ବୈଜ୍ଞାନିକ ଦୃଷ୍ଟିକୋଣରୁ ଉଲ୍କାପିଣ୍ଡ ସବୁ ଖୁବ୍ ତାତ୍ପର୍ଯ୍ୟପୂର୍ଣ୍ଣ। କାରଣ, ମହାକାଶରୁ ଧରାପୃଷ୍ଠକୁ ଖସୁଥିବା ଉଲ୍କାପିଣ୍ଡରୁ ବିଶ୍ୱବ୍ରହ୍ମାଣ୍ଡ ଓ ବିଶ୍ବରେ ଜୀବ ସୃଷ୍ଟିର ରହସ୍ୟ ଜାଣିବାର ସୂତ୍ର ନିହିତ ଥାଏ। ବୈଜ୍ଞାନିକ ଅଧ୍ୟୟନ ନିମନ୍ତେ ଆଣ୍ଟାର୍କଟିକାରୁ ହିଁ ସୁବିଧାରେ ସବୁଠୁ ଅଧିକ ସଂଖ୍ୟକ ଉଲ୍କାପିଣ୍ଡ ସଂଗ୍ରହ କରାଯାଏ। କିନ୍ତୁ, ଜଳବାୟୁ ପରିବର୍ତ୍ତନଜନିତ ତାପମାତ୍ରା ବୃଦ୍ଧି ହେତୁ ମାତ୍ରାଧିକ ବରଫ ତରଳୁଥିବାରୁ ଆଣ୍ଟାର୍କଟିକାରୁ ପ୍ରାୟ ୫୦୦୦ ଉଲ୍କାପିଣ୍ଡ ନିଶ୍ଚିହ୍ନ ହୋଇଯିବ ବୋଲି ‘ନେଚର୍ କ୍ଲାଇମେଟ୍ ଚେଞ୍ଜ୍ ଜର୍ଣ୍ଣାଲ୍’ରେ ପ୍ରକାଶିତ ଗବେଷଣା ରିପୋର୍ଟରୁ ଜଣାପଡ଼ିଛି।
ସମ୍ପ୍ରତି ଆଣ୍ଟାର୍କଟିକାରୁ ଯେଉଁ ହାରରେ ଉଲ୍କାପିଣ୍ଡ ସଂଗ୍ରହ କରାଯାଉଛି ତା’ଠାରୁ ପାଞ୍ଚଗୁଣ ଅଧିକ ବେଗରେ ସେଠାରୁ ଉଲ୍କାପିଣ୍ଡ ସବୁ ଲୋପ ପାଉଛି ବୋଲି ଉକ୍ତ ରିପୋର୍ଟରେ ଦର୍ଶାଯାଇଛି। ବୃଦ୍ଧି ପାଉଥିବା ପ୍ରତି ଏକ ଡିଗ୍ରି ସେଣ୍ଟିଗ୍ରେଡ୍ ବୈଶ୍ୱିକ ତାପମାତ୍ରାର ଏକ ଦଶମାଂଶ ଉତ୍ତାପ କାରଣରୁ ଆଣ୍ଟାର୍କଟିକାକୁ ଆବୃତ କରିଥିବା ବରଫ ଚଟାଣରୁ ହାରାହାରି ୯୦୦୦ ଉଲ୍କାପିଣ୍ଡ ଉଭେଇ ଯାଉଛି। କୃତ୍ରିମ ଉପଗ୍ରହ ପର୍ଯ୍ୟବେକ୍ଷଣ, କୃତ୍ରିମ ବୁଦ୍ଧିମତ୍ତା ଏବଂ ଜଳବାୟୁ ମଡେଲ୍ ଆଦି ବ୍ୟବହାର କରି ଗବେଷକମାନେ ଏଭଳି ଗଣନା କରିଛନ୍ତି।
ସେମାନେ ପୂର୍ବାନୁମାନ କରିଛନ୍ତି, ବରଫ ତରଳିବା ହେତୁ ୨୦୫୦ ମସିହା ବେଳକୁ ଆଣ୍ଟାର୍କଟିକାରେ ଥିବା ଉଲ୍କାପିଣ୍ଡଗୁଡ଼ିକ ମଧ୍ୟରୁ ଏକ ଚତୁର୍ଥାଂଶ ବିଲୁପ୍ତ ହୋଇଯିବ। ଯଦି ବୈଶ୍ବିକ ତାପମାତ୍ରା ବୃଦ୍ଧି ଏମିତି ଅବ୍ୟାହତ ରହେ, ତେବେ ଚଳିତ ଶତାବ୍ଦୀ ଶେଷ ଭାଗ ଆଡ଼କୁ ସେଠାରେ ଥିବା ଉଲ୍କାପିଣ୍ଡଗୁଡ଼ିକ ମଧ୍ୟରୁ ପ୍ରାୟ ତିନି ଚତୁର୍ଥାଂଶ ନଷ୍ଟ ହୋଇଯିବ। ଆକଳନ ଅନୁସାରେ, ଆଣ୍ଟାର୍କଟିକାରେ ପ୍ରାୟ ୩ରୁ ୮ ଲକ୍ଷ ଉଲ୍କାପିଣ୍ଡ ଥାଇପାରେ। ତେଣୁ, ସଂଗ୍ରହ କରାଯାଇ ପାରି ନ ଥିବା ବାକି ଉଲ୍କାପିଣ୍ଡଗୁଡ଼ିକୁ ସଂରକ୍ଷିତ କରି ରଖିବାର ଏକମାତ୍ର ଉପାୟ ହେଲା ସବୁଜଗୃହ ବାଷ୍ପ ନିର୍ଗମନ ଦ୍ରୁତ ହ୍ରାସ କରାଇବା।
ଉଲ୍କାପିଣ୍ଡ ସବୁ ବିଭିନ୍ନ ଧାତୁ ଓ ପଥରର ସମଷ୍ଟି। ତେଣୁ, ଏଗୁଡ଼ିକୁ ଆବୃତ କରି ରହିଥିବା ବରଫ ତୁଳନାରେ ଏମାନେ ଖୁବ୍ ଶୀଘ୍ର ଉତ୍ତାପ ଆହରଣ କରନ୍ତି। ବରଫ ଶୂନ୍ୟ ଡିଗ୍ରି ସେଣ୍ଟିଗ୍ରେଡ୍ରୁ କମ୍ ଉତ୍ତାପରେ ଥିବା ବେଳେ ବି ଗାଢ଼ କଳା ଦିଶୁଥିବା ଉଲ୍କାପିଣ୍ଡ ସବୁ ଅଧିକ ମାତ୍ରାରେ ସୂର୍ଯ୍ୟକିରଣ ବିଶୋଷଣ କରି ଉତ୍ତପ୍ତ ହୋଇଯାଆନ୍ତି। ଫଳରେ ସେମାନଙ୍କ ଚାରିପଟେ ଥିବା ବରଫ ଆସ୍ତରଣ ଶୀଘ୍ର ତରଳିଯାଏ। ଏହି ପ୍ରକ୍ରିୟା ଜାରି ରହିଲେ କ୍ରମଶଃ ଉଲ୍କାପିଣ୍ଡ ସବୁ ଅଧିକ ଗଭୀରକୁ ଯାଇ ଚିରଦିନ ପାଇଁ ବରଫରେ ସମ୍ପୂର୍ଣ୍ଣ ପୋତି ହୋଇଯାନ୍ତି । ପରବର୍ତ୍ତୀ ସମୟରେ ସେ ଉଲ୍କାପିଣ୍ଡଗୁଡ଼ିକୁ ଆଉ ଠାବ କରି ହୁଏନାହିଁ ନାହିଁ ବୋଲି ଗବେଷକ ଭେରୋନିକା ଟୋଲେନାର୍ କହିଛନ୍ତି। ଆଣ୍ଟାର୍କଟିକାରୁ ଉଲ୍କାପିଣ୍ଡ ଉଦ୍ଧାର ଓ ସଂରକ୍ଷଣ ଉଦ୍ୟମ ତ୍ୱରାନ୍ୱିତ ଏବଂ ତୀବ୍ରତର କରିବାକୁ ପଡ଼ିବ। ଆଣ୍ଟାର୍କଟିକାର ଉଲ୍କାପିଣ୍ଡ ହରାଇବା ଯାହା ତରଳି ଯାଉଥିବା ହିମପର୍ବତର ଅଭ୍ୟନ୍ତରରୁ ବୈଜ୍ଞାନିକମାନେ ସଂଗ୍ରହ କରିଥିବା ‘ଡାଟା’ ହରାଇବା ତାହା। ଉଲ୍କାପିଣ୍ଡ ନିଶ୍ଚିହ୍ନ ହୋଇଗଲେ ବ୍ରହ୍ମାଣ୍ଡ ସୃଷ୍ଟି ରହସ୍ୟର କିଛି ଅଂଶ ମଧ୍ୟ ବିଲୁପ୍ତ ହୋଇଯିବ ବୋଲି ବିଶିଷ୍ଟ ବୈଜ୍ଞାନିକ ହ୍ୟାରି କେଜୋଲାରୀ କହିଛନ୍ତି। ବୈଜ୍ଞାନିକ ମହତ୍ତ୍ବ ଥିବା ଏହି ଉଲ୍କାପିଣ୍ଡଗୁଡ଼ିକର ସଂରକ୍ଷଣ ସକାଶେ ବଡ଼ଧରଣର ଆନ୍ତର୍ଜାତିକ ଉଦ୍ୟମ କରାଯିବା ସହିତ ଏହାର ସୁରକ୍ଷା ନିତାନ୍ତ ଅପରିହାର୍ଯ୍ୟ।