ଚଳିତବର୍ଷ ଆରମ୍ଭରୁ କରୋନାର ପ୍ରକୋପ କମି ଯାଇଥିଲା। ଟିକାକରଣ ଆରମ୍ଭ ହୋଇଥିବା ବେଳେ ଜନଜୀବନ ସ୍ବାଭାବିକ ଆଡ଼କୁ ଗତି କରିଥିଲା। ମାର୍ଚ ଶେଷ ପର୍ଯ୍ୟନ୍ତ ସବୁକିଛି ଠିକ୍ଠାକ୍ ଚାଲିଥିବା ବେଳେ ଏପ୍ରିଲରୁ ପୁଣିଥରେ କଡ଼ ଲେଉଟାଇଥିଲା କରୋନା। ହେଲେ ପ୍ରଥମ ଲହର ତୁଳନାରେ ଆହୁରି ଘାତକ ସାଜିଥିଲା ଦ୍ବିତୀୟ ଲହର। ପ୍ରଥମେ ପଶ୍ଚିମ ଓଡ଼ିଶାରେ ସଂକ୍ରମଣ ଆରମ୍ଭ ହୋଇଥିବା ବେଳେ ପରବର୍ତୀ ସମୟରେ ରାଜ୍ୟବ୍ୟାପୀ ନିଆଁ ଭଳି ମାଡ଼ିଥିଲା। ପ୍ରଥମର ଲହରରେ ଦୈନିକ ସର୍ବାଧିକ ଯେତିକି ସଂକ୍ରମିତ ଚିହ୍ନଟ ହୋଇଥିଲେ ତାହାର ପ୍ରାୟ ୪ଗୁଣା ସଂକ୍ରମିତ ଚିହ୍ନଟ ହୋଇଥିଲେ ଗୋଟିଏ ଦିନରେ। ପରିସ୍ଥିତି ଏପରି ହୋଇଥିଲେ ଯେ ହସ୍ପିଟାଲରେ ଶଯ୍ୟା ମିଳିବା କଷ୍ଟକର ହୋଇ ପଡ଼ିଥିଲା। ମୃତ୍ୟୁ ସଂଖ୍ୟା ମଧ୍ୟ ବେଶ୍ ବଢ଼ିଥିଲା। ରାଜ୍ୟରେ ଏଭଳି ଦ୍ରୁତ ସଂକ୍ରମଣ ପଛରେ ଭାରତରେ ଉତ୍ପତ୍ତି ହୋଇଥିବା ଡେଲ୍ଟା ଭାରିଏଣ୍ଟ(ବି.୧.୬୧୭.୨) ରାଜ୍ୟରେ ମଧ୍ୟ ପ୍ରଭାବ ବିସ୍ତାର କରିଥିବା ଜଣାପଡ଼ିଥିଲା। ରାଜ୍ୟରେ ଯେତିକି ସଂଖ୍ୟକ ଜିନ୍ ଅନୁଶୀଳନ ହୋଇଥିଲା ତହିଁରେ ୯୦ ପ୍ରତିଶତରୁ ଅଧିକ ଡେଲ୍ଟା ଭାରିଏଣ୍ଟ ରହିଥିବା ସ୍ପଷ୍ଟ ହୋଇଥିଲା। ୪ ମାସର ବ୍ୟବଧାନ ପରେ ରାଜ୍ୟରେ କରୋନା ସଂକ୍ରମଣ କମି ଆସିଛି।
କରୋନାର ଦ୍ବିତୀୟ ଲହରର ତାଣ୍ଡବ ଜାରି ରହିଥିବା ବେଳେ ରାଜ୍ୟରେ କରୋନା ଟିକାକରଣ ଧିମେଇ ଯାଇଥିଲା। ଟିକା ନେବା ପାଇଁ ଶହ ଶହ ଲୋକ ଟିକା କେନ୍ଦ୍ରରେ ପହଞ୍ଚିଥିଲେ ହେଁ ସେମାନଙ୍କୁ ଟିକା ମିଳି ନ ଥିଲା। ଗତ ଜୁନ୍ ମାସରୁ କେନ୍ଦ୍ର ସରକାର ରାଜ୍ୟ ପାଇଁ ଆବଣ୍ଟିତ କରୁଥିବା ଟିକା ପରିମାଣକୁ ବଢ଼ାଇବା ପରେ ଟିକାକରଣ ସାମାନ୍ୟ ଜୋର ଧରିଥିଲା। ଏବେ ରାଜ୍ୟରେ ୫୪ ପ୍ରତିଶତ ଯୋଗ୍ୟ ହିତାଧିକାରୀ ଅତିକମ୍ରେ ପ୍ରଥମ ଡୋଜ୍ ଟିକା ପାଇ ସାରିଲେଣି। ରାଜ୍ୟରେ ୨.୨କୋଟିରୁ ଅଧିକ ଟିକାକରଣ କରାଗଲାଣି। ତେବେ କରୋନାର ଘାତକ ଦ୍ବିତୀୟ ଲହରରେ ରାଜ୍ୟରେ ସ୍ଥିତି କିଭଳି ରହିଥିଲା ତାହାକୁ ନେଇ ‘ସମ୍ବାଦ’ର ସ୍ବତନ୍ତ୍ର ଉପସ୍ଥାପନା....
ଭୁବନେଶ୍ବର : ମହାମାରୀ କରୋନା ଯୋଗୁଁ ରାଜ୍ୟରେ ୨୫ ହଜାରରୁ ଊର୍ଧ୍ବ ପିଲା ଜଣେ କିମ୍ବା ଉଭୟ ଅଭିଭାବକଙ୍କୁ ହରାଇଛନ୍ତି। ଏମାନଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୮୨୭୫ ଜଣଙ୍କୁ ଆଶୀର୍ବାଦ ଯୋଜନା ଅନ୍ତର୍ଗତରେ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଆଗାମୀ ଦିନରେ ଆହୁରି ପିଲା ଏହି ଯୋଜନାରୁ ସହାୟତା ପାଇବେ। ତେବେ ମୃତ୍ୟୁ ପ୍ରମାଣପତ୍ର ଦାଖଲ କରାଯାଇ ପାରୁନଥିବାରୁ ଯୋଜନାର ଲାଭ ମିଳିବାକୁ ବିଳମ୍ବ ହେଉଛି। ଅନ୍ୟଦିଗରେ ବର୍ତ୍ତମାନ ବାଳାଶ୍ରମକୁ ସଂକୁଚିତ ପାଇଁ ସରକାର ବିଚାର କରୁଛନ୍ତି। ବାଳାଶ୍ରମରୁ ବାହାରିଥିବା ୧୮ ବର୍ଷରୁ ଊର୍ଧ୍ବ ପିଲାଙ୍କ ପାଇଁ ଆଫ୍ଟର କେୟାର ହୋମ୍ ନିମନ୍ତେ ସ୍ଥାନ ଚିହ୍ନଟ କରିବାକୁ ପ୍ରତ୍ୟେକ ଜିଲ୍ଲାର ଜିଲ୍ଲାପାଳଙ୍କୁ କୁହାଯାଇଛି।
