ନିଜ ଜନ୍ମ ସହରରେ ନିଜର ଏକ ପ୍ରତିମୂର୍ତ୍ତି ଶୋଭା ପାଇବାଠାରୁ ବଳି ଆନନ୍ଦ ଆଉ କିଛି ନାହିଁ କହିଲେ ଚଳେ। ଏ ପରିପ୍ରେକ୍ଷୀରେ ଗତ ମଙ୍ଗଳବାର ପ୍ରଖ୍ୟାତ କଲମ୍ବୀୟ ପପ୍ ଗାୟିକା ସାକିରାଙ୍କର ଏକ ବିଶାଳ ପ୍ରତିମୂର୍ତ୍ତି ତାଙ୍କ ଜନ୍ମ ସହର ବାରାଙ୍କ୍ବିଲ୍ଲାରେ ସ୍ଥାପିତ ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଦୀର୍ଘ ସାଢ଼େ ୬ ମିଟର ଉଚ୍ଚର ବ୍ରୋଞ୍ଜରେ ନିର୍ମିତ ସାକିରାଙ୍କର ଏହି ପ୍ରତିମୂର୍ତ୍ତିଟି ତାଙ୍କର ଲୋକପ୍ରିୟ ଗୀତ ‘ହିପ୍ସ ଡୋଣ୍ଟ୍ ଲାଏ’ର ଏକ ନୃତ୍ୟମୁଦ୍ରାକୁ ଦର୍ଶାଉଛି। ଉକ୍ତ ପ୍ରତିମୂର୍ତ୍ତି ଲୋକାର୍ପଣ ଉତ୍ସବରେ ତାଙ୍କ ପିତା ଵିଲିଅମ୍ ମେବାରକ ଓ ମାତା ନିଦିଆ ରିପୋଲିଙ୍କ ସହିତ ବାରାଙ୍କ୍ବିଲ୍ଲାର ମେୟର ମଧ୍ୟ ଉପସ୍ଥିତ ଥିଲେ। ପ୍ରତିମୂର୍ତ୍ତିଟିର ପାଦଦେଶରେ ଏକ ଫଳକ ଲଗାଯାଇଛି ଯେଉଁଥିରେ ସାକିରାଙ୍କୁ ପ୍ରଶଂସା କରାଯାଇ ‘ମିଛ କହୁନଥିବା ଅଣ୍ଟା, ଏକ ଅନନ୍ୟ ପ୍ରତିଭା, ଜନମାନସକୁ ଗତିଶୀଳ କରୁଥିବା ସ୍ବର’ ବୋଲି ଲେଖାଯାଇଛି।
ଏହା ମଧ୍ୟ ପ୍ରାରମ୍ଭିକ ଶିଶୁବିକାଶକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ତାଙ୍କ ଦ୍ବାରା ସ୍ଥାପିତ ସାମାଜିକ ସଂଗଠନ ‘ପାଇସ୍ ଡେସ୍କାଲୋଜୋସ’(ଖାଲି ପାଦ)ର ଦାନକାର୍ଯ୍ୟକୁ ସୂଚୀତ କରୁଛି। ଏଥିରେ ଉତ୍ସାହିତ ହୋଇ ସାକିରା ଏକ ଫଟୋ ତାଙ୍କ ଇନ୍ଷ୍ଟାଗ୍ରାମ୍ରେ ଛାଡ଼ିଛନ୍ତି ଯେଉଁଥିରେ ତାଙ୍କ ପିତାମାତା ତାଙ୍କର ଏହି ପ୍ରତିମୂର୍ତ୍ତି ପାଖରେ ଛିଡ଼ା ହୋଇଥିବା ଦେଖାଯାଇଛି। ଏହି ଅବସରରେ ସେ ପ୍ରତିମୂର୍ତ୍ତି ଗଢ଼ିଥିବା ଭାସ୍କର୍ଯ୍ୟ ଶିଳ୍ପୀ ୟିନୋ ମାର୍କ୍ବେଜ୍ ଓ ତାଙ୍କ ଛାତ୍ରମାନଙ୍କୁ ସାଧୁବାଦ ଜଣାଇ ତାହା ଏକ ‘ବିଶାଳ କଳାତ୍ମକ ପ୍ରତିଭା’ ବୋଲି ଦର୍ଶାଇଛନ୍ତି।
ଉଲ୍ଲେଖଯୋଗ୍ୟ, ସାକିରାଙ୍କର ଏହି ପ୍ରତିମୂର୍ତ୍ତି ଉନ୍ମୋଚନ ପୂର୍ବରୁ ସେ ଏକାଧିକ ବାର ଖବରର ଶୀର୍ଷରେ ରହିଥିଲେ। ସେଥି ମଧ୍ୟରୁ ପ୍ରମୁଖ ଖବରଟି ହେଉଛି ତାଙ୍କର ପୂର୍ବତନ ପୁରୁଷବନ୍ଧୁ ତଥା ପ୍ରାକ୍ତନ ଫୁଟବଲ ଖେଳାଳି ଜେରାର୍ଡ ପିକ୍ୟୁଙ୍କ ସମ୍ପର୍କିତ ସାକିରାଙ୍କର ଏକ ଗୀତର ଶୁଭମୁକ୍ତି ଯାହା ଲାଟିନ୍ ଆମେରିକା ୟୁଟ୍ୟୁବ୍ରେ ନୂତନ ରେକର୍ଡ ସୃଷ୍ଟି କରିଥିଲା। ସେହିପରି ଆୟକର ହେରଫେର ଅଭିଯୋଗ ପରେ ୭୫ ଲକ୍ଷ ୟୁରୋ ଦାଖଲ କରି ତାହାର ସମାଧାନ କରିବା ଘଟଣା ମଧ୍ୟ ସାକିରାଙ୍କୁ ଚର୍ଚ୍ଚାରେ ରଖିଥିଲା। ତେବେ ୨୦୦୩ ସାକିରାଙ୍କ ପାଇଁ ସଫଳତାର ବର୍ଷ ଥିଲା ଯହିଁରେ ସେ ତିନିଟି ଲାଟିନ୍ ଗ୍ରାମି ପୁରସ୍କାର ହାସଲ କରିଥିଲେ, ଯେଉଁଥିରୁ ଗୋଟିଏ ତାଙ୍କ ସାଥୀ କଳାକାର କରୋଲ ଜି’ଙ୍କ ସହ ରହିଥିଲା।