରୋଲ୍ ପାଇଁ ଆଉ ଧାଡ଼ିରେ ନରହି ଘୋଡ଼ା ଧରି ଡେଲିଭରି ଦେବାକୁ ବାହାରି ଯାଇଥିଲେ। ଯାହାକି ଏବେ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି।
ସୂଚନାଯୋଗ୍ୟ, ସରକାରଙ୍କ ଦ୍ୱାରା ଜାରି ହୋଇଥିବା ନୂଆ ‘ହିଟ୍ ଆଣ୍ଡ୍ ରନ୍’ ମାମଲାକୁ ନେଇ ଏବେ ଚାରିଆଡ଼େ ବିରୋଧ ପ୍ରଦର୍ଶନ ଜାରି ରହିଛି। ଏହି ନିୟମରେ ଦୁର୍ଘଟଣା ଘଟାଇ ନଜଣାଇ ଫେରାର୍ ହୋଇ ଯାଉଥିବା ଡ୍ରାଇଭରମାନଙ୍କୁ ୭ଲକ୍ଷ ଟଙ୍କାର ଜରିମାନା ଓ ୧୦ ବର୍ଷର ଜେଲ୍ ଦଣ୍ଡ ଦେବାର ଘୋଷଣା କରାଯାଇଛି । ଯାହାକୁ ନେଇ ପରିବହନ ସଂଘ ପକ୍ଷରୁ ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ ହେଉଛି। ଏହି କାରଣରୁ ଲୋକଙ୍କୁ ନାହିଁନଥିବା ଅସୁବିଧାର ସାମ୍ନା କରିବାକୁ ପଡୁଛି।