ସୂଚନା ଅନୁଯାୟୀ, ରାଜ୍ୟରେ ରହିଛି ୨୩୮ଟି ବିଭିନ୍ନ ପ୍ରକାର ଶିଶୁ ଯତ୍ନ ଅନୁଷ୍ଠାନ(ବାଳାଶ୍ରମ, ସା, ୧୨ଟି ଓପନ ସେଲଟର୍ ହୋମ୍, ବାଳ ଅପରାଧୀଙ୍କ ପାଇଁ ଅବଜରଭେସନ୍ ହୋମ୍, ରାଉରକେଲା ସ୍ଥିତ ପ୍ଲେସ୍ ଅଫ୍ ସେଫ୍ଟି)ରହିଛି। ବାଳାଶ୍ରମଗୁଡ଼ିକରେ ଏବେ ପ୍ରାୟ ୮୫୦୦ ଜଣ ଅନ୍ତେବାସୀ ରହୁଛନ୍ତି। ପୂର୍ବରୁ ଦାରିଦ୍ର୍ୟ କିମ୍ବା ବିଭିନ୍ନ କାରଣରୁ ଜଣେ ଅଭିଭାବକ ହରାଇଥିବା କିମ୍ବା ଅଭିଭାବକ ଗରିବ ଥିଲେ ମଧ୍ୟ ପିଲାଙ୍କୁ ବାଳାଶ୍ରମମାନଙ୍କରେ ରଖାଯାଉଥିଲା। ୫ ବର୍ଷ ହେଲା ସେହି ପ୍ରକ୍ରିୟାରେ ପରିବର୍ତ୍ତନ ହୋଇଛି। ପିଲାଙ୍କୁ ମାସିକ ୧୫୦୦ ଟଙ୍କା ଦିଆଯାଇ ଅଭିଭାବକ ଛେଉଣ୍ଡ ପିଲାଙ୍କୁ ସ୍ପନସରସିପ୍ କାର୍ଯ୍ୟକ୍ରମରେ ସାମିଲ କରାଯାଉଛି। ଉଭୟ ଅଭିଭାବକଙ୍କୁ ହରାଇଥିବା ପିଲାଙ୍କୁ ମଧ୍ୟ ବାଳାଶ୍ରମ ପରିବର୍ତ୍ତେ ସମ୍ପର୍କୀୟଙ୍କ ଘରେ ରହିବାକୁ ପ୍ରୋତ୍ସାହିତ କରାଯାଉଛି। ଏହି ସ୍ପନସରପିସ କାର୍ଯ୍ୟକ୍ରମରେ ସମସ୍ତ ଯୋଗ୍ୟ ପିଲାଙ୍କୁ ଟଙ୍କା ମିଳିପାରୁନଥିବା ଏବଂ ଅର୍ଥ ସଙ୍କଟ ନେଇ ବିଭିନ୍ନ ସମୟରେ ଅଭିଯୋଗ ହେଉଥିଲେ ମଧ୍ୟ ସରକାର ବାଳାଶ୍ରମକୁ ପୂର୍ବଭଳି ପ୍ରୋତ୍ସାହିତ କରୁନାହାନ୍ତି।
ଚଳିତ ବର୍ଷ ଯେତେ ସଂଖ୍ୟାରେ ପିଲା ନିଜ ଅଭିଭାବକଙ୍କୁ ହରାଉଛନ୍ତି; ସେହି ହିସାବରେ ଅଧିକ ଶିଶୁ ଯତ୍ନ କେନ୍ଦ୍ରର ଆବଶ୍ୟକତା ରହିଥିବା ବିଭିନ୍ନ ସାମାଜିକ ସଙ୍ଗଠକମାନେ ମତ ପ୍ରକାଶ କରୁଥିଲେ। ମାତ୍ର ବର୍ତ୍ତମାନର ପରିବର୍ତ୍ତିତ ସ୍ଥିତିରେ ମଧ୍ୟ ଜଣେ ଅଭିଭାବକଙ୍କୁ ହରାଇଥିବା ଦୂରେ ଥାଉ ଉଭୟ ଅଭିଭାବକଙ୍କୁ ହରାଇଥିବା ପିଲାଙ୍କୁ ମଧ୍ୟ ଶିଶୁ ଯତ୍ନ କେନ୍ଦ୍ରରେ ରଖିବାକୁ ସରକାର ଚାହୁଁ ନାହାନ୍ତି। ଏହାକୁ ନେଇ ରାଜ୍ୟ ସରକାରଙ୍କ ଯୁକ୍ତି ହେଲା, ଶିଶୁ କେନ୍ଦ୍ରରେ ପିଲା ନିଜ ଗୋଷ୍ଠୀ, ସାଥୀ ଏବଂ ପରିବେଶରୁ ବିଚ୍ଛିନ୍ନ ହୋଇ ଶିଶୁ ପ୍ରଯତ୍ନ କେନ୍ଦ୍ରରେ ରହିବା ମାନସିକ ଚାପ ସୃଷ୍ଟି କରୁଛି। ତେଣୁ ନିଜ ଅଞ୍ଚଳରେ ନିଜ ସମ୍ପର୍କୀୟଙ୍କ ସହିତ ରହିବା ପାଇଁ ସରକାରଙ୍କ ପକ୍ଷରୁ ସେମାନଙ୍କୁ ପ୍ରୋତ୍ସାହିତ କରାଯାଉଛି। ଏଥିପାଇଁ ସ୍ପନସର୍ସିପ୍ ଏବଂ ପ୍ରତିପାଳନ ଯୋଜନା ବା କମ୍ୟୁନିଟି ପୋଷ୍ଟ କେୟାର ଆଡପ୍ସନ୍ର ବ୍ୟବସ୍ଥା କରାଯାଉଛି। ଯେପରିକି ସେମାନେ ନିକଟ ସମ୍ପର୍କୀୟ କିମ୍ବା କମ୍ୟୁନିଟି ସହିତ ରହିବେ। ଆଉ ଶିଶୁ କଲ୍ୟାଣ ସମିତିର ନିର୍ଦେଶରେ ହିଁ ପିଲାଙ୍କୁ ଶିଶୁ ପ୍ରଯତ୍ନ କେନ୍ଦ୍ରରେ ରଖାଯାଉଛି।
ଆଶୀର୍ବାଦ ଯୋଜନାରେ ସାମିଲ ହେଲେଣି ୮୨୭୫
ମୃତ୍ୟୁ ପ୍ରମାଣପତ୍ର ଦାଖଲ ହୋଇପାରୁ ନଥିବାରୁ ସହାୟତା ମିଳିବାରେ ବିଳମ୍ବ
ସଂକୁଚିତ ହେଉଛି ବାଳାଶ୍ରମ; ୧୮ ବର୍ଷରୁ ଊର୍ଧ୍ବ ପିଲାଙ୍କ ପାଇଁ ଆଫ୍ଟର କେୟାର ହୋମ୍
ମହାମାରୀରେ ଅଭିଭାବକ ହରାଇଥିବା ପିଲାଙ୍କ ପାଇଁ ଆଶୀର୍ବାଦ ଯୋଜନା ଆରମ୍ଭ କରାଯାଇଛି। ଏଥିରେ ଉଭୟ ଅଭିଭାବକଙ୍କୁ ହରାଇଥିବା ପିଲାଙ୍କୁ ୨୫୦୦ ଟଙ୍କା ଏବଂ ଉପାର୍ଜନକ୍ଷମ ଜଣେ ଅଭିଭାବକଙ୍କୁ ହରାଇଥିବା ପିଲାଙ୍କୁ ୧୫୦୦ ଟଙ୍କା ଦିଆଯିବା ନେଇ ଘୋଷଣା କରାଗଲା। ଏଥିପାଇଁ ନିରନ୍ତର ଚିହ୍ନଟ ପ୍ରକ୍ରିୟା ମଧ୍ୟ ଜାରି ରହିଛି। ଆଶୀର୍ବାଦ ଯୋଜନାରେ ସାମିଲ ହୋଇଥିବା ୮୨୭୫ ଶିଶୁଙ୍କ ମଧ୍ୟରୁ ପ୍ରାୟ ୫୦୦ ଜଣ ଉଭୟ ଅଭିଭାବକଙ୍କୁ ହରାଇ ଏଥିରେ ସାମିଲ ହୋଇଛନ୍ତି। ଏଥିରୁ ୧୫୦ ଜଣଙ୍କୁ ବାଳାଶ୍ରମ, ୩୦ ଜଣଙ୍କୁ ଫଷ୍ଟର କେୟାର ଆଡପ୍ସନ୍ରେ ପଠାଯାଇଛି। ଏପରିକି ଯେଉଁ ପିଲାମାନେ ପୂର୍ବରୁ ଜଣେ ଅଭିଭାବକ ହରାଇଥିଲେ, ବର୍ତ୍ତମାନ ଆଉ ଜଣଙ୍କୁ ହରାଇ ବାପା, ମା’ ଛେଉଣ୍ଡ ହୋଇଛନ୍ତି; ସେମାନେ ମଧ୍ୟ ଆଶୀର୍ବାଦ ଯୋଜନାର ଲାଭ ନେଇ ପାରିବେ। ଏଭଳି ଶିଶୁମାନଙ୍କୁ ଚିହ୍ନଟ ପାଇଁ ଅଙ୍ଗନବାଡି କର୍ମୀଙ୍କ ସହିତ ସ୍ନାତକୋତ୍ତର କରିଥିବା ଜଣଙ୍କୁ ଦାୟିତ୍ବ ଦିଆଯାଉଛି। ତେବେ ଅନେକ ପିଲା ଅଭିଭାବକ ହରାଇଥିବା ସ୍ପଷ୍ଟ ହୋଇଥିଲେ ମଧ୍ୟ ପୌର କିମ୍ବା ପଞ୍ଚାୟତ ସ୍ତରରେ ଏ ସଂକ୍ରାନ୍ତରେ ପ୍ରମାଣପତ୍ର ଦାଖଲରେ ବିଳମ୍ବ ହେଉଥିବାରୁ ପିଲାଙ୍କୁ ଟଙ୍କା ମିଳି ପାରୁନାହିଁ। ଏଥିପ୍ରତି ଦୃଷ୍ଟି ଦିଆଗଲେ ପିଲା ଯଥାଶୀଘ୍ର ଯୋଜନାର ଲାଭ ପାଇପାରିବେ ବୋଲି ପିଲାଙ୍କ ସମ୍ପର୍କୀୟମାନେ କହୁଛନ୍ତି।
ଅନ୍ୟପକ୍ଷରେ ନିୟମ ଅନୁଯାୟୀ ପୁଅଙ୍କୁ ୧୮ ବର୍ଷ ପରେ ଏବଂ ଝିଅଙ୍କୁ ୨୧ ବର୍ଷ ପରେ ବାଳାଶ୍ରମରେ ରଖିବାର ନିୟମ ନାହିଁ। ତେବେ ୧୮ ବର୍ଷ ପରେ ମଧ୍ୟ ପିଲାଙ୍କ ପାଠ ସରିନଥାଏ କିମ୍ବା ସେମାନେ ଆତ୍ମନିର୍ଭରଶୀଳ ହୋଇନଥାଆନ୍ତି। ସ୍ଥିତି ଏଭଳି ହୁଏ ଯେ ଅନେକ ପିଲା ଅଧାରୁ ପାଠ ଛାଡ଼ି ରୋଜଗାର କରିବାକୁ ବାଧ୍ୟ ହୋଇଥାଆନ୍ତି। ଏହିଭଳି ପିଲାଙ୍କ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆଫ୍ଟର କେୟାର ହୋମ୍ର ଗାଇଡଲାଇନ ପ୍ରସ୍ତୁତ ହୋଇଛି। ଏଥିରେ ପିଲା ଛାତ୍ରାବାସ ଭଳି ସ୍ବତନ୍ତ୍ର ଘରେ ରହିବେ। ସାମାଜିକ ସଙ୍ଗଠନ ଏହାର ପରିଚାଳନା ଦାୟିତ୍ବ ନେବେ। ସେମାାନ ପୂର୍ବଭଳି ପାଠ ପଢି ପାରିବେ।