ନୂଆଦିଲ୍ଲୀ: ମହାରାଷ୍ଟ୍ରର ଗୋନ୍ଦିଆ ସହରରେ ଶାସ୍ତ୍ରୀ ବୋର୍ଡ ଅଞ୍ଚଳସ୍ଥ ଏକ ଘର ଦ୍ବାର ବନ୍ଧ ତଳୁ ଗୋଟିଏ କି ଦୁଇଟି ନୁହେଁ, ଏକାଥରକେ ୩୯ଟି ସାପ ବାହାରିଥିବା ଜଣାପଡ଼ିଛି। ଏହି ସାପଗୁଡ଼ିକୁ ଦେଖି ପରିବାର ସଦସ୍ୟ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ କୋକୁଆଭୟ ଖେଳି ଯାଇଥିଲା।

Advertisment

ଦ୍ବାର ବନ୍ଧ ତଳୁ ଏହି ସାପଗୁଡ଼ିକୁ ଉଦ୍ଧାର କରିବା ପାଇଁ ସାପ ଧରାଳୀଙ୍କୁ ୪ଘଣ୍ଟାର ସମୟ ଲାଗି ଯାଇଥିଲା। ସାପ ଧରାଳୀ ଉଦ୍ଧାର ହୋଇଥିବା ସମସ୍ତ ସାପକୁ ସୁରକ୍ଷିତ ସ୍ଥାନରେ ଛାଡ଼ି ଦେଇଛନ୍ତି।

ଘରର ମାଲିକ ରାଜେଶ ସୀତାରାମ ଶର୍ମା କହିଛନ୍ତି, ‘ଘର ପ୍ରାୟ ୨୦ବର୍ଷ ପୁରୁଣା। ମୁଖ୍ୟ ଦ୍ବାର କାଠର ରହିଛି। ଆଉ ଉଇ ବି ଲାଗି ଯାଇଥିଲା। ଗତ ଶୁକ୍ରବାର ଏପ୍ରିଲ ୭ ତାରିଖରେ ଘରର ସଫେଇ କରୁଥିବା ମହିଳା ଏହି ଦ୍ବାର ବନ୍ଧ ନିକଟରେ ଏକ ଛୋଟ ସାପକୁ ଦେଖିବାକୁ ପାଇଥିଲେ। ଏକଥା ସେ ମୋତେ ଆସି କହିଥିଲେ। ମୁଁ ଦ୍ବାର ବନ୍ଧ ନିକଟ‌ରେ ଦେଖିଲା ବେଳକୁ ମୋତେ କିଛି ଠିକ ଲାଗି ନଥିଲା।

ଏହାପରେ ସମୟ ବିଳମ୍ବ ନକରି ମୁଁ ସାପ ଧରାଳୀଙ୍କୁ ଫୋନ କରି ଡକାଇଥିଲି। ସେମାନେ ବି ମୋ ଫୋନ କଲ ପାଇ ତୁରନ୍ତ ଘରେ ଆସି ପହଞ୍ଚି ଯାଇଥିଲେ। ଦ୍ବାର ବନ୍ଧ ତଳୁ ଗୋଟିଏ ପରେ ଗୋଟିଏ ଏପରି ୩୯ଟି ସାପ ଛୁଆକୁ ଉଦ୍ଧାର କରିଥିଲେ ସାପ ଧରାଳୀ। ତେବେ ଉଦ୍ଧାର ହୋଇଥିବା ସାପ ବିଷାକ୍ତ ନଥିବା ସାପ ଧରାଳୀ କହିଥିଲେ।’